ଜାଣନ୍ତୁ ଚୀନ୍‌ରେ ‘ସାଦା କାଗଜ’ ବିକ୍ଷୋଭକୁ କାହିଁକି ଡରୁଛନ୍ତି ସରକାର

ବେଜିଂ ୩୦।୧୧: ଚୀନ୍‌ର ଜିରୋ କୋଭିଡ ନୀତି ଓ ଏହା ବିରୋଧରେ ଲୋକଙ୍କ ଆକ୍ରୋଶ ବେଳକୁ ବେଳ ତୀବ୍ର ହେବାରେ ଲାଗିଛି। ଲୋକେ ଏବେ ବେଜିଂ, ସାଂଘାଇ ଓ ବୁହାନ ଭଳି ବଡ ସହରାଞ୍ଚଳରେ ସରକାରଙ୍କ ବିରୋଧରେ ସଡ଼କକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଲୋକଙ୍କ ଏହି ବିରୋଧ ପ୍ରଦର୍ଶନରେ ଏକ ଖାସ ଜିନିଷ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଛି। ତାହା ହେଉଛି ‘ସାଦା କାଗଜ’। ଚୀନ୍‌ର ଏବେ ଅନେକ ସହରରେ ବିରୋଧ ପ୍ରଦର୍ଶନ ହେଉଥିବା ବେଳେ ସାଦା କାଗଜ ଏହାର ପ୍ରତୀକ ପାଲଟିଯାଇଛି। ହଜାର ହଜାର ଲୋକେ ହାତରେ ଖାଲି ସାଦା କଗଜ ଧରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ତେବେ ଆସନ୍ତୁ ଜାଣିବା ଏକ ସାଦା କାଗଜକୁ କାହିଁକି ଡରୁଛନ୍ତି ଚୀନର ଜିନପିଙ୍ଗ ସରକାର? ପ୍ରଦର୍ଶନକାରୀ କିପରି ଖୋଜି ପାଇଲେ ଏହି ଅନନ୍ୟ ଉପାୟ ..

ଗତ ଦିନରେ ଚୀନ୍‌ର ସିନଜିଆଙ୍ଗ ପ୍ରାନ୍ତର ରାଜଧାନୀ ଉରମକୀର ଏକ ୨୧ ମହଲା କୋଠାରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡରେ ୧୦ ଜଣ ଲୋକ ଜିଅନ୍ତା ଜଳି ଦଗ୍ଧ ହୋଇଥିଲେ ଓ ୯ ଜଣ ଲୋକ ପୋଡି ହୋଇ ଆହତ ହୋଇଥିଲେ। ଅଗ୍ନିକାଣ୍ଡ ବେଳେ ସହରରେ କୋଭିଡ ଲକଡାଉନ ଜାରି ଥିଲା। ଫଳରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ଏହାକୁ ନେଇ ଅସନ୍ତୁଷ୍ଟ ଲୋକେ ସଡକକୁ ଓହ୍ଲାଇ ଆସିବା ସହ ଜିନପିଙ୍ଗ ସରକାର ଓ ତାଙ୍କ କୋଭିଡ ନୀତିକୁ ବିରୋଧ କରିବା ଆରମ୍ଭ କରିଥିଲେ। ସିନଜିଆଙ୍ଗରେ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନ ଦେଖୁ ଦେଖୁ ବେଜିଂ, ସାଂଘାଇ, ବୁହାନ ଓ ଦେଶର ଅନ୍ୟ ବଡ଼ ସହରାଞ୍ଚଳକୁ ବ୍ୟାପି ଯାଇଛି। ଚୀନ୍‌ର ଅନେକ ସହରରେ ଚାଲିଥିବା ଏହି ବିକ୍ଷୋଭ ପ୍ରଦର୍ଶନରେ ଗୋଟିଏ ସାଧାରଣ କଥା ଦେଖାଯାଇଛି। ତାହ୍ ହେଉଛି ସାଦା ଗାଗଜ। ଲୋକେ ସାଦା କାଗଜ ସହ ସଡକକୁ ଓହ୍ଲାଇ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଇସ୍ତଫା ଦାବି କରୁଛନ୍ତି। ଦେଖୁ ଦେଖୁ ସାଦା କାଗଜ ଖଣ୍ଡକ ଚୀନ୍‌ରେ ସରକାର ବିରୋଧୀ ପ୍ରଦର୍ଶନର ପ୍ରତୀକ ବନି ଯାଇଛି। ବେଜିଂ ସିଂଘୁଆ ବିଶ୍ୱବିଦ୍ୟାଳୟର ଛାତ୍ର ହେଉ କି ସାଧାରଣ ଜନତା ସମସ୍ତଙ୍କ ହାତରେ ଏବେ ଗୋଟେ ସାଦା କାଗଜ ଦେଖିବାକୁ ମିଳୁଛି।

ଚୀନ୍‌ରେ ପ୍ରଥମ ଥର ଦେଖାଯାଉଥିବା ସାଦା କାଗଜ ବିରୋଧର ତାର ହଂକଂରେ ହୋଇଥିବା ୨୦୨୦ ବିକ୍ଷୋଭ ସହ ଯୋଡି ହୋଇ ରହିଛି। ସେତେବେଳେ ହଂକଂର ଲୋକେ କଠୋର ନୂଆ ଜାତୀୟ ସୁରକ୍ଷା ଆଇନକୁ ଧଳାକାଗଜ ଦେଖାଇ ବିରୋଧ କରିଥିଲେ। କାରଣ ୨୦୧୯ରେ ସ୍ଥାନୀୟ ସରକାର ବିକ୍ଷୋଭ ସମ୍ପର୍କିତ ସ୍ଲୋଗାନକୁ ନିଷିଦ୍ଧ କରି ଦେଇଥିଲେ। ଏଣୁ ଲୋକେ ସାଦା କାଗଜ ଦେଖାଇ ସେମାନଙ୍କ ବିରୋଧ ପ୍ରଦର୍ଶନ କରିଥିଲେ। ଏହା ଛଡା ଋଷିଆରେ ୟୁକ୍ରେନ ଯୁଦ୍ଧକୁ ବିରୋଧ କରି ଲୋକେ ଏହି ଉପାୟରେ ନିଜର ଅସନ୍ତୋଷ ପ୍ରକଟ କରିଥିଲେ। ତେବେ ଚୀନ୍‌ରେ ଏହି ପ୍ରଦର୍ଶନ ଏବେ ପ୍ରଶାସନ ଲାଗି ଆହ୍ୱାନ ପାଲଟି ଯାଇଛି। କିଛି ନ କହି ବି ଲୋକେ ଗିରଫ ହେଉଛନ୍ତି। ଏହିପରି ସାଂଘାଇରେ ବିରୋଧ ପ୍ରଦର୍ଶନ କରୁଥିବା ଜନୈକା ମହିଳା କହିଛନ୍ତି ଯେ କାଗଜରେ କିଛି ଲେଖାଯାଇନି ସତ ହେଲେ ଆମେ ଜାଣିଛୁ ଏଥିରେ କଣ ଲେଖାଯାଇଛି ବୋଲି କହିଛନ୍ତି। ସେହିପରି ଅନ୍ୟ ଜଣେ ବିକ୍ଷୋଭକାରୀ କହିଛନ୍ତି ଯେ ସାଦା କାଗଜ ଏହି କଥାର ପ୍ରତୀକ ଯେ ଆମେ ବହୁତ କିଛି କହିବାକୁ ଚାହୁଁଛୁ ହେଲେ କହି ପାରୁନୁ ବୋଲି କହିଛନ୍ତି।

Spread the love