ହକି ବିଶ୍ବକପ୍‌: ବିଜୟରୁ ଭାରତର ବିଶ୍ବକପ୍‌ ଅଭିଯାନ ଆରମ୍ଭ

ରାଉରକେଲା : ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଚଳିତ ହକି ବିଶ୍ବକପ୍‌ର ଦ୍ବିତୀୟ ମ୍ୟାଚ୍‌ରେ ସ୍ପେନ୍‌କୁ ପରାସ୍ତ କରି ଆୟୋଜକ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ବିଶ୍ବ ମାନ୍ୟତା ତାଲିକାର ଷଷ୍ଠ ସ୍ଥାନରେ ଥିବା ଶକ୍ତିଶାଳୀ ଭାରତ ୨-୦ ଗୋଲ୍‌ରେ ପ୍ରତିପକ୍ଷ ସ୍ପେନ୍‌କୁ ପରାସ୍ତ କରିଛି। ମ୍ୟାଚ୍‌ର ଦ୍ବାଦଶ ମିନିଟ୍‌ରେ ସୁନ୍ଦରଗଡ଼ ମାଟିର ପୁଅ ତଥା ଭାରତୀୟ ଦଳର ଉପଅଧିନାୟକ ଅମିତ ରୋହିଦାସ ପେନାଲ୍‌ଟି କର୍ଣ୍ଣର୍‌କୁ ଚମତ୍କାର ଗୋଲ୍‌ରେ ପରିଣତ କରିଥିଲେ। ଅମିତଙ୍କ ଏହି ଗୋଲ୍‌ ବଳରେ ଦଳ ୧-୦ରେ ଆଗୁଆ ରହିଥିଲା। ଅମିତଙ୍କ ଷ୍ଟିକ୍‌ରୁ ପ୍ରଥମ ଗୋଲ୍‌ ପରେ ସମର୍ଥକଙ୍କ ଉତ୍ସାହରେ ଫାଟି ପଡ଼ିଥିଲା ଷ୍ଟାଡିୟମ। ବେଶ୍‌‌ କିଛି ସମୟ ପର୍ଯ୍ୟନ୍ତ ଦର୍ଶକ ‘ଅମିତ… ଅମିତ..’ ନାଁ ଧରି ଚିତ୍କାର କରିଥିଲେ। ମ୍ୟାଚ୍‌ର ୨୬ତମ ମିନିଟ୍‌ରେ ହାର୍ଦ୍ଦିକ ସିଂହଙ୍କ ଆକର୍ଷଣୀୟ ଫିଲ୍‌ଡ ଗୋଲ୍‌ ବଳରେ ଦଳ ୨-୦ରେ ଆଗୁଆ ହୋଇଯାଇଥିଲା ତେବେ ମ୍ୟାଚ୍‌ରେ ଭାରତୀୟ ଖେଳାଳି ୫ଟି ପେନାଲଟି କର୍ଣ୍ଣର୍‌ (୧୧, ୧୨, ୧୩, ୩୭, ୪୩ ମିନିଟ୍‌)କୁ ହାତଛଡ଼ା କରିଥିଲେ। ଏତଦ୍‌ବ୍ୟତୀତ ମ୍ୟାଚ୍‌ର ୩୨ତମ ମିନିଟ୍‌ରେ ମିଳିଥିବା ପେନାଲ୍‌ଟି ଷ୍ଟ୍ରୋକ୍‌କୁ ମଧ୍ୟ ଭାରତ ମିସ୍‌ କରିଥିଲା।

ଭାରତ ପକ୍ଷରୁ ଅଧିନାୟକ ହର୍ମନପ୍ରୀତ ସିଂହଙ୍କ ଏହି ପ୍ରୟାସ ବିଫଳ ଯାଇଥିଲା। ରେଫରାଲ ପରେ ବଲ୍‌ ଗୋଲ୍‌ଲାଇନ୍‌ ଟପିନଥିବା ସ୍ପଷ୍ଟ ହୋଇଥିଲା। ବିପକ୍ଷ ସ୍ପେନ୍‌ ଖେଳାଳି ମଧ୍ୟ ୩ଟି ପେନାଲ୍‌ଟି କର୍ଣ୍ଣର (୨୪, ୫୩ ଓ ୫୭ ମିନିଟ୍‌)ର ଫାଇଦା ଉଠାଇପାରିନଥିଲେ। ଭାରତୀୟ ଗୋଲ୍‌ ରକ୍ଷକ ପି.ଆର. ଶ୍ରୀଜେଶ୍‌ ଓ କ୍ରିଷନ ବାହାଦୂର ପାଠକ ନିଶ୍ଚିତ ଗୋଲ୍‌କୁ ରୋକିଥିଲେ। ସ୍ପେନ୍‌ ଗୋଟିଏ ବି ଗୋଲ୍‌ ଶୁଝିନପାରି ପରାଜୟ ପାଇଁ ବାଧ୍ୟ ହୋଇଥିଲା। ମ୍ୟାଚ୍‌ ବେଳେ ଭାରତୀୟ ଖେଳାଳି ଆକାଶଦୀପ ସିଂହ ଗ୍ରିନ୍‌ କାର୍ଡ ଓ ଅଭିଷେକ ୟେଲୋ କାର୍ଡ ପାଇଥିଲେ। ସ୍ପେନ୍‌ର କ୍ୟୁନିଲ ପେପ୍‌ଙ୍କୁ ଗ୍ରିନ କାର୍ଡ ଓ ରେନେ ମାର୍କଙ୍କୁ ୟେଲୋ କାର୍ଡ ମିଳିଥିଲା।

