ବ୍ରାଣ୍ଡସ୍ ଅଫ ଓଡିଶା ପ୍ରାଇଡ ଅଫ ଇଣ୍ଡିଆରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବ୍ରାଣ୍ଡସ ଅଫ୍ ଓଡ଼ିଶା, ପ୍ରାଇଡ ଅଫ୍ ଇଣ୍ଡିଆର ଷଷ୍ଠ ସଂସ୍କରଣରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ଇତିହାସ ଓ ଓଡ଼ିଶାର ଭବିଷ୍ୟତକୁ ନେଇ ବଡ ବୟାନ ଦେଇଛନ୍ତି । ବ୍ରାଣ୍ଡର ଅର୍ଥ କଣ ତାହାକୁ ବୁଝାଇବା ସହ ଏମିତି କିଛି ଇତିହାସ ରହିଛି ଯାହାକୁ ଗ୍ରହଣ କରିବେନି ବୋଲି କହିଛନ୍ତି ଧର୍ମେନ୍ଦ୍ର ।  ବ୍ରାଣ୍ଡ ହେଉଛି ଅସୀମ । ହିମାଳୟ, ସାଗର, ଖାରବେଳ, ଓଡ଼ିଆ ଭାଷା ହେଉଛି ବ୍ରାଣ୍ଡ । କିନ୍ତୁ ବ୍ରାଣ୍ଡ କଣ କେବଳ ବ୍ୟବସାୟ, ବାଣିଜ୍ୟ ଭିତରେ ସୀମିତ ରହିବା ଆବଶ୍ୟକ କି? ମଣିଷକୁ ଆଗକୁ ବଢିବାର ହେଲେ ଗୋଟିଏ ପରିଚୟ ଦରକାର । ଆଉ ସେହି ପରିଚୟର ବାସ୍ତବିକ ରୂପ ହେଉଛି ବ୍ରାଣ୍ଡ । ଆଉ ଓଡ଼ିଶାବାସୀ  ହେଉଛନ୍ତି ବିଶ୍ୱର ବଡ ବ୍ରାଣ୍ଡର ବ୍ରାଣ୍ଡ ଆମ୍ବାସଡର । ମହାପ୍ରଭୁଙ୍କ ଆଶୀର୍ବାଦ କାରଣରୁ ଓଡ଼ିଶା ପାଇଁ ଅନେକ ସୁଯୋଗ ଓ ସମ୍ଭାବନା ସୃଷ୍ଟି ହୋଇଛି ।

ସେହିଭଳି ଓଡ଼ିଶାର ଇତିହାସକୁ ନେଇ ଧର୍ମେନ୍ଦ୍ର କହିଛନ୍ତି, ଇତିହାସ ସବୁବେଳେ ଶକ୍ତିଶାଳୀ ଲୋକ ଲେଖେ । ତେଣୁ ବାହୁ ବଳ ନହେଲେ ଅର୍ଥ ବଳରେ ଇତିହାସ ଜରିଆରେ ପ୍ରତିପକ୍ଷକୁ ନୀଚା ଦେଖାଇବାକୁ ପ୍ରତିପତ୍ତିଶାଳୀ ଲୋକ ଚାହିଁଥାଏ । ଧଉଳିରେ କଳିଙ୍ଗ ଯୁଦ୍ଧର ବର୍ଣ୍ଣନା କରାଯାଇଛି । ଯେଉଁଠି ସମ୍ରାଟ ଅଶୋକଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକକୁ ଆସିଥିବା କୁହାଯାଇଛି । କିନ୍ତୁ ଏହାକୁ ଗ୍ରହଣ କରିବା ମୋ ପକ୍ଷେ ସମ୍ଭବ ନୁହେଁ । କାରଣ ଆମର ପୂର୍ବଜ ଏତେ ପ୍ରଭାବଶାଳୀ ନଥିଲେ, ଏକ ଲକ୍ଷ ଲୋକ ମରିବା ପରେ ମନରେ ଯେଉଁ ଗ୍ଲାନି ଥିଲା ତାହାକୁ ଦୂର କରି ଇତିହାସ ଲେଖିବା ସମ୍ଭବପର ନଥିଲା । ଯଦି ମୁଁ ଇତିହାସ ଲେଖିଥାନ୍ତି ତେବେ ଅଶୋକଙ୍କ ହିଂସକ ନୀତିକୁ କିଭଳି ବୀର ଓଡ଼ିଆ ଜାତି ପ୍ରତିରୋଧ କରିଥିଲା ତାହା ବର୍ଣ୍ଣନା କରିଥାନ୍ତି ।

