ଆଇନଶୃଙ୍ଖଳାକୁ ନେଇ ଟ୍ୱିଟରରେ ଧର୍ମେନ୍ଦ୍ରଙ୍କୁ ଜବାବ ଦେଲେ ପ୍ରଣବ

ଭୁବନେଶ୍ୱର: ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡିଯାଇଛି, ୩୦୭ ମାଧ୍ୟମରେ ନାଲି ଆଖି ଦେଖାଯାଉଛି, କିଛି ଏଭଳି କହି ରାଜ୍ୟ ସରକାରଙ୍କୁ ଆଜି ଟାର୍ଗେଟ କରିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ଆଉ ଧର୍ମେନ୍ଦ୍ରଙ୍କ ଏହି ଆରୋପ ପରେ ଏହାକୁ କାଉଣ୍ଟର କରିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ | ଆଜି କେନ୍ଦ୍ର ମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ,’ଦେଶର ସମ୍ବିଧାନକୁ ପ୍ରଶ୍ନ ଉଠାଉଥିବା ବ୍ୟକ୍ତିଙ୍କ ବିରୋଧରେ ସ୍ୱର ଉତ୍ତୋଳନ କଲେ ଏବିଭିପି କାର୍ଯ୍ୟକର୍ତ୍ତାଙ୍କୁ ଜେଲରେ ରଖାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଶାସନରେ ରାଷ୍ଟ୍ରବାଦୀ ବିଚାରଧାରାକୁ ଅଣଦେଖା ସହ ଧାରା ୩୦୭ ମାଧ୍ୟମରେ ନାଲି ଆଖି ଦେଖାଯାଉଛି, ଏହି ଆଭିମୁଖ୍ୟ ରହିଲେ ରାଜ୍ୟରେ ଜେଲ ଅଭାବ ପଡିବ। ଓଡ଼ିଶାରେ ଦୀର୍ଘ ୨୩ ବର୍ଷର ଶାସନ ପରେ ମଧ୍ୟ ରାଜ୍ୟର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ । ଲୋକସମସ୍ୟା ଓ ଲୋକ ଆକାଂକ୍ଷାକୁ ସଂଘର୍ଷ କରି ବୁଥ ସ୍ତରରୁ ଉପରକୁ ଉଠିଥିବା ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାମାନେ ଆଇନଶୃଙ୍ଖଳା ନେଇ ପ୍ରତିବାଦ କଲେ ସେମାନଙ୍କୁ ଏକପାଖିଆ ଭାବେ ୩୦୭ ଧାରାରେ ଜେଲକୁ ପଠାଯିବା ଦୁର୍ଭାଗ୍ୟଜନକ । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି । ସେଦିନର ଦୃଶ୍ୟ ସମସ୍ତେ ଦେଖିଛନ୍ତି । କେମିତି ଅନେକ ପୁଲିସ କର୍ମୀ ପୁଲିସ ଡ୍ରେସରେ ନଥାଇ ଯୁବମୋର୍ଚ୍ଚା କର୍ମୀଙ୍କୁ ମାଡ଼ ମାରିଛନ୍ତି, କିଛି ପୁଲିସ ଜୋତା ଖୋଲି ମାରୁଥିଲେ ଏସବୁ ଭିଡ଼ିଓରୁ ଆଇନଶୃଙ୍ଖଳା କେମିତି ଅଛି ତାହା ସ୍ପଷ୍ଟ ହୋଇପଡୁଛି’ ।

ଧର୍ମେନ୍ଦ୍ର ଏହା କହିବା ପରେ ପ୍ରଣବ କାଉଣ୍ଟର କରି ଟ୍ୱିଟ କରିଛନ୍ତି ଯେ, ‘ ଆପଣଙ୍କ ଦଳର ଯୁବମୋର୍ଚ୍ଚା ସଭାପତି ଈରାଣିଷ ଆଚାର୍ଯ୍ୟ ଜଣେ ହତ୍ୟା ଅଭିଯୁକ୍ତ । ଏବେ ସେ ଜାମିନରେ ଅଛନ୍ତି। ନିକଟରେ ରାଜଧାନୀରେ ବିକ୍ଷୋଭ ନାଁରେ ତାଙ୍କ ନେତୃତ୍ଵରେ ପୁଲିସ ଉପରେ ମରଣାନ୍ତକ ଆକ୍ରମଣ ହେଲା । ଓଡ଼ିଶା ରାଜନୀତି ପାଇଁ ଏହା ଶୁଭଙ୍କର ନୁହେଁ | ଓଡ଼ିଶାବାସୀ ଏସବୁ ଦେଖୁଛନ୍ତି। ସେଥିପାଇଁ ଗତ ପଞ୍ଚାୟତ ନିର୍ବାଚନରେ ୩୦ରୁ ୩୦ ଜିଲ୍ଲା ପରିଷଦରେ ବିଜେପିକୁ ପ୍ରତ୍ୟାଖ୍ୟାନ କଲେ। ଆମେ ଭାବିଥିଲୁ, ଦଳର ଛବି ଖରାପ କରିଥିବାରୁ ଏହି ଦୁଇ ନେତାଙ୍କ ବିରୋଧରେ ଆପଣ କିଛି କାର୍ଯ୍ୟାନୁଷ୍ଠାନ ନେବେ। ମାତ୍ର ଆଜି ଓଲଟା ଦେଖିବାକୁ ମିଳିଲା। ଆପଣ ଓଡ଼ିଶାରେ ପହଞ୍ଚି ଏଭଳି ହିଂସା ପାଇଁ ସେମାନଙ୍କୁ ଉତ୍ସାହିତ କଲା ପରି କଥା କହୁଛନ୍ତି। ଆପଣଙ୍କୁ ମୋର ଅନୁରୋଧ, ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ । ଏଭଳି ଅପରାଧିକ ତତ୍ତ୍ଵକୁ ଆପଣ ନିୟନ୍ତ୍ରଣ କରନ୍ତୁ। ନହେଲେ ଭବିଷ୍ୟତରେ ଏ ଦୁଇ ନେତା ଆପଣଙ୍କୁ ଏବଂ ଆପଣଙ୍କ ଦଳକୁ ଆହୁରି ଅଧିକ ବଦନାମ କରିବେ’।

Spread the love