ସଂଗଠନକୁ ସୁଦୃଢ଼ କରିବା ସହ ଜନବିରୋଧୀ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନକୁ ଓହ୍ଲାଇବ ବିଜେପି : ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର, ତା.୧୭/୧୨: ଜନବିରୋଧୀ ରାଜ୍ୟ ସରକାରଙ୍କ ମିଛ ପ୍ରତିଶୃତି ଓ ପ୍ରତାରଣା ବିରୁଦ୍ଧରେ ଭାରତୀୟ ଜନତା ପାର୍ଟୀ ଆଗାମୀ ଦିନରେ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଲଢେଇକୁ ଆହୁରି ଶାଣିତ କରିବ । ଗତ ୨୩ବର୍ଷ ଶାସନରେ ବିଜେଡି ସରକାର ଚାଷୀଙ୍କୁ ଅବହେଳା, ଯୁବକଙ୍କୁ ବେକାରୀ, ମହିଳାଙ୍କୁ ଅତ୍ୟାଚାର ଓ ବ୍ୟଭିଚାର ବ୍ୟତୀତ ଆଉ କିଛି ଦେଇନାହିଁ । ଓଡିଶାବାସୀଙ୍କୁ ଜଳସେଚନ, ବିଦ୍ୟୁତ, ବାସହୀନଙ୍କୁ ପକ୍କାଘର ଆଦି ଯୋଗାଇବାରେ ବିଫଳ ହୋଇଥିବା ଶାସକ ବିଜେଡି ଉଭୟ ସହରାଂଚଳ ଓ ଗ୍ରାମାଂଚଳ ବିକାଶରେ ବାଧକ ସାଜିଛି । ଜନବିରୋଧୀ ନବୀନ ସରକାର ଓଡ଼ିଶାବାସୀଙ୍କ ଦେଇଥିବା ମିଛ ପ୍ରତିଶୃତିକୁ ପଦାରେ ପକାଇବା ସହ ଏହାର ପର୍ଦ୍ଦାଫାଶ କରିବା ପାଇଁ ଭାରତୀୟ ଜନତା ପାର୍ଟି ସମସ୍ତ ଯୋଜନା ପ୍ରସ୍ତୁତ କରିସାରିଛି । ଏନେଇ ଆଜି ରାଜ୍ୟ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କ୍ଷେତ୍ରୀୟ ପ୍ରଭାରୀ ଶ୍ରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ଶ୍ରୀମତୀ ଡି. ପୁରନ୍ଦେଶ୍ୱରୀ, ସହପ୍ରଭାରୀ ଶ୍ରୀ ବିଜୟ ପାଲସିଂତୋମାର ଏବଂ କେନ୍ଦ୍ର ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ରଙ୍କ ସମେତ ସମସ୍ତ ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ ଓ ରାଜ୍ୟ ପଦାଧିକାରୀଗଣ ଉପସ୍ଥିତ ଥିଲେ ।

ବୈଠକ ସଂପର୍କରେ ସୁଚନା ଦେଇ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ନିକଟ ଅତୀତରେ ଶେଷ ହୋଇଥିବା ଧାମନଗର ଓ ପଦ୍ମପୁର ବିଧାନସଭାର ଉପନିର୍ବାଚନ ଫଳାଫଳକୁ ନେଇ ସମୀକ୍ଷା କରାଯାଇଥିଲା । ରାଜ୍ୟ ସରକାର ଚାଷୀମାନଙ୍କୁ ଯେଉଁଭଳି ପ୍ରତାରିତ କରିଆସୁଛନ୍ତି ଏବଂ ରାଜ୍ୟର ଚାଷ ଓ ଚାଷୀ ସମୁଦାୟଙ୍କୁ ହତ୍ୟା କରିବା ଲାଗି ଯେଉଁ ଷଡଯନ୍ତ୍ର କରୁଛନ୍ତି ଏବଂ ନିଜର ସ୍ୱାର୍ଥ ଦୃଷ୍ଟିରୁ ଯେଭଳି ବ୍ୟବହାର କରୁଛନ୍ତି ତାହାକୁ ବିଜେପି ଦୃଢ଼ ନିନ୍ଦା କରୁଛି । ଓଡ଼ିଶାର ଗ୍ରାମାଂଚଳର ସାମଗ୍ରିକ ବିକାଶ ପାଇଁ ଉର୍ଦ୍ଦିଷ୍ଟ ପଂଚାୟତରାଜ ବ୍ୟବସ୍ଥା ବା ଅନୁଷ୍ଠାନକୁ ରାଜନୈତିକ ବ୍ୟବହାର କରୁଛନ୍ତି ସରକାର । ବ୍ଲକରେ ଜିଏସ୍‌ଟି ଠକେଇ ହେଉଛି । ଜିଏସ୍‌ଟି ଠକେଇ ମୁଖ୍ୟ ନାୟକ ସାଜିଛନ୍ତି ରାଜ୍ୟ ସରକାର । ଓଡ଼ିଶା ପ୍ରଦେଶରେ ବିଜୁଳି ଉପଭୋକ୍ତାମାନଙ୍କୁ ବିଭିନ୍ନ ଆଳରେ ଆର୍ôଥକ ଅତ୍ୟାଚାର କରାଯାଉଛି । ଟାଟାପାୱାର ଆଳରେ ରାଜ୍ୟ ସରକାର ଓ ଓଇଆରସି ଏଠି ବିଦ୍ୟୁତ ଉପଭୋକ୍ତାମାନଙ୍କୁ ଅବହେଳା କରିବା, ଆର୍ôଥକ ନିଯ୍ୟାତନା ଦେବା ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଓଡ଼ିଶା ପ୍ରଦେଶର ଯୁବକ ଯୁବତୀମାନଙ୍କୁ ଚାକିରି କିମ୍ବା ନିଯୁକ୍ତି ଦେବାକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅକ୍ଷମ ହୋଇଛନ୍ତି । ଏସମସ୍ତ ବିଷୟକୁ ନେଇ ଏକ ଲଢ଼େଇର ଯୋଜନା ପ୍ରସ୍ତୁତ କରିଛି ଦଳ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ବିଭିନ୍ନ ସମୟରେ ଦଳକୁ ତୃଣମୂଳ ସ୍ତରରେ ଶକ୍ତ ହେବା ପାଇଁ ବିଜେପିର ପ୍ରଚେଷ୍ଟା ସଫଳ ହୋଇଛି । ଅତୀତ ତୁଳନାରେ ଦଳ ଅଧିକ ସଶକ୍ତ ହୋଇଛି । ଦଳକୁ ଆହୁରି ଅଧିକ ସଶକ୍ତ କରିବା ଲାଗି ଓ ସାଧାରଣ ଲୋକଙ୍କ ସହ ସଂଯୋଗ, ଲୋକ ଓ ରାଜ୍ୟ ସମସ୍ୟା ସହ ଯୋଡି ରଖିବା ପାଇଁ ଦଳକୁ କେବଳ ତୃଣମୂଳ ସ୍ତରରେ ସଶକ୍ତ କରିବା ନୁହେଁ ଜନବିରୋଧୀ ରାଜ୍ୟ ସରକାର ବିରୋଧରେ ନିର୍ଣ୍ଣାୟକ ଆନ୍ଦୋଳନର ଯୋଜନା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଛି । ଯୁବକମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅମନଯୋଗିତା ବିରୋଧରେ ବିଜେପି ଏକ ଲମ୍ବା ସମୟ ଧରି ଆନ୍ଦୋଳନ ଜାରି ରଖିବ ନିଷ୍ପତି ନେଇଛି । ବୈଠକରେ ସମସ୍ତ ଆନ୍ଦୋଳନ ପାଇଁ ସ୍ପଷ୍ଟ ଯୋଜନାର ଚୂଡାନ୍ତ ରୂପରେଖ ପ୍ରସ୍ତୁତ ହୋଇଛି । ତୃଣମୂଳସ୍ତରରେ ସଂଗଠନକୁ ମଜଭୁତ୍ କରିବା ସହ ରାଜ୍ୟ ସରକାର ତାଙ୍କର ଜନବିରୋଧୀ ନିଷ୍ପତି ପରିବର୍ତନ ନକରିବା ପର୍ଯ୍ୟନ୍ତ କ୍ରମାଗତ ଭାବେ ନିର୍ଣ୍ଣାୟକ ଆନ୍ଦୋଳନ ଜାରି ରଖିବ ଭାରତୀୟ ଜନତା ପାର୍ଟି ବୋଲି ଶ୍ରୀ ହରିଚନ୍ଦନ ସୁଚନା ଦେଇଛନ୍ତି ।
ଅର୍ଥନୈତିକ ଘଡିସନ୍ଦି ମୁହୂର୍ତରେ ଭାରତ ଯେପରି ବିଶ୍ୱରେ ନିଜର ସ୍ଥିତିକୁ ଜାହିର କରି ପାରିଛି ତାହା ସମ୍ପର୍କରେ ଆଲୋଚନା ହୋଇଥିଲା । ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ସମ୍ମିଳନୀ ଏବଂ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବଳିଷ୍ଠ ନେତୃତ୍ୱ ଉପରେ ଆଲୋଚନା କରାଯାଇଥିଲା । ଜି-୨୦ ସମ୍ମିଳନୀରେ ଓଡିଶାରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବୈଠକକୁ ସଫଳ କରିବା ସହିତ ଓଡିଶାର ସୁନାମ ବିଶ୍ୱବ୍ୟାପୀ ପହଂଚାଇବା ପାଇଁ ସମସ୍ତ ବିଜେପି କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦିଆଯାଇଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଏହି ବୈଠକ ପରେ କୋର କମିଟି ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଆଗାମୀ ଦିନର ରୋଡ ମ୍ୟାପ୍ ସମ୍ପର୍କରେ ସବିଶେଷ ଚର୍ଚ୍ଚା ଆଲୋଚନା ହୋଇଥିଲା । ସେହିପରି ଦଳର ଆନ୍ଦୋଳନ କମିଟିର ନେତୃତ୍ୱମାନେ ଏକ ବୈଠକରେ ସମ୍ମିଳୀତ ହୋଇ ଆଗାମୀ ଦିନରେ ଜନବିରୋଧୀ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନର ଖସଡା ପ୍ରସ୍ତୁତ କରାଯାଇଛି ।
ଏହି ବୈଠକରେ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ସାଧାରଣ ସଂପାଦକ ଗୋଲକ ମହାପାତ୍ର, ଡ.ଲେଖାଶ୍ରୀ ସାମନ୍ତସିଂହାର, ରବି ନାୟକ ପ୍ରମୁଖ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

Spread the love