ପ୍ରଫେସର ରାଜେନ୍ଦ୍ର ମହାନ୍ତିଙ୍କୁ ଲାଲ ବାହାଦୂର ଶାସ୍ତ୍ରୀ ସମ୍ମାନ ପ୍ରଦାନ

ଭୁବନେଶ୍ୱର , ୨୩/ ୦୨ : ବିଶିଷ୍ଟ ଶିକ୍ଷାବିତ୍ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପୁର୍ବତନ କୁଳପତି ପ୍ରଫେସର ରାଜେନ୍ଦ୍ର ପ୍ରସାଦ ମହାନ୍ତିଙ୍କୁ ଗୁରୁବାର ନୂଆ ଦିଲ୍ଲୀ ଠାରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଲାଲ ବାହାଦୂର ଶାସ୍ତ୍ରୀ ସମ୍ମାନ ପ୍ରଦାନ କରାଯାଇଛି । ଏହି ସମ୍ମାନ ନୂଆଦିଲ୍ଲୀ ସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଂଟ ପକ୍ଷରୁ ପ୍ରତିବର୍ଷ ଅନୁଷ୍ଠାନର ସ୍ଥାପନା ଦିବସ ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ୍‌, ମ୍ୟାନେଜମେଂଟ ବିଶାରଦ ଓ ବ୍ୟବସାୟ କ୍ଷେତ୍ରରେ ଖ୍ୟାତି ଲାଭ କରିଥିବା ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଥାଏ ।
ଲାଲ ବାହାଦୂର ଶାସ୍ତ୍ରୀ ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଶ୍ରୀ ଅନୀଲ ଶାସ୍ତ୍ରୀ ପ୍ରଫେସର ମହାନ୍ତିଙ୍କୁ ଏହି ସମ୍ମାନରେ ଭୂଷିତ କରିଥିଲେ ।
ବର୍ତମାନ ସୋଆ ବିଶ୍ୱବିଦ୍ୟାଳୟର ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିବା ପ୍ରଫେସର ମହାନ୍ତି ହ୍ୟୁମାନ୍ ରିସୋର୍ସ ମ୍ୟାନେଜମେଂଟ, କ୍ୱାଲିଟି ମ୍ୟାନେଜମେଂଟ ପ୍ରାକ୍ଟିସେସ୍‌, ସପ୍ଲାଇ ଚେନ୍ ମ୍ୟାନେଜମେଂଟ, ଆଡଭାନ୍ସଡ ଅପରେସନ୍ସ ମ୍ୟାନେଜମେଂଟ ଓ ଟୋଟାଲ୍ କ୍ୱାଲିଟି ମ୍ୟାନେଜମେଂଟ ଭଳି ବିଷୟ ଉପରେ ଅନେକ ଉପାଦେୟ ପୁସ୍ତକ ରଚନା କରିଛନ୍ତି ।
ବିଭିନ୍ନ ବିଷୟରେ ଜଣେ ଆନ୍ତର୍ଜାତିକ ବକ୍ତା ଭାବେ ଖ୍ୟାତି ଲାଭ କରିଥିବା ପ୍ରଫେସର ମହାନ୍ତିଙ୍କର ଉଭୟ ଶିକ୍ଷା ଓ ଶିଳ୍ପ କ୍ଷେତ୍ରରେ ପ୍ରଭୃତ ଅଭିଜ୍ଞତା ରହିଛି । ସେ ପୂର୍ବରୁ ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଂଟ ସ୍କଲାର୍‌ସ ଦ୍ୱାରା ଇଂଟରନ୍ୟାସ୍‌ନାଲ୍ ଲାଇଫ୍ ଟାଇମ୍ ଆଚିଭମେଂଟ ଆୱାର୍ଡ, ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଇଞ୍ଜିନିୟରିଂ ଦ୍ୱାରା ଲାଇଫ୍ ଟାଇମ୍ ଆଚିଭ୍‌ମେଂଟ ଆୱାର୍ଡ ଓ ଓଡ଼ିଶା ଇଞ୍ଜିନିୟର୍ସ ଫୋରମ୍ ଦ୍ୱାରା ଭାରତରତ୍ନ ସାର ବିଶେଶ୍ୱରାୟ ଆୱାର୍ଡ ଲାଭ କରିଛନ୍ତି ।
ପ୍ରଫେସର ମହାନ୍ତି ଅନେକ ବୃତିଗତ ସଂସ୍ଥାର ଫେଲୋ ତଥା ଅନେକ ଅନୁଷ୍ଠାନର ବୋର୍ଡ ଅଫ୍ ଗଭର୍ଣ୍ଣରରେ ସଭ୍ୟ ରହିଛନ୍ତି ।

Spread the love