ବାପ ମା’ଙ୍କ ପାଇଁ ଜେଲ୍ ଭିତରେ ରହିବ ୨ ବର୍ଷର ନିଷ୍ପାପ ଶିଶୁ

ବାପ ମାଙ୍କ କର୍ମରେ ସନ୍ତାନ ହୁଏ ସୁଖୀ, ଏହା ସମସ୍ତେ ଶୁଣିଥିବେ। ହେଲେ ବାପ ମାଙ୍କ କର୍ମ ପାଇଁ ଏକ ଦୁଇ ବର୍ଷର ନିଷ୍ପାପ ଶିଶୁପୁତ୍ର ଜେଲ୍ ହାଜତକୁ ଯିବା ଭଳି ହୃଦୟ ବିଦାରକ ଘଟଣା ସୁକିନ୍ଦା ଅଂଚଳରେ ଆଲୋଡନ ସୃଷ୍ଟି କରିଛି। ଶିଶୁ ପୁତ୍ରର ବାପା ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଷଣ୍ଢବା ଗ୍ରାମ ଗୁରୁଚରଣ ଜେନାଙ୍କ ପୁଅ ପ୍ରଦୀପ ଜେନା(୨୮)ଓ ମା ଚନ୍ଦ୍ରକଳା ଜେନା(୨୨)। ଉଭୟ ସୁକିନ୍ଦା ଅଞ୍ଚଳର କିଛି ବର୍ଷ ରହିବା ପରେ ଅନେକ ମହିଳାଙ୍କ ଠାରୁ ଦଶ ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟ୍ କରି ଫେରାର ହୋଇଯାଇଥିବା ନେଇ ଦମ୍ପତିଙ୍କ ନାଁ ରେ ସୁକିନ୍ଦା ଥାନାରେ ଗତ ୨୧ ତାରିଖରେ ଅଭିଯୋଗ ହୋଇଥିଲା। ଥାନା ଅଧିକାରୀ କାବୁଲି ବାରିକ କେସ ନଂ୨୭୧/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରି ଉଭୟ ଦମ୍ପତିଙ୍କୁ ଗିରଫ କରିବା ପାଇଁ ବ୍ଳୁପ୍ରିଣ୍ଟ ତିଆରି କରିଥିଲେ।

ଗତ ଗୁରୁବାର ବିଳମ୍ବିତ ରାତିରେ ଚନ୍ଦ୍ରକଳାଙ୍କୁ ତାଙ୍କ ବାପ ଘରୁ (ଠାକୁରମୁଣ୍ଡା) ଗିରଫ କରିବାରେ ସଫଳ ହୋଇଥିଲେ। ଗିରଫ ସମୟରେ ତାଙ୍କର ଏକ ଦୁଇ ବର୍ଷର ଶିଶୁ ପୁତ୍ର ମଧ୍ୟ ସୁକିନ୍ଦା ଥାନାକୁ ଆସିଥିଲା। ଶୁକ୍ରବାର ଦିନ ସ୍ଥାନୀୟ ଅଞ୍ଚଳର ୧୦ରୁ ଉର୍ଦ୍ଧ ମହିଳା ସୁକିନ୍ଦା ଥାନାରେ ପହଞ୍ଚି ସେମାନଙ୍କ ଠାରୁ ସଂପୃକ୍ତ ମହିଳା ଲୁଟ୍ କରିଥିବା ଅଭିଯୋଗ କରିଥିଲେ। ଏନେଇ ପୋଲିସ କେସ ନଂ ୨୭୧/୨୨ରେ ଦଫା ୪୨୦,୪୦୬ ରେ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରିଛି। କୋର୍ଟରେ ଜାମିନ ଆବେଦନ ଖାରଜ ହୋଇଯିବାରୁ ସଂପୃକ୍ତ ମହିଳାଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଆଇନ ଅନୁଯାୟୀ ଯେ ପର୍ଯ୍ୟନ୍ତ ଶିଶୁଟି ଜେଲରେ ରହିବ ତାର ସମସ୍ତ ଭରଣପୋଷଣ ଯେପରିକି ଖାଦ୍ୟପେୟ ପୋଷାକ ଆଦି ଦାୟିତ୍ୱ ତୁଲାଇବେ ଜେଲ କର୍ତ୍ତୃପକ୍ଷ । ବାପ ମାଙ୍କ ଭୁଲ ପାଇଁ ନିଷ୍ପାପ କୋମଳମତି ଶିଶୁପୁତ୍ରକୁ ମା ସହ ଜେଲ୍ ଯିବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି।

Spread the love