ଭାରତ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନସିପ୍‌ ଫାଇନାଲ୍‌ରେ: ଜୁନ୍‌ ୭ରୁ ଓଭାଲରେ ଅଷ୍ଟ୍ରେଲିଆ ସହ ଫାଇନାଲ୍‌

ଅହମଦାବାଦ: ଶେଷ ମ୍ୟାଚ୍‌କୁ ଅମୀମାଂସିତ ରଖିବା ପରେ ଭାରତ ଲଗାତାର ଚତୁର୍ଥ ଥର ପାଇଁ ବର୍ଡର-ଗାଭାସ୍କର ଟ୍ରଫି ଜିତିଛି। କିନ୍ତୁ ଖ୍ରୀଷ୍ଟଚର୍ଚ୍ଚରେ ଚାଲିଥିବା ନ୍ୟୁଜିଲାଣ୍ଡ୍‌ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ଶ୍ରୀଲଙ୍କାର ପରାଜୟ ଯୋଗୁଁ ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଦଳ ଆଇସିସି ବିଶ୍ବ ଟେଷ୍ଟ୍‌ ଚାମ୍ପିଅନସିପ୍‌ (ଡବ୍ଲୁଟିସି) ଫାଇନାଲ୍‌ ଯୋଗ୍ୟତା ଅର୍ଜନ କରିଛି। ଦୀର୍ଘ ତିନି ବର୍ଷ ପରେ ଟେଷ୍ଟ୍‌ ଶତକ ଅର୍ଜନ କରିଥିବା ବିରାଟ କୋହଲିଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯିବା ପରେ ଶୃଙ୍ଖଳାର ଶ୍ରେଷ୍ଠ ଭାବେ ରବିଚନ୍ଦ୍ରନ ଅଶ୍ବିନ ଓ ରବୀନ୍ଦ୍ର ଜାଦେଜାଙ୍କୁ ଯୁଗ୍ମ ଭାବେ ପୁରସ୍କୃତ କରାଯାଇଛି। ଅଷ୍ଟ୍ରେଲିଆ ବିପକ୍ଷ ୨-୧ରେ ଟେଷ୍ଟ୍‌ ଶୃଙ୍ଖଳା ବିଜୟ ପରେ ପୁଣି ଥରେ ଜୁନ୍‌ରେ ହେବାକୁ ଥିବା ଡବ୍ଲୁଟିସି ଫାଇନାଲ୍‌ରେ ଏହି ଦୁଇ ଦଳ ମୁହାଁମୁହିଁ ହେବେ। ମାର୍ଚ୍ଚ ୧୭ ତାରିଖରୁ ଆରମ୍ଭ ହେଉଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ଏହି ଦୁଇ ଦଳ ଖେଳିବେ।

