ବିଦେଶରେ ପଢିବେ ଜନଜାତି ଛାତ୍ରଛାତ୍ରୀ: ପ୍ରଦୀପ ମାଝି

ରାୟଗଡା: ଅଧା ପାଠ ପଢିଥିବା ଜନଜାତି ଯୁବକଯୁବତୀଙ୍କୁ ଉଚ୍ଚ ଶିକ୍ଷା ନିମନ୍ତେ ମାଗଣା ବ୍ୟବସ୍ଥା କରାଯିବ ଏବଂ ପ୍ରତି ଜିଲ୍ଳାରୁ ୧୦ରୁ ୧୫ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ବିଦେଶରେ ପାଠ ପଢାଇବାର ସୁଯୋଗ ବ୍ୟବସ୍ଥା କରାଯିବ। ବିଜେଡିର ବରିଷ୍ଠ ନେତା ପ୍ରଦୀପ ମାଝି ମଙ୍ଗଳବାର ଏହା କହିଛନ୍ତି। ଦୀର୍ଘ ୭୦ବର୍ଷ ହେଲା ଆଦିବାସୀମାନେ ସମାଜର ମୁଖ୍ୟ ସ୍ରୋତରେ ଆଗକୁ ବଢିପାରୁ ନାହାନ୍ତି। କେଉଁ କାରଣ ଯୋଗୁଁ ଏ ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ଆମେ ରାଜନୈତିକ ସ୍ୱାଧୀନତା ପାଇ ସାରିଥିଲେ ମଧ୍ୟ ଅନ୍ୟ କୌଣସି ସ୍ୱାଧୀନତା ପାଇପାରୁନାହୁଁ। ସରକାର କେବଳ ରାଜନୈତିକସ୍ତରରେ ଆମ ପାଇଁ ପଦପଦବି ସଂରକ୍ଷିତ ରଖିଛନ୍ତି। କିନ୍ତୁ ଅନ୍ୟ କ୍ଷେତ୍ରରେ ଆଜି ବି ଆମେ ପୂର୍ବପରି ଯେଉଁଠି ଥିଲେ ସେଇଠି ହିଁ ରହିଛୁ। ଏହା ଏକ ବିରାଟ ବଡ ଚିନ୍ତାର କାରଣ।ତେଣୁ ରାଜ୍ୟର ୬୨ଗୋଟି ଜନଜାତିକୁ ଏକଜୁଟ୍ ହେବାକୁ ପଡିବ ବୋଲି ସେ କହିଛନ୍ତି।

ଆଦିବାସୀ ସମାଜର ଭବିଷ୍ୟତ ପାଇଁ କଣ କରାଯାଇ ପାରିବ ସେ ନେଇ ସମସ୍ତଙ୍କ ଏକ ନିଷ୍ପତ୍ତି ତଥା ଦାବିକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଖରେ ଉପସ୍ଥାପନା କରାଯିବା ସହ ଆଦିବାସୀ ଜନଜାତି ସଂପ୍ରଦାୟକୁ ଶିକ୍ଷିତ ହେବାକୁ ପଡିବ ଫଳରେ ଆଗାମୀ ଭବିଷ୍ୟତ ସୁଦୃଢ ହେବ। ସମଗ୍ର ଦେଶରେ କେବଳ ଓଡ଼ିଶାରେ ହିଁ ଜନଜାତିଙ୍କ କଳା ଓ ସଂସ୍କୃତିକୁ ବଂଚେଇ ରଖିବା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀ ବହୁଳ ୯ଟି ଜିଲ୍ଳାରେ ଜନଜାତିଙ୍କ କଳା ଓ ସଂସ୍ଖୃତି, ପରମ୍ପରା, କୌଳିକ ବୃତିକୁ ବଜାୟ ରଖିବା ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି ବୋଲି ଆଜି ରାୟଗଡା ଜିସିଡି ହାଇସ୍କୁଲ ପଡ଼ିଆ ଠାରେ ରାୟଗଡା ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଅନୁଷ୍ଠିତ ଜିଲ୍ଳାସ୍ତରୀୟ ସାଂସ୍କୃତିକ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ରାଜ୍ୟ ଉପଦେଷ୍ଠା ପ୍ରଦୀପ ମାଝି ପ୍ରକାଶ କରିଥିଲେ।

ରାୟଗଡା ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୂୟା ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝି, ଜିଲ୍ଳାପାଳ ସ୍ୱଧାଦେବ ସିଂଙ୍କ ସମେତ ଉପାଧ୍ୟକ୍ଷ ବନମାଳୀ କାଡ୍ରକା, ରାୟଗଡା ଉପଖଣ୍ଡ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଦିଲ୍ଳୀପ କୁମାର ବେହେରା, ଗୁଣପୁର ଉପଖଣ୍ଡ ସମନ୍ୱୀତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସିକା ଶାନ୍ତିପ୍ରଭା ପ୍ରଧାନ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଆଦିବାସୀ ବହୁଳ ରାୟଗଡା ଜିଲ୍ଳାରେ ବସବାସ କରୁଥିବା ଡଙ୍ଗରିଆ କନ୍ଧ, ଲାଂଜିଆ ସଉରା ଏବଂ ପରଜା ଜନଜାତି ସଂପ୍ରଦାୟର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ସରକାରୀ ଯୋଜନା ପ୍ରଣୟନ କରିବା ସହ ଜନଜାତି ଛାତ୍ରଛାତ୍ରୀ ତଥା ପିଲାମାନଙ୍କ ପାଠପଢା ଏବଂ ଦକ୍ଷତା ବିକାଶ ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ବୋଲି ଅତିଥିମାନେ ପ୍ରକାଶ କରିଥିଲେ।

Spread the love