ହକି ବିଶ୍ବକପ୍‌: ନ୍ୟୁଜିଲାଣ୍ଡ୍‌ ଓ ନେଦରଲାଣ୍ଡ୍‌ସର ଏକତରଫା ବିଜୟ

ରାଉରକେଲା: ଶନିବାର ଅପରାହ୍ନରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ହକି ବିଶ୍ବକପ୍‌ ଗ୍ରୁପ୍‌ ସିର ଦୁଇଟି ମ୍ୟାଚ୍‌ ଖେଳାଯାଇଛି। ନ୍ୟୁଜିଲାଣ୍ଡ୍‌ ୩-୧ ଗୋଲ୍‌ରେ ଚିଲିକୁ ପରାସ୍ତ କରିଛି। ନ୍ୟୁଜିଲାଣ୍ଡ୍‌ର ଲେମ୍‌ ସାମ୍‌ ମ୍ୟାଚ୍‌ର ୯ମ ମିନିଟ୍‌ରେ ପ୍ରଥମ ଗୋଲ୍‌ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ପରେ ହିହା ସାମ୍‌ ଲଗାତାର ଦୁଇ ଗୋଲ୍‌( ୧୧ ଓ ୧୮ ମିନିଟ୍‌) ଦେଇ ସ୍ଥିତି ସୁଦୃଢ଼ କରିଥିଲେ। ଚିଲି ଖେଳାଳି ପ୍ରତ୍ୟାବର୍ତ୍ତନ ପାଇଁ ପ୍ରୟାସ କରିଥିଲେ ମଧ୍ୟ ସବୁ ବୃଥା ଯାଇଥିଲା। ଦଳର କଣ୍ଟାର୍ଡୋ ଇଗ୍ନାସିଓ ମ୍ୟାଚ୍‌ର ୪୯ତମ ମିନିଟ୍‌ରେ ଗୋଟିଏ ଗୋଲ୍‌ ଦେଇ ପରାଜୟ ବ୍ୟବଧାନ ହ୍ରାସ କରିଥିଲେ।
ମାଲେସିଆ ବିପକ୍ଷ ଦ୍ବିତୀୟ ମ୍ୟାଚ୍‌ରେ ନେରଲାଣ୍ଡ୍‌ସ ଖେଳାଳି ଚମତ୍କାର ପ୍ରଦର୍ଶନ କରିଥିଲେ। ମ୍ୟାଚ୍‌ ସାରା ନେଦରଲାଣ୍ଡ୍‌ସ ଖେଳାଳିଙ୍କ ଆଧିପତ୍ୟ ଦେଖିବାକୁ ମିଳିଥିଲା। ମ୍ୟାଚ୍‌ର ୧୯ତମ ମିନିଟ୍‌ରେ ଭାନ ଡାମ୍‌ ଥିସ୍‌ ଏକ ଚିତ୍ତାକର୍ଷକ ଫିଲ୍‌ଡ ଗୋଲ ଦେଇ ଦଳକୁ ଆଗୁଆ କରିଥିଲେ। ଏହାପରେ ଜାସେନ ଜିପ୍‌ (୨୩), ବେନ୍‌ସ ଟିଉନ (୪୬) ଗୋଲ୍‌ ଦେଇ ବ୍ୟବଧାନ ବଢ଼ାଇଥିଲେ। ଖେଳ ସମୟ ଶେଷ ହେବାର ମାତ୍ର ୧୪ ସେକେଣ୍ଡ୍‌ ପୂର୍ବରୁ କ୍ରୁନ୍‌ ଜୋରିଟ୍‌ ଏକ ଫିଲ୍‌ଡ ଗୋଲ୍‌ ଦେଇ ଷ୍ଟାଇଲ୍‌ରେ ମ୍ୟାଚ୍‌ ଶେଷ କରିଥିଲେ। ମାଲେସିଆ ଖେଳାଳି ଗୋଟିଏ ବି ଗୋଲ୍‌ ପରିଶୋଧ କରିନପାରି ୦-୪ରେ ପରାଜୟ ଭୋଗିଛନ୍ତି।

Spread the love