ବାପା ପୁଅଙ୍କୁ ଶହେ ସଲାମ୍: ସୁନା ବନ୍ଧା ପକାଇ ତିଆରି କଲେ ପୋଲ ଓ ରାସ୍ତା

ଆଜି ବି ବଞ୍ଚିଛି ମାନବିକତା, ବଞ୍ଚିଛି ସାଧୁତା। ଲୋଭ ମାୟା ଠାରୁ ଊର୍ଦ୍ଧ୍ବରେ ଅଛନ୍ତି ଅନେକ ମଣିଷ । ବଡ ବଡିଆ ଧନି ବାବୁମାନଙ୍କ ଠାରୁ ବି ଏମାନଙ୍କ ମନବଳ ବହୁ ଉଚ୍ଚରେ। ଏମିତି ଜଣେ ମଣିଷ ଯିଏ ମଣିଷ ପଣିଆ ଆଗରେ ସବୁ କିଛି ତୁଚ୍ଛ ବୋଲି ଭାବନ୍ତି। ଗରିବୀର କଷାଘାତ ସତ୍ତ୍ବେ ନିଜର ମହାନ କାମ ପାଇଁ ଆଜି ସେ ପ୍ରଶଂସାର ପାତ୍ର। ରାୟଗଡା ଜିଲ୍ଲା କାଶୀପୁର ବ୍ଲକ୍ ଡଙ୍ଗାସିଲ୍ ପଞ୍ଚାୟତ ଗୁଞ୍ଜରାମପଞ୍ଜରା ଗ୍ରାମର ରଞ୍ଜିତ ନାଏକ। ଯିଏ ନିଜ ଗାଁର ଦୁଃଖ ଦୂର ପାଇଁ ନିଜ ବୃତ୍ତି ଛାଡ଼ି, ପତ୍ନୀଙ୍କ ସୁନା ବନ୍ଧକ ରଖି ନଦୀ ଉପରେ ୩ଟି ଅସ୍ଥାୟୀ ପୋଲ ଓ ୪ କିମି ରାସ୍ତା ନିର୍ମାଣ କରି ଅଞ୍ଚଳବାସୀଙ୍କ ପାଇଁ ପାଲଟିଛନ୍ତି ଦେବଦୂତ ।

କାଶୀପୁର ବ୍ଲକ୍ ଡଙ୍ଗାସିଲ୍ ପଞ୍ଚାୟତ ଗୁଞ୍ଜରାମପଞ୍ଜରା ଗ୍ରାମରେ ପାଖାପାଖି ୧୨୦ ପରିବାର ବସବାସ କରୁଛନ୍ତି । ଗାଁକୁ ଲାଗି ବହିଯାଉଛି ବିଛଳା ନଦୀ। ନଦୀରେ ବର୍ଷତମାମ ପାଣି ରହୁଥିବାରୁ ଯାତାୟାତରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ବହୁବାର ପ୍ରଶାସନର ଦ୍ବାରସ୍ଥ ହେବାପରେ ପୋଲ ନିର୍ମାଣ ଆରମ୍ଭ ହୋଇଥିଲା କିନ୍ତୁ ତାହା ଅଧପନ୍ତରିଆ ଅବସ୍ଥାରେ ପଡ଼ି ରହିଛି। ନଦୀ ଯୋଗୁ ଲୋକେ ପଞ୍ଚାୟତ କାର୍ଯ୍ୟାଳୟଠୁ ଆରମ୍ଭ କରି ବ୍ଲକ୍ କାର୍ଯ୍ୟାଳୟ, ଡାକ୍ତରଖାନା, ସ୍କୁଲକୁ ନିୟମିତ ଭାବେ ଯାଇ ପାରୁନଥିଲେ। ଏହି କଷ୍ଟକୁ ସବୁବେଳେ ରଞ୍ଜିତ ବି ସାମ୍ନା କରୁଥିଲେ। ଯେତେବେଳେ ସେ କାମ ସାରି ଘରକୁ ଫେରୁଥିଲେ ନଦୀ ପାଇଁ ହଇରାଣ ହେଉଥିଲେ।ଫଳରେ ରଞ୍ଜିତ ଦ୍ରୁଢ କଲେ ନା ଏଦିଗରେ କିଛି କରିଦେଖାଇବେ। ରଞ୍ଜିତ ପେଶାରେ ଜଣେ ଟ୍ରକ ଡ୍ରାଇଭର ହୋଇଥିବାରୁ ତାଙ୍କୁ ନିଜ କାମରୁ ଅବ୍ୟାହତି ନେବାକୁ ପଡିଥିଲା।

