ଅନ୍‌ଲାଇନ୍‌ ଆପ୍‌ରେ ଠକେଇ ଅଭିଯୋଗରେ ଅଭିଯୁକ୍ତକୁ ବାନ୍ଧିଲା ଇଓଡବ୍ଲୁ

ଭୁବନେଶ୍ବର/ବାଲେଶ୍ବର: ଅନ୍‌ଲାଇନ୍‌ ଆପ୍‌ ମାଧ୍ୟମରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଭୁବନେଶ୍ବର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ବାଲେଶ୍ବର ଜିଲ୍ଲା ଅଙ୍ଗାରଗାଡ଼ିଆ ଗାଁର ନିଲେସ କୁମାର କର। ନିଲେସକୁ ଗିରଫ ପରେ  ବାଲେଶ୍ବରରେ କୋର୍ଟରେ ହାଜର କରାଯାଇଥିଲା। ତାକୁ ଅଧିକ ପଚରାଉଚରା ପାଇଁ ଇଓଡବ୍ଲୁ ୪ ଦିନିଆ ରିମାଣ୍ଡରେ ଭୁବନେଶ୍ବରକୁ ନେଇ ଆସିଛି। ଇଓଡବ୍ଲ୍ୟୁ କହିଛି, ବାଲେଶ୍ବର ଜିଲ୍ଲା ସହଦେବଖୁଣ୍ଟା ଅଞ୍ଚଳର ମହାମାୟା ଜେନା ନାମକ ଜଣେ ବ୍ୟକ୍ତି ଠକେଇର ଶିକାର ହେଲା ପରେ ନିଲେସଙ୍କ ବିରୋଧରେ ଅଭିଯୋଗ କରିଥିଲେ। ନିଲେସ ତାଙ୍କୁ ଏକ ଆପ୍‌/ୱେବ୍‌ସାଇଟ୍‌ ‘କ୍ଲାଉଡ-ଫଟ୍‌’ରେ ଟଙ୍କା ନିବେଶ କରି ଅତିରିକ୍ତ ରୋଜଗାର କରିବାକୁ ପ୍ରବର୍ତ୍ତାଇଥିଲେ। ନିଲେସଙ୍କ କଥାରେ ପଡ଼ି ମହାମାୟା ୨ ଲକ୍ଷ ୧୩ ହଜାର ୩୮ ଟଙ୍କା ଡିପୋଜିଟ୍‌ କରିଥିଲେ। ଏହା ଥିଲା ଚଳିତ ବର୍ଷ ଜାନୁଆରିରୁ ମାର୍ଚ୍ଚ ଭିତର ଘଟଣା। ମହାମାୟା ଦେଖିବାକୁ ପାଇଥିଲେ ଯେ, ତାଙ୍କର ୱାଲେଟ୍‌ରେ ୫୦ ଲକ୍ଷ ୫୭ ହଜାର ୧୧୭ ଟଙ୍କା ରହିଛି। ସେ ଏହି ଟଙ୍କା ଡ୍ର କରିବାକୁ ଚାହୁଁଥିଲେ। କିନ୍ତୁ କ୍ଲାଉଡ-ଫଟ୍‌ ଆପ୍‌ ଅଚାନକ ବନ୍ଦ ହୋଇଯାଇଥିଲା।

Spread the love