ସରକାରଙ୍କ ବିଚିତ୍ର ନିୟମ : ରାତି ୧୦ଟା ପରେ ବନ୍ଦ ହୋଇଯାଉଛି ହୋଟେଲ

ସରକାରଙ୍କ ବିଚିତ୍ର ନିୟମ । ରାତି ୧୦ଟା ପରେ ହୋଟେଲ ବନ୍ଦ ହୋଇଯାଉଛି । କିନ୍ତୁ ରାତି ସାଢେ ଗୋଟାଏ ଯାଏଁ ମଦ ଦୋକାନ ଖୋଲା ରହୁଛି । ବାହାରୁ ଆସୁଥିବା ଯାତ୍ରୀ ଖାଇବାକୁ ହଇରାଣ ହେଉଛନ୍ତି  । ଓୟୁପି ୨୦୦୩ର ଆଇନର ଧାରା ୨୮କୁ ବଦଳାଇବାକୁ ବ୍ୟବସାୟୀ ସଂଘର ଦାବି କରିଛି । କଟକ ସହରରେ କଟକ ବଡ଼ ଡାକ୍ତରଖାନା, ଶିଶୁ ଭବନ, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ସମେତ ବଡ଼ ବଡ ହସ୍ପିଟାଲ ରହିଥିବାରୁ ରାତି ଅଧ ଯାଏ ରୋଗୀ ଓ ରୋଗୀ ସଂପର୍କୀୟଙ୍କର ବିଭିନ୍ନ ଆବଶ୍ୟକତା ରହୁଛି । ଏହା ସହିତ କଟକ ରେଳ ଷ୍ଟେସନ ଏବଂ ବାଦାମବାଡି ବସ୍‌ଷ୍ଟାଣ୍ଡ ଯୋଗୁଁ ଲୋକେ ଏଠି ବିଳମ୍ବିତ ରାତି ଯାଏ ଚଳପ୍ରଚଳ ହୁଅନ୍ତି । କିନ୍ତୁ ରାତି ୧୦ ଟପିଲେ ସହରରେ ହୋଟେଲ ବନ୍ଦ ହୋଇଯିବା ଘଟଣା ସମସ୍ୟାର କାରଣ ହେଉଛି । ସରକାର କେଉଁ କାରଣରୁ ଏଭଳି ଅବାସ୍ତବ ନିୟମ ପ୍ରଣୟନ କରିଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିବା ସହିତ ଏହି ନିୟମରେ ସଂଶୋଧନ ପାଇଁ ଦାବି ହୋଇଛି । ଅନ୍ୟପଟେ ବିଳମ୍ବିତ ରାତି ଯାଏ ମଦ ଦୋକାନ ଓ ବାର୍‌କୁ ଖୋଲିବା ପାଇଁ ଅନୁମତି ଦିଆଯିବାର ଯଥାର୍ଥତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି ।

ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନ ୨୦୦୩ର ଧାରା ୨୮ ଅନୁଯାୟୀ କମିସନରେଟ୍ ପୁଲିସରେ ରାତି ୧୦ଟା ବାଜିବା ମାତ୍ରକେ ପୁଲିସ ଗାଡ଼ି ପଇଁତରା ମାରି ଦୋକାନ ବନ୍ଦ କରୁଛି । ଯେଉଁମାନେ ଦୋକାନ ବନ୍ଦ କରୁ ନାହାନ୍ତି ସେମାନଙ୍କ ନିକଟରୁ ଓୟୁପି ଆଇନ ଅନୁଯାୟୀ, ଏକ ହଜାର ଟଙ୍କା ଲେଖାଏ ଜରିମାନା ଆଦାୟ କରାଯାଉଛି । ଛକ ବଜାରରେ ଛୋଟ ବଡ଼ ଦୋକାନୀ ବାଧ୍ୟ ହୋଇ ଅନିଚ୍ଛା ସତ୍ତ୍ବେ ଦୋକାନ ବନ୍ଦ କରୁଛନ୍ତି । ବାଦାମବାଡ଼ି ଓ ମଙ୍ଗଳବାଗ ଆଖପାଖ ଅଞ୍ଚଳରେ ବିଳମ୍ବିତ ରାତିରେ ଜିଲ୍ଲା ବାହାରୁ ଚିକିତ୍ସା ପାଇଁ ପହଞ୍ଚୁଥିବା ଲୋକେ ଖାଦ୍ୟ ପାଉନାହାନ୍ତି ।

Spread the love