କିଟରେ ଅନୁଷ୍ଠିତ ହେଲା ତିନିଦିନିଆ ୟୁକେ-ଇଣ୍ଡିଆ ହେଲ୍‌ଥଟେକ୍‌ ବୁଟ୍‌କ୍ୟାମ୍ପ

ଭୁବନେଶ୍ୱରର କିଟ୍‌ ଟିବିଆଇ, ଆକାଡେମିକ୍‌ ହେଲ୍‌ଥ ସାଇନ୍‌ସ ନେଟୱର୍କ, ହମ୍ବର, ଭୁବନେଶ୍ୱର ସିଟି ନଲେଜ ଇନୋଭେସନ୍‌ କ୍ଲଷ୍ଟର ଫାଉଣ୍ଡେସନ୍‌ ମିଳିତ ଆନୁକୂଲ୍ୟରେ ତିନିଦିନିଆ ୟୁକେ-ଇଣ୍ଡିଆ ହେଲ୍‌ଥଟେକ୍‌ ବୁଟ୍‌କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦେଶର ବିଭିନ୍ନ ରାଜ୍ୟରୁ ଡିଜିଟାଲ୍‌ ହେଲ୍‌ଥକେୟାର କ୍ଷେତ୍ରରେ କାର୍ଯ୍ୟ କରୁଥିବା ୨୫ଟି ଷ୍ଟାର୍ଟଅପ୍‌ କମ୍ପାନୀ ଯୋଗ ଦେଇଥିଲେ।

ବୁଟ୍‌କ୍ୟାମ୍ପର ଦ୍ୱିତୀୟ ଦିବସରେ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା ଯୋଗଦେଇ କୋଭିଡ୍‌ ପରେ ପ୍ରଯୁକ୍ତି ଭିତ୍ତିକ ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତ୍ୱ ଦିଆଯାଉଥିବା କହିଥିଲେ। ସେ ଜିନୋମିକ୍‌ସ ଓ ବାୟୋଇଞ୍ଜିନିୟରିଂ ଜରିଆରେ ପ୍ରତିଷେଧକମୂଳକ ହସ୍ତକ୍ଷେପ ଉପରେ ଗୁରୁତ୍ୱ ଦେଇଥିଲେ। ଏହା ସହିତ କୋଭିଡ୍‌ ପରିଚାଳନା କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ବିଭିନ୍ନ ପଦକ୍ଷେପ ଓ କିମ୍‌ସ -ଭୁବନେଶ୍ୱରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ମନ୍ତ୍ରୀ ଅଶୋକ ପଣ୍ଡା କହିଥିଲେ।

କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ବ୍ରିଟିଶ ହାଇକମିଶନର ପିଟର୍‌ କୁକ୍‌ ବୁଟ୍‌କ୍ୟାମ୍ପ ପାଇଁ ୧୫୦ରୁ ଉର୍ଦ୍ଧ୍ୱ ଆବେଦନ ଆସିଥିବା ଦେଖି ସନ୍ତୋଷ ବ୍ୟକ୍ତ କରିବା ସହ ଏହାକୁ ଭବିଷ୍ୟତରେ ଇଂଲଣ୍ଡ, ଆମେରିକା, ଲାଟିନ୍‌ ଅମେରିକା, ଇଉରୋପ ଓ ବିଶ୍ୱର ଅନ୍ୟ ଦେଶରେ ପ୍ରସାର ହେବା ନେଇ ଆଶା ବ୍ୟକ୍ତ କରିଥିଲେ।

କିଟ୍‌ ଟିବିଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ମୃତ୍ୟୁଞ୍ଜୟ ସୁଆର କହିଲେ, ବର୍ତ୍ତମାନ ସୁଦ୍ଧା କିଟ୍‌ ଟିବିଆଇ ୩୮୦ରୁ ଊର୍ଦ୍ଧ୍ୱ ଷ୍ଟାର୍ଟଅପ୍‌ ଜରିଆରେ ୫ହଜାରରୁ ଊର୍ଦ୍ଧ୍ୱ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିସାରିଛି। ସ୍ୱାସ୍ଥ୍ୟ କ୍ଷେତ୍ର ବ୍ୟତୀତ କିଟ୍‌ ଟିବିଆଇ କୃଷି, ଆଇଟି, ଇଂଜିନିୟରିଂ, ପରିବେଶ, ମଳଜଳ ପରିଚାଳନା ଓ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ କାର୍ଯ୍ୟ କରୁଛି।.

Spread the love