ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଖର୍ଚ୍ଚ ଦାବି ଉପରେ ଆଲୋଚନା: ବିରୋଧୀ କହିଲେ ସରକାର କରୁଛନ୍ତି ଶ୍ରେୟ ରାଜନୀତି

ଭୁବନେଶ୍ୱର: ଆଜି ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସମ୍ପର୍କୀୟ ଖର୍ଚ୍ଚ ଦାବି ଆଲୋଚନା ହୋଇଥିଲା। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏ ନେଇ ପ୍ରସ୍ତାବ ଆଗତ କରିଥିଲେ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି ଅନୁଦାନ ୩୨୨୯କୋଟି ୯୫ଲକ୍ଷ ୩୬ହଜାର ଟଙ୍କା ହୋଇଥିବାବେଳେ ସମବାୟ ବିଭାଗର ଖର୍ଚ୍ଚ ଦାବି ହେଉଛି ୨୦୩୬ କୋଟି ୭୩ ହଜାର ଟଙ୍କା। ମନ୍ତ୍ରୀ ଶ୍ରୀ ନାୟକ ଖର୍ଚ୍ଚଦାବି ଉପସ୍ଥାପନ କରିବା ପରେ ଏହା ଉପରେ ଆଲୋଚନା ହୋଇଥିଲା।

ଏହାକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି, ସେ ଏହି ଖର୍ଚ୍ଚ ଦାବିକୁ ସମର୍ଥନ କରିପାରୁନାହାନ୍ତି । କାରଣ କେନ୍ଦ୍ର ସରକାର ମାଗଣାରେ ଚାଉଳ ଯୋଗାଇଦେଉଛନ୍ତି। ୨୦୦୮ ମସିହାରୁ ପ୍ରଥମେ କେଜି ୨ ଟଙ୍କା ପରେ କେଜି ୧ ଟଙ୍କାରେ ଚାଉଳ ଯୋଗାଇଦେଉଛନ୍ତି। ୧ଟଙ୍କାରେ ଚାଉଳ ଦେଉଛୁ କହି ଭୋଟ ରାଜନୀତି କରୁଛନ୍ତି ଶାସକ ଦଳ । ବାସ୍ତବ କଥା ହେଲା, ୩୩ ଟଙ୍କାରୁ କେନ୍ଦ୍ର ଦେଲା ୩୦, ରାଜ୍ୟର ୨ ଟଙ୍କା ଏବଂ ଲୋକେ ଦେଲେ ୧ ଟଙ୍କା। ଏବେ କେନ୍ଦ୍ର ସରକାର ନିଜ ହାତକୁ ନେଇ ମାଗଣାରେ ଚାଉଳ ଦେଉଛନ୍ତି। ତେଣୁ ରାଜ୍ୟ ସରକାର ଆଉ ବାହାବା ନେଇ ପାରୁନାହାନ୍ତି।

କୋଭିଡ ପରେ ମାଗଣା ୫କେଜି ଚାଉଳ ଦିଆଯିବା ବନ୍ଦ ହେବା ପରେ ରାଜ୍ୟ ସରକାର ୯ଲକ୍ଷ ଲୋକଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଦେଉଛନ୍ତି। କିନ୍ତୁ କେନ୍ଦ୍ର ସରକାର ୩ କୋଟି ୨୬ ଲକ୍ଷ ଲୋକଙ୍କୁ ମାଗଣାରେ ଚାଉଳ ଯୋଗାଉଛନ୍ତି | ତେଣୁ ଚାଉଳକୁ ନେଇ ସରକାର ରାଜନୀତି ବନ୍ଦ କରନ୍ତୁ । କେବଳ ଆନ୍ଦୋଳନ କରି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ସରକାର। ସେହିପରି ଧାନ ମଣ୍ଡିରେ ଧାନ ନ ଉଠିବା କାରଣରୁ ଧରଣୀ ମେହେର କିପରି ପ୍ରାଣ ହରାଇଲା ସେ ଅଭିଯୋଗ କରିଥିଲେ ମୋହନ ମାଝୀ। । ୬ ଜିଲ୍ଲାରେ ବିନା ପ୍ୟାକ୍ସରେ ଧାନ ସଂଗ୍ରହ ହେଉଛି। ୨୦୮୯ଟି ମଣ୍ଡିରେ ପିଣ୍ଡି ନାହି, ୧୪୧ଟି ମଣ୍ଡିରେ ଇଣ୍ଟରନେଟ ନାହିଁ । କେତେକ ସ୍ଥାନରେ ଗୋଦାମ ଘର ନାହିଁ। ପୁଣି ଚାଷୀ କଟନିଛଟନିରେ ୨ରୁ ୧୦କେଜି ଧାନ ହରାଉଛି । ସରକାରୀ ଅଧିକାରୀ ଓ ମିଲରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀ ଦୁର୍ଦ୍ଦଶା ଭୋଗୁଛି। । ରାଜ୍ୟରେ ଥିବା ୪୯ଟି ଶୀତଳ ଭଣ୍ଡାର କେତେଦୂର ଆବଶ୍ୟକତାକୁ ପୂର୍ଣ୍ଣ କରିପାରିବ ସେ ନେଇ ପ୍ରଶ୍ନ କରିଛନ୍ତି ମୋହନ ମାଝୀ।

Spread the love