ସୋମବାର ପୂର୍ବ ଦିନରୁ ଅପରାଜିତ ଥିବା ମାଥ୍ୟୁ କୁହ୍ନେମାନ୍‌ ଓ ଟ୍ରାଭିସ୍‌ ହେଡ୍‌ଙ୍କ ଯୋଡ଼ି ‌ଶେଷ ଦିନରେ ଅଧିକ ସମୟ ରହିପାରିନଥିଲା। ଦିନର ଚତୁର୍ଥ ଓଭରରେ କୁହ୍ନେମାନ୍‌ ମାତ୍ର ୬ ରନ୍‌ କରି ଅଶ୍ବିନଙ୍କ ଦ୍ବାରା ଏଲ୍‌ବିଡବ୍ଲୁ ହୋଇଥିଲେ। ହେଲେ ଏହାପରେ ହେଡ୍‌ ଓ ମାର୍ନସ ଲବୁସାନ୍‌ ଭାରତୀୟ ବୋଲରଙ୍କୁ ପ୍ରବଳ ଖଟାଇଥିଲେ। ଦ୍ବିତୀୟ ୱିକେଟ୍‌ରେ ଉଭୟ ୨୯୨ ବଲ୍‌ରୁ ୧୩୯ ରନ୍‌ ଦଳୀୟ ସ୍କୋରରେ ଯୋଡ଼ିଥିଲେ। ତେବେ ଚା’ ପାନ ବିରତି ପୂର୍ବରୁ ଅକ୍ଷର ପଟେଲ ଏହି ଯୋଡ଼ି ଭାଙ୍ଗିବାରେ ସଫଳ ହେବା ସହ ୫୦ତମ ଟେଷ୍ଟ୍‌ ୱିକେଟ୍‌ ପୂରଣ କରିଥିଲେ। ଶତକ ଆଡ଼କୁ ଅଗ୍ରସର ହେଉଥିବା ହେଡ୍‌ (୯୦)ଙ୍କୁ ଅକ୍ଷର ବୋଲ୍ଡ କରିଥିଲେ। ଶେଷ ଦିନରେ କେବଳ ଏହି ଦୁଇ ୱିକେଟ୍‌ ନେବାରେ ଭାରତୀୟ ସଫଳ ହୋଇଥିଲେ। ଅର୍ଦ୍ଧଶତକ ଅର୍ଜନ କରିସାରିଥିବା ଲବୁସାନ୍‌ (୬୩*) ଓ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ (୧୦*) ରକ୍ଷଣାତ୍ମକ ଖେଳୁଥିଲା ବେଳେ ଦୁଇ ଦଳ ମିଳିତ ନିଷ୍ପତ୍ତି ନେଇଥିଲେ। ଚା’ପାନ ବିରତିର କିଛି ସମୟ ପରେ ଅଷ୍ଟ୍ରେଲିଆ ପାଳି ୧୭୫/୨ରେ ଥିବାବେଳେ ଉଭୟ ଅଧିନାୟକ ମ୍ୟାଚ୍‌ ବନ୍ଦ ରଖିବାକୁ ରାଜି ହୋଇଥିଲେ।

ପ୍ରଥମ ୩ ଟେଷ୍ଟ୍‌ ତିନି ଦିନ ଭିତରେ ଶେଷ ହୋଇଥିବା ବେଳେ ଅହମଦାବାଦ ଟେଷ୍ଟ୍‌ରେ ୫ ଦିନ ଭିତରେ ବୋଲରଙ୍କୁ ୨୦ ୱିକେଟ୍ ମିଳିଥିଲା। ବୋଲିଂ ଷ୍ଟ୍ରାଇକ୍ ରେଟ୍‌ ୧୨୭.୩ ଥିଲା ଯାହାକି ଭାରତରେ ୨୦ ବର୍ଷରେ ସବୁଠାରୁ ଖରାପ। ଶେଷ ଥର ପାଇଁ ୨୦୦୩ ମୋହାଲି ଟେଷ୍ଟ୍‌ରେ ଏହା ୧୪୬.୫ ଥିଲା। -ଆଇପିଏଲ୍‌ ଫାଇନାଲ୍‌ (ଜୁନ୍‌-୧)ର ସପ୍ତାହକ ଭିତରେ ଆଇସିସି ବିଶ୍ବ ଟେଷ୍ଟ୍ ଚାମ୍ପିୟନସିପ୍ ଫାଇନାଲ୍(ଜୁନ୍‌ ୭) ‌ଖେଳାଯିବା ନିଶ୍ଚିତ ଆମ ପାଇଁ ଆହ୍ବାନଭରା। ଏଥି ପାଇଁ ଉପଯୁକ୍ତ ଭାବେ ଯୋଜନା କରିବାକୁ ପଡ଼ିବ। ବର୍ଡର ଗାଭାସ୍କର ଟ୍ରଫି ଲଢ଼େଇ ଭଲ ରହିଲା। ଚାପ ପରିସ୍ଥିତିରେ ଆବଶ୍ୟକ ବେଳେ କେହି ନା କେହି ଲଢ଼ିଲେ। ନାଗପୁରରେ ରୋହିତ ଶର୍ମା ଏବଂ ଅହମଦାବାଦରେ ବିରାଟ କୋହଲିଙ୍କ ଶତକ ନିର୍ଣ୍ଣାୟକ ଥିବା ବେଳେ ଆର୍ ଅଶ୍ବିନ, ରବୀନ୍ଦ୍ର ଜାଦେଜା, ଶୁବମନ ଗିଲ୍‌, ଅକ୍ଷର ପଟେଲ୍‌ ବଢ଼ିଆ ଖେଳିଲେ।

Spread the love