ସସ୍ମିତ ପାତ୍ର ବୋଧେ ଭୁଲି ଯାଉଛନ୍ତି, ନିର୍ବାଚନ ମଡେଲ କଥା ତାଙ୍କ ଦଳୀୟ ନେତାମାନେ ହିଁ ପ୍ରଥମେ ଆରମ୍ଭ କରିଥିଲେ : ମୁକେଶ ମହାଲିଙ୍ଗ

ଭୁବନେଶ୍ୱର, : ଆମ ନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଉପନିର୍ବାଚନ କେବେ ବି ନିର୍ବାଚନ ପାଇଁ ମଡେଲ ହୋଇପାରିବ ନାହିଁ ବୋଲି କହିବା ହାସ୍ୟାସ୍ପଦ ବୋଲି ପ୍ରେସ ବିଜ୍ଞପ୍ତି ଜରିଆରେ କହିଛନ୍ତି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ।

ସେ କହିଛନ୍ତି ସସ୍ମିତ ପାତ୍ର ବୋଧେ ଭୁଲି ଯାଉଛନ୍ତି, ନିର୍ବାଚନ ମଡେଲ କଥା ତାଙ୍କ ଦଳର ନେତାମାନେ ହିଁ ପ୍ରଥମେ ଆରମ୍ଭ କରିଥିଲେ । ସାଢେ 4 କୋଟି ଓଡ଼ିଶାବାସୀଙ୍କ ସେବାକୁ ସେ ମଡେଲ ବୋଲି କହୁଛନ୍ତି କିନ୍ତୁ ଦୀର୍ଘ 22 ବର୍ଷ ଶାସନରେ ତାଙ୍କ ସରକାର ସାଢେ 4 କୋଟି ଓଡ଼ିଶାବାସୀଙ୍କ ପାଇଁ କଣ ସେବା କରିଛନ୍ତି ତାହା ସବୁ ଓଡ଼ିଆ ଲୋକମାନେ ଜାଣିଛନ୍ତି । ତାଙ୍କ ମୁହଁରେ ଏପରି କଥା ଶୋଭା ପାଉନାହିଁ, ତେଣୁ ସେ ଦିନରେ ଲଣ୍ଠନ ଦେଖାଇବା ବନ୍ଦ କରନ୍ତୁ ।
22 ବର୍ଷ ଶାସନରେ ଆଜି ବିଜୁ ଜନତା ଦଳର ମଡେଲ ଦୁର୍ନୀତି, ପିସି ଓ ଅତ୍ୟାଚାର ମଡେଲ ହୋଇଛି । ସ୍ୱାସ୍ଥ୍ୟ, ଶିକ୍ଷା ଓ ଲୋକଙ୍କ ମୌଳିକ ସମସ୍ୟା ବିପର୍ଯ୍ୟସ୍ତ । ବିଧାନସଭା ତଥ୍ୟରୁ ହିଁ ରାଜ୍ୟ ସରକାରଙ୍କ ସୁଶାସନର ପାରିବାପଣିଆକୁ ଦର୍ଶାଉଛି । ଆଜି 5ଟି ଏବଂ ମୋ ସରକାରରେ ଓଡ଼ିଶା ; ମହିଳା ନିର୍ଯ୍ୟାତନା, ବେରୋଜଗାରୀ, ଦାଦନ ସମସ୍ୟାରେ 1 ନମ୍ବର ହୋଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ପାଇଁ ରାଜ୍ୟ ସରକାର ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରୁନାହାନ୍ତି, ଯାହା ଦୁଃଖର ବିଷୟ । ଶ୍ରୀ ପାତ୍ରଙ୍କ ମୁହଁରେ ନୀତି ଆଦର୍ଶର କଥା ଶୋଭା ପାଉନାହିଁ । ଏ ସରକାର କୁହାମୁଣ୍ଡା କପିଳା । ଯେ ଖାଲି କଥା କହେ ମାତ୍ର କାମ କରେ ନାହିଁ । ଅପରପକ୍ଷରେ ମୋଦି ସରକାରଙ୍କ ମୂଳ ମନ୍ତ୍ର ହେଉଛି ସବକା ସାଥ୍, ସବକା ବିକାଶ, ସବକା ପ୍ରୟାସ ଓ ସବକା ବିଶ୍ୱାସ । ସେବା ଓ ସୁଶାସନ ମୋଦି ସରକାରଙ୍କ ପ୍ରାଥମିକତା ହୋଇଛି । ତେଣୁ ଆମ ଦଳ ତରଫରୁ ଶ୍ରୀ ପାତ୍ରଙ୍କୁ ଅନୁରୋଧ ତାଙ୍କ ସରକାର ମୋଦି ସରକାରଙ୍କ ମଡେଲକୁ ରାଜ୍ୟରେ ଅନୁସରଣ କରନ୍ତୁ ବୋଲି ଶ୍ରୀ ମହାଲିଙ୍ଗ କହିଛନ୍ତି ।

Spread the love