ତୁର୍କୀ ଓ ସିରିୟାରେ ଭୂମିକମ୍ପ : ୨୪ ହଜାର ଟପିଲା ମୃତକଙ୍କ ସଂଖ୍ୟା
ତୁର୍କୀ ଓ ସିରିୟାରେ ପ୍ରଳୟଙ୍କରୀ ଭୂମିକମ୍ପ । ୨୪ହଜାର ଟପିଲା ମୃତକଙ୍କ ସଂଖ୍ୟା । ଉଭୟ ତୁର୍କୀ ଏବଂ ସିରିୟାରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କିନ୍ତୁ ଏବେ ବି ଧ୍ବଂସାବଶେଷ ତଳେ ହଜାର ହଜାର ଲୋକ ପୋତି ହୋଇ ରହିଛନ୍ତି । ମୃତ୍ୟୁସଂଖ୍ୟା ଆଗକୁ କେତେ ବଢ଼ିବ କିଛି ଅନୁମାନ କରିହେଉନାହିଁ । ତୁର୍କୀର ହତୟ ପ୍ରଦେଶ ଭୂକମ୍ପ ଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ହତୟ ପ୍ରଦେଶରେ ଭୂକମ୍ପ ପୀଡ଼ିତମାନେ ଏବେ ପ୍ରବଳ ଥଣ୍ଡା ଏବଂ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି ।
ପର୍ଯ୍ୟାପ୍ତ ପରିମାଣରେ ଟେଣ୍ଟ ଏବଂ ଅସ୍ଥାୟୀ ଶିବିର ନଥିବାରୁ ଭୂକମ୍ପରୁ ବଞ୍ଚି ଯାଇଥିବା ଲୋକେ ଏବେ ଖୋଲାରେ ପଡ଼ି ରହିଛନ୍ତି । ଶୀତର ପ୍ରକୋପ ସହି ହେଉନି । ଘର ନଥିବାରୁ ଲୋକମାନେ ବିଯୁକ୍ତ ୨ ଡିଗ୍ରି ସେଲସିୟସ ତାପମାତ୍ରାରେ କାର୍ରେ ଏବଂ ଖୋଲା ଆକାଶ ତଳେ ଶୋଇବାକୁ ବାଧ୍ୟ ହୋଇଛନ୍ତି । ହତୟରେ ବିମାନବନ୍ଦର ରନ୍ୱେ ଭୂକମ୍ପ ଯୋଗୁଁ ନଷ୍ଟ ହୋଇଯାଇଥିବାରୁ ବିମାନ ଯୋଗେ ରିଲିଫ୍ ସାମଗ୍ରୀ ପହଞ୍ଚି ପାରିନି । ତୁର୍କୀରେ କିଛି ଲୋକଙ୍କୁ ଅତି ଚମତ୍କାର ଭାବେ ଉଦ୍ଧାର କରାଯାଇଛି । ୧୦୦ ଘଣ୍ଟାରୁ ଅଧିକ ସମୟ ପରେ ବି କିଛି ଲୋକଙ୍କୁ ତୁର୍କୀରେ ଧ୍ବଂସାବଶେଷ ଭିତରୁ ଜୀବିତ ଉଦ୍ଧାର କରାଯାଇଛି । କିନ୍ତୁ ଉତ୍ତର ପଶ୍ଚିମ ସିରିୟାରେ ଆଶା ମଉଳି ଯାଉଛି । ସେଠାରେ ସ୍ଥିତି ଅତି ଭୟାନକ ରହିଛି ।