ପୂର୍ବତନ ଆଇନ ମନ୍ତ୍ରୀ ଶାନ୍ତି ଭୂଷଣଙ୍କ ପରଲୋକ

ନୂଆଦିଲ୍ଲୀ: କିମ୍ବଦନ୍ତୀ ଆଇନଜୀବୀ ତଥା ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ ଶାନ୍ତି ଭୂଷଣଙ୍କର ଆଜି ୯୭ ବର୍ଷ ବୟସରେ ପରଲୋକ ଘଟିଛି। ଦିଲ୍ଲୀ ସ୍ଥିତ ବାସଭବନ‌ରେ ସନ୍ଧ୍ୟା ୭ଟା ସମୟରେ ଶାନ୍ତି ଭୂଷଣ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ୧୯୭୭ରୁ ୧୯୭୯ ପର୍ଯ୍ୟନ୍ତ ସେ ମୋରାରଜୀ ଦେଶାଇ ସରକାରରେ ଆଇନ ମନ୍ତ୍ରୀ ଥିଲେ। ପ୍ରସିଦ୍ଧ ଏନ୍‌ଜିଓ ‘ସେଣ୍ଟର ଫର୍‌ ପବ୍ଲିକ ଇଣ୍ଟ୍ରେଷ୍ଟ ଲିଟିଗେସନ୍‌’ର ସେ ପ୍ରତିଷ୍ଠାତା। ଅନେକ ଅସାଧାରଣ ମାମଲାରେ ତାଙ୍କର ବଳିଷ୍ଠ ତର୍କ ଏବଂ ଜନସ୍ବାର୍ଥ ମାମଲା ଦ୍ବାରା ସମାଜରେ ପରିବର୍ତ୍ତନ ଆଣିବା ପାଇଁ ପ୍ରୟାସ ନିମନ୍ତେ ଶାନ୍ତି ଭୂଷଣ ଚର୍ଚ୍ଚାରେ ରହୁଥିଲେ। ସେ ରାଜନେତା ରାଜ ନାରାୟଣଙ୍କୁ ଆହ୍ଲାବାଦ ହାଇକୋର୍ଟରେ ପ୍ରତିନିଧିତ୍ବ କରିଥିଲେ ଏବଂ ଏହି ମାମଲା ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ବିରୋଧରେ ଥିଲା। ବ୍ୟାପକ ଅନିୟମିତତା କାରଣରୁ ଇନ୍ଦିରାଙ୍କ ଲୋକସଭା ନିର୍ବାଚନକୁ ଜୁନ୍‌ ୧୯୭୫ରେ ଅସିଦ୍ଧ ଘୋଷଣା କରାଯାଇଥିଲା ଏବଂ ତାଙ୍କୁ ଗାଦି ହରାଇବାକୁ ।

ଶାନ୍ତି ଭୂଷଣଙ୍କ ପୁଅ ପ୍ରଶାନ୍ତ ଭୂଷଣ ଜଣେ ଆଇନଜୀବୀ ଏବଂ ସାମାଜିକ କାର୍ଯ୍ୟକର୍ତ୍ତା। ଶାନ୍ତି ଭୂଷଣ ଦୁର୍ନୀତି ବିରୋଧରେ ଏକ ଶାଣିତ ସ୍ବର ଥିଲେ। ବ୍ୟକ୍ତି ସ୍ବାଧୀନତା କ୍ଷେତ୍ରରେ ମଧ୍ୟ ସେ ଚାମ୍ପିଅନ ଥିଲେ।। ଶାନ୍ତି ଭୂଷଣ ପୁଅ ପ୍ରଶାନ୍ତଙ୍କ ସହ ମିଶି ‘କ୍ୟାମ୍ପେନ ଫର ଜୁଡିସିଆଲ ଆକାଉଣ୍ଟେବିଲିଟି ଆଣ୍ଡ ଜୁଡିସିଆଲ ରିଫର୍ମ’ ଆରମ୍ଭ କରିଥିଲେ। ଏହା ନ୍ୟାୟପାଳିକାର ଉତ୍ତରଦାୟିତ୍ବ ଉପରେ ଗୁରୁତ୍ବାରୋପ କରେ। ୨୦୧୮ରେ ସେ ‘ମାଷ୍ଟର ଅଫ ରୋଷ୍ଟର ସିଷ୍ଟମ୍‌’ରେ ପରିବର୍ତ୍ତନ ପାଇଁ ଏକ ପିଟିସନ କରିଥିଲେ। କିନ୍ତୁ ଏହା ଗ୍ରହଣ କରାଯାଇନଥିଲା। ପିତାଙ୍କ ବିୟୋଗରେ ପ୍ରଶାନ୍ତ ଭୂଷଣ କହିଛନ୍ତି ଯେ ଏହା ଆମ ସମସ୍ତଙ୍କ ପାଇଁ ଏକ ଅପୂରଣୀୟ କ୍ଷତି ଏବଂ ଏହା ଏକ ଯୁଗର ଅବସାନ।

Spread the love