ଓଡ଼ିଶାର ଇତିହାସ ହଜାର ହଜାର ବର୍ଷ ପୂର୍ବର । ଓଡ଼ିଶାର ବ୍ରାଣ୍ଡ ଧର୍ମପଦ । ଯିଏ ଆମ ଜାତିର ପରିଚୟ । ଯିଏ ଜାତି ପାଇଁ ତ୍ୟାଗ କରିଛି  । କିନ୍ତୁ ଏବେ ବି କିଛି ପ୍ରଭାବଶାଳୀ ଚେଷ୍ଟା କରୁଛନ୍ତି ଓଡ଼ିଶାର ଇତିହାସକୁ ବିଂଶ ଶତାବ୍ଦୀରେ ସୀମିତ ରଖିବାକୁ । ଓଡ଼ିଶାର ପରିଚୟ ଜଣେ ଦୁଇ ଜଣ ବ୍ୟକ୍ତିଙ୍କ ହାତରେ ରହିଛି । ସ୍ୱାଧୀନତାର ୭୫ ବର୍ଷ ପରେ ବି ଏହି ଅପଚେଷ୍ଟା କରାଯାଇଛି, ଯେପରି ଇତିହାସ ଦୁଇ ଚାରି ପରିବାର ଭିତରେ ସୀମିତ ରହିବ । ସେହି ଇତିହାସରେ ଅନେକ ଓଡ଼ିଆ ସଂଗ୍ରାମୀଙ୍କର ନାଁ ନାହିଁ । ସ୍ୱାଧୀନତା ପରଠାରୁ ଆଜି ଯାଏଁ ଓଡ଼ିଶାର ବିକାଶରେ ସବୁ ମୁଖ୍ୟମନ୍ତ୍ରୀଙ୍କର ଅବଦାନ ଅଛି । ନନ୍ଦିନୀ ଦେବୀଙ୍କ ପ୍ରୟାସରେ ନ ତାଲା, ଜାନକୀ ପଟ୍ଟନାୟକଙ୍କ ୧୦୦୦ ଦିନରେ ୧୦୦୦ ଶିଳ୍ପ ଭିଜନ ଓଡ଼ିଶାର ବ୍ରାଣ୍ଡର ଗୋଟିଏ ଗୋଟିଏ ପ୍ରତୀକ ।

ଭାରତ ଏବେ ଜି-୨୦ର ଆୟୋଜକ ରହିଛି । ପୃଥିବୀର ବଡ ବଡ ଦେଶ ଓ ବଡ ସଙ୍ଗଠନ ଏଠାରେ ଏକାଠି ହେବେ । ଭାରତ ଏବେ ବିଶ୍ୱର ୧୩୦ ଗରିବ ଦେଶଙ୍କ ପାଇଁ ଭଏସ ଅଫ୍ ଗ୍ଲୋବାଲ ସାଉଥ ମଞ୍ଚ ତିଆରି କରି ଏକାଠି କଲା । ଗରିବ ଦେଶ ଗୁଡିକର ଆବଶ୍ୟକତା କଣ ରହିଛି ଓ କିଭଳି ଧନୀ ଦେଶ ଏ ଦିଗରେ ସହଯୋଗ କରିପାରିବେ ତାହାର ମାଧ୍ୟମ ସାଜିବାକୁ ଆଗଭର ହୋଇଛି ଭାରତ  । ବିଦେଶୀ ଶକ୍ତି ଠାରୁ ମୁକ୍ତି ପାଇବାର ୭୫ ବର୍ଷ ପୂରା ହୋଇଛି । ଯେଉଁ ବ୍ରିଟିଶ ଆମକୁ ଦୀର୍ଘ ୨୦୦ ବର୍ଷ ଧରି ପରାଧୀନ କରି ରଖିଥିଲେ ଏବେ ସେହି ଦେଶର ପ୍ରଧାନମନ୍ତ୍ରୀ ଭାରତୀୟ ବଂଶୋଦ୍ଭବ । ସେହିଭଳି ବିଶ୍ୱରେ ଭାରତର ଅର୍ଥନୀତି ୨୦୧୪ ପୂର୍ବରୁ ୧୧ ନମ୍ବର ସ୍ଥାନରେ ଥିଲା ଏବେ କିନ୍ତୁ ବ୍ରିଟିଶକୁ ପଛରେ ପକାଇଲା ଭାରତ । ଆଗକୁ ଭାରତର ସମୟ ଆସୁଛି ।

