ପୁରୋହିତ କାମ ବିବାଦରୁ ସାନଭାଇକୁ ଛୁରି ଭୁସି ହତ୍ୟା

ଜଗନ୍ନାଥପ୍ରସାଦ: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ପଞ୍ଚଭୂତି ଗ୍ରାମରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଯଜମାନ ଛଡ଼ାଇବାକୁ କେନ୍ଦ୍ର କରି ପୁରୋହିତ କାମ କରୁଥିବା ଦୁଇ ଭାଇଙ୍କ ମଧ୍ୟରେ ବିବାଦରୁ ହତ୍ୟାକାଣ୍ଡ ଘଟିଯାଇଛି। ଗାଁର ରୋଡ଼ ସାହିରେ ରହୁଥିବା ପୁରୋହିତ ପରିବାରର ଦୁଇ ଭାଇ ମଧ୍ୟରେ ଯଜମାନ ବିବାଦକୁ ନେଇ ଗଣ୍ଡଗୋଳ ଘଟି ବଡ଼ଭାଇ ଓ ତାଙ୍କ ପୁଅମାନଙ୍କ ଛୁରି ମାଡ଼ରେ ସାନଭାଇଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ରମେଶ ଚନ୍ଦ୍ର ଶତପଥୀ(୬୨)। ଜଗନ୍ନାଥପ୍ରସାଦ ଥାନା ପୁଲିସ ମୃତଦେହ ଜବତ କରି ହତ୍ୟା ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିଛି।ପଞ୍ଚଭୂତି ଗ୍ରାମ ରୋଡ଼ ସାହିରେ ରହୁଥିବା ରମେଶ ପୁରୋହିତ ଭାବେ କାମ କରୁଥିଲେ। ତାଙ୍କ ବଡ଼ଭାଇ କୈଳାସ ଚନ୍ଦ୍ର ଶତପଥୀ ମଧ୍ୟ ଜଣେ ପୁରୋହିତ। ଖଇରନଟି ଗ୍ରାମରେ ରହୁଥିବା ବଡ଼ଭାଇ କୈଳାସଙ୍କ ଜଣେ ଯଜମାନଙ୍କ ଘରକୁ ଯାଇ ସାନଭାଇ ରମେଶ ପୂଜା କରି ସଂଧ୍ୟାରେ ଘରକୁ ଫେରୁଥିଲେ।

ଏହି ସମୟରେ ବଡ଼ଭାଇ କୈଳାସ, ତିନିପୁଅ ନିଲୁ, ସିଲୁ ଓ ଜିଲୁ ମା’ ଠାଙ୍ଗୁଣେଇ ମନ୍ଦିର ନିକଟରେ ଛପି ରହିଥିଲେ। ରମେଶଙ୍କୁ ଦେଖିବା କ୍ଷଣି ବାପ-ପୁଅ ସମେସ୍ତ ମିଶି ଆମ ଯଜମାନ ଘରକୁ କାହିଁକି ଗଲ ବୋଲି ପ୍ରତିବାଦ କରି ତାଙ୍କୁ ଆକ୍ରମଣ କରିବା ସହିତ ଛୁରି ଭୁସି ଦେଇଥିଲେ। ଏପରିକି ପଥରରେ ତାଙ୍କ ମୁଣ୍ଡକୁ ଆଘାତ କରିଥିଲେ। ରମେଶ ତଳେ ପଡ଼ି ଚିତ୍କାର କରୁଥିବା ବେଳେ ସ୍ଥାନୀୟ ଲୋକେ ସେଠାରେ ରୁଣ୍ଡ ହୋଇ ଯାଇଥିଲେ। ଫଳରେ କୈଳାସ ତାଙ୍କର ୩ପୁଅଙ୍କ ସହିତ ସେଠାରୁ ଫେରାର୍‌ ହୋଇ ଯାଇଥିଲେ। ରମେଶଙ୍କୁ ଗୁରୁତର ଅବସ୍ଥାରେ ଜଗନ୍ନାଥପ୍ରସାଦ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। ହେଲେ ରାତିରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଭଞ୍ଜନଗର ଏସ୍‌ଡିପିଓ ସୁଧାଂଶୁ ଶେଖର ମିଶ୍ର ଓ ଜଗନ୍ନାଥପ୍ରସାଦ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲା। ଅଭିଯୁକ୍ତମାନେ ଫେରାର୍‌ ଥିବା ବେଳେ ପୁଲିସ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି।

Spread the love