ଉର୍ଫିଙ୍କ ପୋଷାକ ବିବାଦ; ଅଭିନେତ୍ରୀଙ୍କୁ ନୋଟିସ୍‌ ପଠାଇ ଡକାଇଲା ମୁମ୍ବାଇ ପୁଲିସ୍‌

ମୁମ୍ବାଇ: ଲୋକପ୍ରିୟ ଟିଭି ସୋ’ ‘ବିଗ୍‌ ବସ୍’ ଖ୍ୟାତି ସଂପନ୍ନ ଅଭିନେତ୍ରୀ ଉର୍ଫି ଜାଭେଦ ଓ  ଭାରତୀୟ ଜନତା ପାର୍ଟି (ବିଜେପି) ନେତ୍ରୀ ଚିତ୍ରା କିଶୋର ୱାଘଙ୍କ ମଧ୍ୟରେ ବିବାଦ ଥମିବାରେ ନାଁ ଧରୁନି। ଉର୍ଫିଙ୍କ ‌ପୋଷାକକୁ ନେଇ ଅଶାଳୀନ ମନ୍ତବ୍ୟ ଦେଇଥିବା ବିଜେପି ନେତ୍ରୀଙ୍କ ବିରୋଧରେ ଶୁକ୍ରବାର  ଅଭିଯୋଗ ଦାଖଲ କରିଥିଲେ ଉର୍ଫି ଜାଭେଦ। ଏବେ ଅଭିନେତ୍ରୀଙ୍କୁ ନୋଟିସ୍‌ ପଠାଇଛି ମୁମ୍ବାଇ ପୁଲିସ୍‌।

ଉର୍ଫିଙ୍କ ଓକିଲ ନୀତୀନ ସାତପୁଟେ ଗତକାଲି କହିଥିଲେ ଯେ ଓଟିଟି ତାରକା ଉର୍ଫି ମହାରାଷ୍ଟ୍ର ରାଜ୍ୟ ମହିଳା କମିଶନଙ୍କ ନିକଟରେ ତାଙ୍କର ଅଭିଯୋଗ ଦାୟର କରିଛନ୍ତି। ସାର୍ବଜନୀନ ପରିସରରେ ଅଭିନେତ୍ରୀଙ୍କୁ  କ୍ଷତି ପହଞ୍ଚାଇବା ପାଇଁ ଧମକ ଦେବା ଏବଂ ଅପରାଧିକ କାର୍ଯ୍ୟ ପାଇଁ ୱାଘଙ୍କ ବିରୋଧରେ ଅଭିଯୋଗ ଦାଖଲ କରାଯାଇଥିଲା।

ପୂର୍ବରୁ ବିଜେପି ନେତ୍ରୀ ପ୍ରଥମେ ଉର୍ଫିଙ୍କ ପୋଷାକ ମୁମ୍ବାଇର ବାତାବରଣକୁ ଖରାପ କରୁଛି ବୋଲି ଅଭିଯୋଗ ଆଣି ମହିଳା ଆୟୋଗଙ୍କ ଦ୍ବାରସ୍ଥ ହୋଇଥିଲେ। ମହିଳା ଆୟୋଗ ସେତେଟା ଗୁରୁତ୍ବ ନଦେବାରୁ ସେ ମୁମ୍ବାଇ ପୁଲିସ୍‌ ନିକଟକୁ ଯାଇଥିଲେ। ଏବେ ମୁମ୍ବାଇର ଅମ୍ବୋଲି ପୁଲିସ୍‌ ଉର୍ଫିଙ୍କୁ ନୋଟିସ୍‌ ପଠାଇ ଡକାଇଛି। ଉର୍ଫିଙ୍କୁ ପୁଲିସ୍‌ ଷ୍ଟେସନ୍‌ରେ ପହଞ୍ଚିବା ପାଇଁ ନୋଟିସ୍‌ ପଠାଇବା ସହ ମୁମ୍ବାଇ ପୁଲିସ୍‌ କମିସନର୍‌ ମାମଲାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଉର୍ଫି ଜାଭେଦ ଓକିଲଙ୍କ ଜରିଆରେ ଆଗତ କରିଥିବା ନିଜର ଅଭିଯୋଗରେ କହିଛନ୍ତି ଯେ, ମୁଁ ବିଜେପି  କର୍ମୀ  ଚିତ୍ରକିଶୋର ୱାଘଙ୍କ ବିରୋଧରେ ଆଇପିସିର ଧାରା ୫୦୪, ୫୦୬, ୫୦୬(୨)  ଆଧାରରରେ ଅଭିଯୋଗ କରିଛି।  ସର୍ବସାଧାରଣରେ କ୍ଷତି ପହଞ୍ଚାଇବା ପାଇଁ ମୋତେ ଧମକ ମଧ୍ୟ ମିଳିଛି। ଏଣୁ ମୋର ସୁରକ୍ଷା ପାଇଁ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ ମୁଁ କମିଶନଙ୍କୁ ଅନୁରୋଧ କରିଛି।

Spread the love