ପ୍ରଥମେ ସେ ବାଉଁଶ ଓ କାଠ ସଂଗ୍ରହ ଆରମ୍ଭ କରିଥିଲେ। ଆବଶ୍ୟକ କାଠ ଓ ବାଉଁଶ ନ ମିଳିବା ପରେ ରଞ୍ଜିତ ନିଜ ପତ୍ନୀଙ୍କ ସୁନାକୁ ବନ୍ଧକ ଦେଇ ୭୦ ହଜାର ଟଙ୍କାର କାଠ ଓ ବାଉଁଶ କିଣିଥିଲେ। ଏହାପରେ ବାପା, ପୁଅ ମିଶି ନଦୀ ଉପରେ ଆରମ୍ଭ କରିଥିଲେ ପୋଲ ନିର୍ମାଣ। ପାଖାପାଖି ୩ ମାସର ଅକ୍ଳାନ୍ତ ପରିଶ୍ରମ ପରେ ଏବେ ବିଛଳା ନଦୀ ଉପରେ ୩ଟି ଅସ୍ଥାୟୀ ପୋଲ ନିର୍ମାଣ କରିଛନ୍ତି। ଏଥିସହିତ ୪ କିମି ରାସ୍ତା ମଧ୍ୟ ନିର୍ମାଣ କରିଛନ୍ତି ରଞ୍ଜିତ । ଆଉ ଏଥିରେ ତାଙ୍କୁ ପୂର୍ଣ୍ଣ ସହଯୋଗ କରିଛନ୍ତି ତାଙ୍କ ବାପା। ବୁଢା ବୟସରେ ବି ପୁଅର କାନ୍ଦରେ କାନ୍ଦ ମିଶାଇ ହାତରେ କୋଢି କୋଦଳ ଧରି ସେ ଲାଗିପଡିଥିଲେ ଏହି କାମରେ। ସବୁଠୁ ବଡ କଥା ଏହିଭଳି ସମାଜସେବା କରିବା ପାଇଁ ତାଙ୍କୁ ନା ଗ୍ରାମବାସୀଙ୍କ ଠାରୁ ସାହାଯ୍ୟ ମିଳିଛି ନା ସରକାରଙ୍କ ତରଫରୁ କୌଣସି ସହାୟତା। ନିଜ ମନରେ ରାସ୍ତା କରିବା ପାଇଁ ପ୍ରତିଶ୍ରୁତି ବଦ୍ଧ ହୋଇ ସେ କରିଦେଖାଇଛନ୍ତି ଏହି କାର୍ଯ୍ଯ।

ମୁଣ୍ଡ ଉପରେ ବୃଦ୍ଧ ବାପା, ମା’ଙ୍କ ସହ ପତ୍ନୀ ଓ ପିଲାଛୁଆଙ୍କ ବୋଝ।। ତଥାପି ଗାଁର ଉନ୍ନତି ତଥା ସେମାନଙ୍କ କଷ୍ଟକୁ ସହିପାରିଲେନି। ଗରିବର କଷାଘାତ ସତ୍ତ୍ବେ ସୁନା ବନ୍ଧକ ଦେଇ ତିଆରି କଲେ ପୋଲ, ରାସ୍ତା। ଯାହା ଦ୍ବାରା ଏବେ ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲା ସହ ଯୋଡ଼ି ହୋଇଛି ରାୟଗଡ଼ା। ରଞ୍ଜିତଙ୍କ ଏପରି ମହାନ୍ କାର୍ଯ୍ୟ ଯେତେ ପ୍ରଶଂସା କଲେ ବି କମ୍ ହେବ।

Spread the love