ଡ୍ରାଇଭର ଭାଇ ମାନଙ୍କ ସମସ୍ୟାକୁ ସମାଧାନ ନ କରି ଆନ୍ଦୋଳନକୁ ବଢାଇବା ଭଳି ମାନସିକତାରେ ଅଛି ବିଜେଡି – ମୁକେଶ ମହାଲିଙ୍ଗ

ଭୁବନେଶ୍ୱର, ମାର୍ଚ୍ଚ16 – ରାଜ୍ୟରେ ଡ୍ରାଇଭର ଭାଇ ମାନଙ୍କ ସମସ୍ୟାକୁ ସମାଧାନ ନ କରି ବିଜେଡି ସରକାର ଆନ୍ଦୋଳନକୁ ବଢାଇବା ଭଳି ମାନସିକତାରେ ଅଛି ବୋଲି ସସ୍ମିତ ପାତ୍ରଙ୍କ ଟ୍ୱିଟରୁ ସ୍ପଷ୍ଟ ହେଉଛି ବୋଲି ଟ୍ୱିଟ୍ କରି କହିଛନ୍ତି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ୍ ।

ଶ୍ରୀ ମହାଲିଙ୍ଗ୍ ଉଲ୍ଲେଖ କରିଛନ୍ତି ଯେ ଶାସକ ଦଳର ନେତାମାନେ ବିଜେପି ଉଠାଇଥିବା ପ୍ରସଙ୍ଗର ଉତ୍ତର ନ ଦେଇ କେବଳ କହିବା ପାଇଁ କିଛି କଥା କୁହାଳିଆ ହିସାବରେ କହୁଛନ୍ତି । ଡ୍ରାଇଭର ଭାଇମାନେ ଆମ ଭିତରୁ ଜଣେ, ସେ କାହାର ଭାଇ, କାହାର ଦାଦା, କାହାର ବାପା ଓ କାହାର ପୁଅ ମଧ୍ୟ । ସସ୍ମିତ ପାତ୍ରଙ୍କ ଟ୍ୱିଟରୁ ଜଣାପଡୁଛି, ଆପଣଙ୍କ ସରକାର ସମାଧାନ ନ କରି ଆନ୍ଦୋଳନକୁ ବଢାଇବା ଭଳି ମାନସିକତାରେ ଥିବା ମନେହେଉଛି, ଯାହା ରାଜ୍ୟର ଜନସାଧାରଣଙ୍କ ପାଇଁ ଭଲ ଲକ୍ଷଣ ନୁହେଁ । ଆପଣଙ୍କର ଏହି ବିବୃତ୍ତିକୁ ମୁଁ ନିନ୍ଦା କରୁଛି ।

ରାଜ୍ୟରେ ଦୁଇ ଦିନ ଡ୍ରାଇଭର ବନ୍ଧୁ ମାନଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ଜନସାଧାରଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଆପଣଙ୍କ ଟ୍ୱିଟରୁ ସ୍ପଷ୍ଟ ହେଉଛି ଯେ, ଡ୍ରାଇଭର ବନ୍ଧୁଙ୍କ ହିତ ପାଇଁ ଆପଣ ଓ ଆପଣଙ୍କ ସରକାରର କୌଣସି ଆନ୍ତରିକତା ନାହିଁ କିମ୍ବା କିଛି କରିବା ପାଇଁ ମଧ୍ୟ ଆଗ୍ରହ ପ୍ରକାଶ କରୁନଥିବା ଭଳି ମନେ ହେଉଛି ।

ପରିସ୍ଥିତି ସଙ୍ଗୀନ ହେବା ପୂର୍ବରୁ ଆମେ ପୁନର୍ବାର ଆପଣଙ୍କୁ କହୁଛୁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାଥୀରେ ସମସ୍ତ ଡ୍ରାଇଭର ସଂଘକୁ ଡକାଇ ସମାଧାନର ସୂତ୍ର ବାହାର କରନ୍ତୁ । ଅହଙ୍କାର ଛାଡି ଭଲ ଚିନ୍ତା କରିବା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ଲୋଇସିଂହା ବିଧାୟକ ଶ୍ରୀ ମହାଲିଙ୍ଗ୍ ଟ୍ୱିଟ୍ କରିଛନ୍ତି ।

Spread the love