ଭୃସଙ୍ଗ ପତ୍ର ଭଳି ବ୍ୟବହାର ପରେ ଭାଇଙ୍କୁ ବିଜେପି ଫୋଫାଡ଼ିଦେବ: ଅଜିତ ଆଣ୍ଟୋନି

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏକେ ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନି ଗତକାଲି ବିଜେପିରେ ଯୋଗ ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ପୀୟୁଷ ଗୋୟଲ, ଭି ମୁରଲୀଧରନ ଏବଂ କେରଳ ବିଜେପି ମୁଖ୍ୟ କେ ସୁରେନ୍ଦ୍ରନଙ୍କ ଉପସ୍ଥିତିରେ ଅନିଲ ଆଣ୍ଟୋନି ବିଜେପିରେ ସାମିଲ ହୋଇଥିଲେ | ତେବେ ବିଜେପିରେ ଅନିଲ ଯୋଗ ଦେବାକୁ ନେଇ କଡା ସମାଲୋଚନା କରିଛନ୍ତି ଏକେ ଆଣ୍ଟୋନିଙ୍କ ସାନପୁଅ ଅଜିତ ଆଣ୍ଟୋନି | ଅଜିତ କହିଛନ୍ତି ଯେ କାମ ସରିବା ପରେ ବିଜେପି ତାଙ୍କୁ ଭୃସଙ୍ଗ ପତ୍ର ପରି ଫିଙ୍ଗି ଦେବ। ଅଜିତ କହିଛନ୍ତି ଯେ ବୁଝିବିଚାରି ଭାଇ ଏହି ନିଷ୍ପତ୍ତି ନେଇନାହାଁନ୍ତି। ସେ ବିଜେପିରେ ଯୋଗ ଦେଉଛନ୍ତି ବୋଲି ଆମ ପରିବାର ବି ଜାଣିନଥିଲେ | ଆମେ ଗଣମାଧ୍ୟମ ମାଧ୍ୟମରେ ଏହା ଜାଣିବାକୁ ପାଇଲୁ |

ଅଜିତ କହିଛନ୍ତି ଯେ ଅନିଲ ବିଜେପିର ସଦସ୍ୟତା ଗ୍ରହଣ କରିବା ଦେଖି ବାପା ଅତ୍ୟନ୍ତ ଦୁଃଖୀ ହୋଇପଡିଥିଲେ | ଅଜିତ କହିଛନ୍ତି ଯେ ଆମେ ପିତାଙ୍କୁ ଏତେ ଦୁଃଖୀ ହେବାର କେବେ ଦେଖିନାହୁଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ କଂଗ୍ରେସ ଦଳର କିଛି କର୍ମୀ ତାଙ୍କୁ ଅପମାନଜନକ କଥା କହି ଆସୁଥିଲେ | ଏଭଳି ପରିସ୍ଥିତିରେ ମୁଁ ଭାବିଥିଲି ଯେ ସେ କଂଗ୍ରେସ ଦଳଠାରୁ ଦୂରରେ ରହିବେ, କିନ୍ତୁ ସେ ବିଜେପିରେ ଯୋଗ ଦେବେ ବୋଲି କେବେ ଭାବିନଥିଲି | ଅନିଲ ବିଜେପିରେ ଯୋଗଦେବାକୁ ତରବରିଆ ନିଷ୍ପତ୍ତି ବୋଲି ଅଜିତ କହିଛନ୍ତି | ଦିନେ ସେ ପୁଣି କଂଗ୍ରେସକୁ ଫେରିବେ ବୋଲି ସାନ ଭାଇ ଅଜିତ କହିଛନ୍ତି |

Spread the love