ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ରାଜ୍ୟ ବିଜେପି ମୁଖିଆ

ରାଜ୍ୟ ସରକାର ଉପରେ ପୁଣି ବର୍ଷିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଆଜି ଏକାଧିକ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିବା ସହିତ ରାଜ୍ୟ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି ମନମୋହନ । ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତଠୁ ଆରମ୍ଭ କରି ବିଜେଡି ନେତାଙ୍କ ଘରେ ଆଇଟି ରେଡ୍ ଏବଂ ରତ୍ନଭଣ୍ଡାର ଖୋଲାନଯିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଜେପି ରାଜ୍ୟ ମୁଖିଆ ।

ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ପ୍ରସଙ୍ଗରେ ମନମୋହନ କହିଛନ୍ତି, ଏହି ଗସ୍ତର ଉଦ୍ଦେଶ୍ୟ ଲୋକଙ୍କୁ ବୋକା ବନାଇବା । ଓଡିଶା ଲୋକ ବହୁତ ଥର ବୋକା ବନିଲେଣି ଆଉ ବୋକା ବନିବେ ନାହିଁ । ମୁଖ୍ୟମନ୍ତ୍ରୀ ବହୁତ ଥର ବହୁତ ଦେଶ ଗଲେଣି । ଯେତେବେଳେ କୁଆଡେ ଯାଇନଥିଲେ, ୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଓଡିଶାକୁ ମିଳିଥିଲା । ହେଲେ ଆଜିକୁ ୨୫ ବର୍ଷ ଭିତରେ ସେହି ୭ ଲକ୍ଷ କୋଟିର ପୁଞ୍ଜିର ୧୦ ପ୍ରତିଶତ କି ୨୦ ପ୍ରତିଶତ ମଧ୍ୟ ବିନିଯୋଗ ହୋଇପାରିଲା ନାହିଁ । ଅନ୍ୟପଟେ ରାଜ୍ୟରେ ଭିତ୍ତିଭୂମି, ଶିଳ୍ପ ଅନୁକୂଳ ପରିବେଶ ତିଆରି ହୋଇପାରିଲା ନାହିଁ । ଯେଉଁମାନେ ଆସିଲେ ତାଙ୍କର ଚପଲ ଛିଣ୍ଡି ଗଲା ହେଲେ ଜମି ମିଳିଲା ନାହିଁ, ଭିତ୍ତିଭୂମି ମିଳିଲା ନାହିଁ । ଖାଲି ସେତିକି ନୁହେଁ, ଆରଏନଆର ପଲିସିକୁ କାର୍ଯ୍ୟକାରୀ କରାଗଲା ନାହିଁ । କେନ୍ଦ୍ର ସରକାର ଆଇନ କଲେ ପଲିସି କଲେ, ତାକୁ ମଧ୍ୟ ରାଜ୍ୟ ସରକାର ମାନିଲେ ନାହିଁ କି ପ୍ରଣୟନ କଲେ ନାହିଁ ବୋଲି ମନମୋହନ କହିଛନ୍ତି ।

ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେଡ଼ି ନେତାଙ୍କ ଘରେ ଆଇଟି ରେଡ୍ ପ୍ରସଙ୍ଗରେ ମଧ୍ୟ ମନମୋହନ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ଯଦି ସେମାନେ ସଚ୍ଚୋଟ ଅଛନ୍ତି ତେବେ ଡରୁଛନ୍ତି କାହିଁକି ? ସେମାନେ ଯଦି ନିଷ୍ଠାରେ କାମ କରୁଛନ୍ତି, ଦୁର୍ନୀତିଗ୍ରସ୍ତ ନୁହନ୍ତି, ଲୋକଙ୍କ ସେବା କରୁଛନ୍ତି, ତା ହେଲେ ଡରୁଛନ୍ତି କାହିଁକି ? ଯେଉଁ ମାନଙ୍କ ପାଖରେ ଆୟ ବହିର୍ଭୂତ ସମ୍ପତ୍ତି ଅଛି, ସେମାନେ ଆୟକର ଯଦି ଦେଉଥାନ୍ତେ ତାହେଲେ ଆଇଟି ବିଭାଗ କାହିଁକି ରେଡ୍ କରନ୍ତା ବୋଲି ମନମୋହନ ପ୍ରଶ୍ନ କରିଛନ୍ତି । ସେହିପରି ଇନକମ୍ ଟ୍ୟାକ୍ସ ରେଡ୍ ସହ ବିଜେପିର କଣ ସମ୍ପର୍କ ଅଛି ? ବିଜେପି ନେତା ଯଦି ଇନକମ୍ ଟ୍ୟାକ୍ସ ଦେବେ ନାହିଁ, ସେମାନଙ୍କ ଘରେ କଣ ରେଡ୍ ହେବ ନାହିଁ ନା ଧରାଯିବ ନାହିଁ । ବିଜେପି କେବେ କେନ୍ଦ୍ରୀୟ ସଂସ୍ଥାକୁ ବ୍ୟବହାର କରୁନି, ସେମାନେ ଛାଇ ଦେଖିକି ଡରୁଛନ୍ତି । ସେମାନେ ହଜାର ହଜାର କୋଟି ଟଙ୍କାର ପାହାଡ଼ ଉପରେ ବସିଛନ୍ତି । ତେଣୁ ତାଙ୍କୁ ଭୟ ଅଛି, ଛାନିଆ ହେଉଛନ୍ତି, ବ୍ୟସ୍ତ ହେଉଛନ୍ତି ବୋଲି ମନମୋହନ କହିଛନ୍ତି ।

ସେପଟେ ଓଡିଶାରୁ କେହି ଦାଦନ ନଯିବା ନେଇ ବିଜେଡ଼ିର ଦମ୍ଭୋକ୍ତି ପ୍ରସଙ୍ଗରେ ମନମୋହନ କହିଛନ୍ତି, ରାଜ୍ୟର ଯେକୌଣସି ୧୦ଟି ଗାଁକୁ ଯାଇ ଦେଖନ୍ତୁ କେତେ ଲୋକ ଦାଦନ ଯାଇଛନ୍ତି ଜାଣି ପାରିବେ । ଲୋକଙ୍କୁ ପଚାରିଲେ ତାଙ୍କ ପରିବାରରୁ କେତେ ଜଣ ଦାଦନ ଯାଇଛନ୍ତି ଜଣାପଡ଼ିଯିବ । ବିଜେଡ଼ି ନେତା ମଧ୍ୟ ଯାଇ ଦେଖନ୍ତୁ, ୨୬ ଲକ୍ଷର ହିସାବ ବନ୍ଦ କାହିଁକି କରିଦେଲେ ? ଦେଶର ୧୦ଟି ସହରରେ ୧୦ ଲକ୍ଷରୁ ଅଧିକ ଲୋକ ଦାଦନରେ ଖଟୁଛନ୍ତି । ଓଡିଶାରୁ ଦେଢ଼ କୋଟିରୁ ଅଧିକ ଲୋକ ବାହାରକୁ ଦାଦନ ଖଟିବାକୁ ଯାଇଛନ୍ତି ଜ୍ଝ ଏହା କଣ କାହାକୁ କହିବାର ଆବଶ୍ୟକତା ଅଛି କି ? ବୋଲି କହିଛନ୍ତି ମନମୋହନ ସାମଲ ।

ସେହିପରି ରତ୍ନଭଣ୍ଡାର କାହିଁକି ଖୋଲୁନାହିଁ ? ନବୀନ ବାବୁଙ୍କୁ ପଚାରନ୍ତୁ, ରତ୍ନଭଣ୍ଡାର ଚାବି ଗଲା କୁଆଡେ ? ନବୀନ ବାବୁ ଉତ୍ତର ଦେବେ, ଚାବି ଗଲା କୁଆଡେ । ହାଇକୋର୍ଟ ଅର୍ଡର ଦେଲା ପରେ ବି ଏହା କାର୍ୟ୍ୟକାରୀ କାହିଁକି ହେଉ ନାହିଁ , ନବୀନ ବାବୁଙ୍କୁ ପଚାରିଲେ ସେ ଉତ୍ତର ଦେବେ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

Spread the love