“ଜ୍ୱିଗାଟୋ” ଚଳଚ୍ଚିତ୍ରରେ ଅଭିନୟ କରିଥିବା ୟୁବିକାଙ୍କୁ ସମ୍ବର୍ଦ୍ଧନା

ସତ୍ୟଦ୍ରଷ୍ଟା(ଭୁବନେଶ୍ୱର): ବଲିଉଡ ଚଳଚ୍ଚିତ୍ର “ଜ୍ୱିଗାଟୋ”ରେ ଅଭିନୟ କରି ବେଶ୍ ପ୍ରଶଂସାଲାଭ କରିଥିବା ଶିଶୁ କଳାକାର ୟୁବିକା ବ୍ରହ୍ମାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ସମ୍ବର୍ଦ୍ଧିତ କରାଯାଇଛି । ଏହି ସମ୍ବୋଦ୍ଧିତ ଉତ୍ସବରେ କାଦମ୍ବିନୀର ସମ୍ପାଦିକା ତଥା ଜାତୀୟ ପୁରସ୍କାରପ୍ରାପ୍ତ ପ୍ରଯୋଜିକା ଡ.ଇତିରାଣୀ ସାମନ୍ତ, ଓଡ଼ିଆ ଫିଲ୍ମ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ସୁନାମଧନ୍ୟ ନିର୍ଦ୍ଦେଶକ ସୁଧାଂଶୁ ସାହୁ ଏବଂ ବରିଷ୍ଠ ଚଳଚ୍ଚିତ୍ର ସାମ୍ବାଦିକ ତଥା “ସିନେ କ୍ରିଟିକ୍ ଆସୋସିଏସନ”ର ସମ୍ପାଦକ ଦିଲୀପ ହାଲି ଅତିଥିଭାବେ ଯୋଗ ଦେଇଥିଲେ ।


ୟୁବିକା କିନ୍ ଇଂଟରନ୍ୟାସନାଲ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢ଼ୁଛନ୍ତି ଓ ତାଙ୍କ ଘର କେନ୍ଦୁଝର । ନନ୍ଦିତା ଦାସଙ୍କ ପ୍ରଯୋଜନା ତଥା ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ୟୁବିକା ପ୍ରଖ୍ୟାତ କମେଡିଆନ୍ କପିଲ ଶର୍ମାଙ୍କ ଝିଅ ଭୂମିକାରେ ଅଭିନୟ କରିଛନ୍ତି । ଏଥିପାଇଁ ୟୁବିକାଙ୍କୁ ସବୁସ୍ତରରୁ ପ୍ରଶଂସା ମିଳିବାରେ ଲାଗିଛି । ୟୁବିକାଙ୍କ ଏହି ସଫଳତା ପଛରେ ବାପା ସରୋଜ କୁମାର ବ୍ରହ୍ମା, ମା’ରୋଜାଲିନ୍ ବିଶ୍ୱାଳଙ୍କ ବିଶେଷ ପ୍ରେରଣା ଓ ଅବଦାନ ରହିଛି । ଏମାନଙ୍କ ବ୍ୟତୀତ ଅଭିନୟର ସବୁତକ ଶ୍ରେୟ ସେ ନନ୍ଦିତାଙ୍କୁ ହିଁ ଦିଅନ୍ତି । ଭବିଷ୍ୟତରେ ଜଣେ ଡାକ୍ତର ହେବା ସହ ଅଭିନୟ ଜାରିରଖିବେ ବୋଲି ୟୁବିକା “ସତ୍ୟଦ୍ରଷ୍ଟା”କୁ କହିଛନ୍ତି ।
ଏହି ଅବସରରେ ୟୁବିକାଙ୍କୁ ଓଡ଼ିଆ ସିନେ ଆର୍ଟିଷ୍ଟ ଆସୋସିଏସନ ସିନେ କ୍ରିଟିକ୍ ଆସୋସିଏସନ, ଟେଲି ଆର୍ଟିଷ୍ଟ ଆସୋସିଏସନ, ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମ୍ ଏବଂ ବଲିଉଡ ଓଡ଼ିଆ ଆସୋସିଏସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ବେଷ୍ଟ ଆଇଡିଆଜର ନିର୍ଦ୍ଦେଶକ ହରପ୍ରସାଦ ମହାପାତ୍ରଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ଚଳଚ୍ଚିତ୍ର ଜଗତ ସହ ସମ୍ପୃକ୍ତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଶୁଭମ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love