ବିଶ୍ୱରେ ୧୦୦ ଟଙ୍କା କାରବାର ହେଲେ ଏହାର ୪୦ ପ୍ରତିଶତ ଅଥାର୍ତ ୪୦ ଟଙ୍କା ଡିଜିଟାଲ କାରବାର ଭାରତରେ ହେଉଛି । ବିଦେଶରେ ଡାଟାର ଦର କେତେ ଓ ଭାରତରେ ଡାଟାର ଦର କେତେ ତାହା ଜାଣିଲେ ଆଶ୍ଚଯ୍ୟ ହେବେ । ଆଗାମୀ ଦିନରେ ଭାରତର ବଜାରକୁ ବିଶ୍ୱ ସହ ଓ ବିଶ୍ୱର ବଜାରକୁ ଭାରତ ସହ ଯୋଡିବାର ଏ ହେଉଛି ଚାବିକାଠି । ଏ ସମ୍ଭାବନା ଏବେ ଭାରତରେ ଦେଖାଦେଇଛି । ଆଉ ଏହି ସମ୍ଭାବନାର ସହଜ ସ୍ଥାନ ହେଉଛି ଓଡ଼ିଶା । ଭାରତର ମୂଳପୁଞ୍ଜି ହେଲା ବୌଦ୍ଧିକ କ୍ଷମତା । ଏକବିଂଶ ଶତାବ୍ଦୀର ଅର୍ଥନୀତି ହେଉଛି ବୌଦ୍ଧିକ ଜ୍ଞାନର ଅର୍ଥନୀତି । ଆଉ ଓଡ଼ିଶା ଏହାର କେନ୍ଦ୍ରସ୍ଥଳୀ ହୋଇପାରିବ । ଏଠାରେ ଅନେକ ସମ୍ଭାବନା ରହିଛି ।

କରୋନା କାଳରେ ସୁବ୍ରତ ବାଗଚୀ ଯଦି ବୁଝାଇବା ପାଇଁ ନଥାନ୍ତେ ତେବେ ଓଡ଼ିଶାବାସୀଙ୍କ ମନରୁ ଡର ଦୂର ହୋଇ ଦମ୍ଭ କିଭଳି ଆସିଥାନ୍ତା । ସମାଜରେ ଡର ଥିବା ବେଳେ ଲୋକଙ୍କୁ ଆଶ୍ୱସ୍ତ କରିବାର ଆବଶ୍ୟକତା ଥାଏ । ସେତେବେଳେ କୌଣସି ନେତା ଓ ଅଧିକାରୀ ବୁଝାଇଥିଲେ ହୁଏତ ଓଡ଼ିଶାବାସୀ ସେତେଟା ଆଶ୍ୱସ୍ତ ହୋଇନଥାନ୍ତେ ।  କିନ୍ତୁ ସୁବତ୍ର ବାଗଚୀଙ୍କ କଥାରେ ଲୋକେ ଆଶ୍ୱସ୍ତ ହୋଇଥିଲେ । ଏହା ହିଁ ଜଗନ୍ନାଥଙ୍କ ଇଚ୍ଛା ଥିଲା । ସୁବ୍ରତ ବାଗଚୀ ଯେଉଁ ସମ୍ପତ୍ତି କମାଇଛନ୍ତି ସେଥିରୁ ୧୦୦୦ କୋଟି ଟଙ୍କା ହସ୍ପିଟାଲ ନିର୍ମାଣ ପାଇଁ ଦେଇଦେଲେ । ଏହା ହିଁ ତ ବ୍ରାଣ୍ଡ । ଓଡ଼ିଆ ଲୋକଙ୍କ ପାଖରେ ସମ୍ପନ୍ନତା ହେଲେ ସାମାଜିକ ବିତରଣରେ ଏହାକୁ ଉପଯୋଗ କରିବାକୁ ସୁଯୋଗ ଖୋଜାଯାଏ । ଏହା ହିଁ ତ ଓଡ଼ିଶାର ଚରିତ୍ର । ବିଶ୍ୱ  ବହୁତ ତୀବ୍ରତାର ସହ ସଙ୍କୁଚିତ ସ୍ଥାନ ହେବାକୁ ଯାଉଛି  । ଭାରତରେ ୫-ଜି ଆସି ସାରିଲାଣି । ଦୁନିଆର ସବୁଠୁ ଆଧୁନିକ ମଡେଲ ହେଲା ଡିଜିଟାଲ ଦୁନିଆ । ଆଉ ଏହି ଦୁନିଆରେ ଭାରତ ଧୀରେ ଧୀରେ ନେତୃତ୍ୱ ନେବାକୁ ଆଗକୁ ବଢୁଛି । ଆଉ ଓଡ଼ିଶା ମଧ୍ୟ ଏହି ଯାତ୍ରାରେ ଆଗରେ ରହିବ । ଓଡ଼ିଶାର ବ୍ରାଣ୍ଡ ଆଗକୁ ଭାରତକୁ ନେତୃତ୍ୱ ଦେବ । ଭାରତ ନେତୃତ୍ୱ ନେଲେ ବିଶ୍ୱରେ ଗର୍ବିତ ହେବ । ଓଡ଼ିଆଙ୍କର ଚରିତ୍ର ହେଉଛି ବିଶ୍ୱସ୍ତରୀୟ । ଓଡ଼ିଆ ମାନେ ଭୁଲ ଓ ଠିକ୍ ଭଲଭାବରେ ବୁଝିପାରନ୍ତି । ତେଣୁ ଅର୍ଜୁନ ହେବାକୁ ଚେଷ୍ଟା କରନ୍ତୁ ଓଡ଼ିଆ ।  ଅର୍ଜୁନ ଓ ଅଭିମନ୍ୟୁଙ୍କ ଭଳି ସାହସିକତା ଦେଖାନ୍ତୁ  ଓ ଚକ୍ରବ୍ୟୁହ ଭେଦ କରି ନିଜର ପରିଚୟ ସୃଷ୍ଟି କରନ୍ତୁ ।