ଭାରତ ଓ ସ୍ପେନ ମୁକାବିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ମ୍ୟାଚ୍‌ ପୂର୍ବରୁ ପଡ଼ିଆ ଭିତରକୁ ଯାଇ ଉଭୟ ଦଳର ଖେଳାଳିଙ୍କ ସହ କରମର୍ଦ୍ଦନ କରିଥିଲେ। ଅମିତ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସିକିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମ‌ାଙ୍ଗଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲା ବେଳେ ଏଫ୍‌ଆଇଏଚ୍‌ ସଭାପତି ତୟାବ ଇକ୍ରାମ, ହକି ଇଣ୍ଡିଆ ସଭାପତି ଦିଲିପ ତିର୍କି, ସଂପାଦକ ଭୋଳାନାଥ ସିଂହ ଉପସ୍ଥିତ ଥିଲେ।

ଭାରତ ସପକ୍ଷରେ ୨୧ ହଜାର ଦର୍ଶକ
ନବନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମ ହେଉଛି ପାଖାପାଖି ୨୧ ହଜାର ଦର୍ଶକ କ୍ଷମତା ବିଶିଷ୍ଟ। ରାଉରକେଲାରେ ଉଦ୍‌ଘାଟନୀ ମ୍ୟାଚ୍‌ର ମଜା ନେବାକୁ ହାତଛଡ଼ା କରିନଥିଲେ ହକିପ୍ରେମୀ। କେବଳ ସୁନ୍ଦରଗଡ଼ ଜିଲ୍ଲା ନୁହେଁ ବରଂ ପଡ଼ୋଶୀ ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗରୁ ରାଉରକେଲାକୁ ଧାଇଁ ଆସିଥିଲେ ଦର୍ଶକ। ଇଂଲଣ୍ଡ ଓ ୱେଲସ୍‌ ମ୍ୟାଚ୍‌ ସରିବା ପୂର୍ବରୁ ପୁରି ଉଠିଥିଲା ଦେଶର ଅନ୍ୟତମ ବୃହତ୍ତମ ଷ୍ଟାଡିୟମ। ଜାତୀୟ ସଙ୍ଗୀତ ସମୟରେ ନିଆରା ଦୃଶ୍ୟ ପରିଲକ୍ଷିତ ହୋଇଥିଲା। ୨୧ ହଜାର ଦର୍ଶକ ଛିଡ଼ା ହୋଇ ଜାତୀୟ ସଙ୍ଗୀତକୁ ସମ୍ମାନ ଜଣାଇଥିଲେ। ଜାତୀୟ ସଙ୍ଗୀତ ଶେଷ ହେବାପରେ ‘ଭାରତ ମାତା କି ଜୟ..’, ‘ଜିତେଗା ଭାଇ ଜିତେଗା, ଇଣ୍ଡିଆ ଜିତେଗା..’ ଆଦି ସ୍ଲୋଗାନରେ କମ୍ପି ଉଠିଥିଲା ଷ୍ଟାଡିୟମ। ମ୍ୟାଚ୍‌ର ପ୍ରଥମ ସେକେଣ୍ଡ୍‌ରୁ ଦର୍ଶକ ଭାରତୀୟ ଖେଳାଳିକୁ ସମର୍ଥନ ଆରମ୍ଭ କରିଦେଇଥିଲେ; ଯାହାକି ମ୍ୟାଚ୍‌ ସାରା ବଳବତ୍ତର ରହିଥିଲା। ବଲ୍‌ ଭାରତୀୟ ଖେଳାଳିଙ୍କ ନିୟନ୍ତ୍ରଣକୁ ଆସିଲେ, ଦର୍ଶକଙ୍କ ଚିତ୍କାର ଦ୍ବିଗୁଣିତ ହୋଇଯାଉଥିଲା।

Spread the love