ଦେବଗଡ଼ ଜିଲ୍ଲା ଦେଇଛି ୪ ହକି ତାରକା

ବିଶ୍ବ କପ ହକି ପାଇଁ ସାରା ରାଜ୍ୟ ଉତ୍ସବମୁଖର। ଦେବଗଡ଼ ଜିଲ୍ଲା ଦେଇଛି ୪ ଜଣ ଅନ୍ତର୍ଜାତୀୟ ହକି ତାରକା। ଜିଲ୍ଲାର ଆଦିବାସୀ ବହୁଳ ଗ୍ରାମର ରୋଶନ ମିଞ୍ଜ, ଆଶିଷ ଟପ୍ନୋ, ରଶ୍ମିତା ମିଞ୍ଜ ଓ ଆନନ୍ଦ ତିର୍କି ପୁରୁଷ ଓ ମହିଳା ଭାରତୀୟ ଦଳରେ ସ୍ଥାନ ପାଇ ଦେବଗଡ଼ ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ହକିର ବିକାଶ ଏବଂ ଖେଳାଳିଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଭିତ୍ତିଭୂମି ତିଆରି କରାଯାଇ ନାହିଁ। ଯାହା ଫଳରେ ଅନେକ ଖେଳାଳି ଆଜି ବି ନିଜର ପ୍ରୋତ୍ସାହନ ବଳରେ ଖେଳୁଥିବା ବେଳେ କାହା ପାଖରେ ଖେଳ ସାମଗ୍ରୀ ନାହିଁ ତ ଆଉ କୋଉଠି ଭଲ ଖେଳ ପଡ଼ିଆଟିଏ ନାହିଁ।

ଏହା ସହିତ ହକି ବ୍ୟତୀତ ଫୁଟ୍‌ବଲ, କବାଡ଼ି ଖେଳରେ ବହୁ ପ୍ରତିଭାବାନ ଖେଳାଳି ରହିଥିବା ‌ବେଳେ ଦେବଗଡ଼ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ସ୍ପୋର୍ଟସ ହଷ୍ଟେଲଟିଏ ପ୍ରତିଷ୍ଠା ହୋଇପାରି ନାହିଁ। ଯଦ୍ବାରା କିଛି ଖେଳାଳି ସୁନ୍ଦରଗଡ଼ ଓ ପାନପୋଷ ସ୍ପୋର୍ଟସ ହଷ୍ଟେଲରେ ରହି କ୍ରୀଡ଼ା ପ୍ରଶିକ୍ଷଣ ନେଇଛନ୍ତି। ଦେବଗଡ଼ ଜିଲ୍ଲାରେ ହକି ଖେଳର ଭିତ୍ତି ଭୂମି ରହିଥିବା ବେଳେ ସ୍ପୋର୍ଟସ ହଷ୍ଟେଲ ଓ ଭଲ ଖେଳ ପଡ଼ିଆଟିଏ ପ୍ରତିଷ୍ଠା କରିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଜିଲ୍ଲାରେ କ୍ରୀଡ଼ାର ବହୁ ସମ୍ଭାବନା ଥିଲେ ହେଁ ଏକ ବର୍ଷ ହେଲା ଜିଲ୍ଲା କ୍ରୀଡ଼ା ଅଧିକାରୀ ପଦ ଖାଲି ପଡ଼ିଛି। ଦାୟିତ୍ବରେ ରହିଛନ୍ତି ଜଣେ ଡେପୁଟି କଲେକ୍ଟର। ଜିଲ୍ଲା ପାଇଁ ତୁରନ୍ତ ସ୍ଥାୟୀ ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜ୍ୟ ସରକାର ନିଯୁକ୍ତ କରିବାକୁ ଖେଳପ୍ରେମୀ ମହଲରେ ଦାବି ହୋଇଛି।

ତିଲେଇବଣି ବ୍ଲକ୍‌ କରଡ଼ାପାଳ ଗ୍ରାମର ରୋଶନ ମିଞ୍ଜ ଭାରତୀୟ ପୁରୁଷ ହକି ଟିମ୍‌ରେ ଖେଳିବା ସୁଯୋଗ ପାଇଥିଲେ। ସେ ବେଲଜିୟମ, ଆର୍ଜେଣ୍ଟିନା, ଚିଲି, କାନାଡ଼ା, ଚୀନ୍‌ ସମେତ ଭାରତର ବିଭିନ୍ନ ରାଜ୍ୟରେ ହକି ଖେଳରେ ପ୍ରତିନିଧିତ୍ବ କରି ବର୍ତ୍ତମାନ ସୁଦ୍ଧା ୮୦ ମ୍ୟାଚ୍‌ ଖେଳି ସାରିଛନ୍ତି। ସେହିପରି କରଡ଼ାପାଳ ଗ୍ରାମର ରଶ୍ମିତା ମିଞ୍ଜ ମଧ୍ୟ ଭାରତୀୟ ମହିଳା ହକି ଦଳରେ ଖେଳିବାର ସୁଯୋଗ ପାଇଥିଲେ। ସେ ମଧ୍ୟ ଚୀନ୍‌, ନେଦରଲାଣ୍ଡ, ସ୍ପେନ୍‌, ଜାପାନ, ଅଷ୍ଟ୍ରେଲିଆ ଆଦି ବିଭିନ୍ନ ଦେଶରେ ନିଜର ଚମତ୍କାର ଖେଳ ପ୍ରଦର୍ଶନ କରିଛନ୍ତି। ଅନ୍ୟପଟେ ବରଡ଼ାତଇଲା ଗ୍ରାମର ଆଶିଷ ଟପ୍ନୋ ଭାରତୀୟ ପୁରୁଷ ହକି ‌ଦଳରେ ସ୍ଥାନ ପାଇ ଅଷ୍ଟ୍ରେଲିଆ, ଜାପାନ, ଜୁନିୟର ଜାତୀୟ ହକି ପ୍ରତିଯୋଗିତା, ସିନିୟର ହକି ପ୍ରତିଯୋଗିତା, ୨୧ ବର୍ଷରୁ କମ୍‌ ଖେଲୋ ଇଣ୍ଡିଆରେ ଖେଳିବାର ସୁଯୋଗ ପାଇଥିଲେ। ମୁଣ୍ଡ ଗୋହିରା ଗ୍ରାମର ଆନନ୍ଦ ତିର୍କି ବି ଜୁନିଅର ଭାରତୀୟ ହକି ଦଳରେ ଖେଳିବାର ସୁଯୋଗ ପାଇଥିଲେ।

ଦେବଗଡ଼ ଜିଲ୍ଲା ୪ ଜଣ ଅନ୍ତର୍ଜାତୀୟ ହକି ତାରକାଙ୍କୁ ଦେଇଥିବା ବେଳେ ଆଜି ବି ହକି ଖେଳର ଯେତିକି ବିକାଶ ହେବା କଥା ଜିଲ୍ଲାରେ ସେତିକି ହୋଇପାରି ନାହିଁ। ବର୍ତ୍ତମାନ ରାଜ୍ୟ ସରକାର ହକି ବିଶ୍ବ କପ୍‌ ଅବସରରେ ହକି ଖେଳର ବିକାଶ ନିମନ୍ତେ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଦେବଗଡ ଜିଲ୍ଲାରେ ଭଲ ଖେଳପଡ଼ିଆ ଓ ସ୍ପୋର୍ଟସ ହଷ୍ଟେଲର ନିର୍ମାଣ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ମତ ପ୍ରକାଶ ପାଇଛି।

Spread the love