ସେହିଭଳି ସମ୍ବାଦର ଏଭଳି ପ୍ରୟାସକୁ ମଧ୍ୟ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଧର୍ମେନ୍ଦ୍ର କହିଛନ୍ତି, ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଦୂରଦୃଷ୍ଟିର ସାମୁହିକ ଉପଲବ୍ଧି ବ୍ରାଣ୍ଡସ ଅଫ୍ ଓଡ଼ିଶା, ପ୍ରାଇଡ ଅଫ୍ ଇଣ୍ଡିଆ । ବିଗତ ୪ ଦଶନ୍ଧି ଧରି ବିଭିନ୍ନ ଦାୟିତ୍ୱ ନେଇଛନ୍ତି ସୌମ୍ୟ ପଟ୍ଟନାୟକ । ଯେତେବେଳେ ସଂଚାର ବ୍ୟବସ୍ଥାରେ ଭାରତରେ ଟେକ୍ନୋଲୋଜି ଆସିନଥିଲା, ଦିଲ୍ଲୀର ଖବରକାଗଜ ଟେକ୍ନୋଲୋଜିକୁ ବ୍ୟବହାର କରିନଥିଲେ । ସେତେବେଳେ ସମ୍ବାଦ ୧୯୮୪ ମସିହାରେ ଟେକ୍ନୋଲୋଜିକୁ ବ୍ୟବହାର କରି ଖବରକାଗଜ ପ୍ରକାଶ କରୁଥିଲା । ବାସ୍ତବରେ ସୌମ୍ୟ ବାବୁ ଓଡ଼ିଶାର ବ୍ରାଣ୍ଡ । ଗୋଟିଏ ଅନୁଷ୍ଠାନ ଆରମ୍ଭ କରିବା ସହଜ କିନ୍ତୁ ସେହି ଅନୁଷ୍ଠାନକୁ ସମାନ ଲକ୍ଷ୍ୟରେ ଆଗକୁ ବଢାଇବା ବେଶ କଷ୍ଟକର । ଏହି ଯାତ୍ରାରେ ପ୍ରତିବନ୍ଧକ ଆସେ । କିନ୍ତୁ ସବୁ ପ୍ରତିବନ୍ଧକକୁ ଆଡେଇ ଦେଇ ଦୀର୍ଘ ୪୦ ବର୍ଷ ଧରି ଏହି ଅନୁଷ୍ଠାନ ଓଡ଼ିଶାକୁ ନିଜର ପରିଚୟ ପୁନଃସ୍ଥାପିତ କରିବା ଦିଗରେ ସହଯୋଗ କରି ଆସିଛି ।

Spread the love