ରାହୁଲ୍‌ ଓ ପ୍ରିୟଙ୍କାଙ୍କୁ ଭେଟି ସାରି ଖଡ୍‌ଗେଙ୍କୁ ଭେଟିଲେ ନବଜୋତ୍‌ ସିଦ୍ଧୁ

ନୂଆଦିଲ୍ଲୀ: ରାହୁଲ୍‌ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଭେଟିବାର ଦିନକ ପରେ ଆଜି ପଞ୍ଜାବର ପୂର୍ବତନ କଂଗ୍ରେସ ମୁଖ୍ୟ ନବଜୋତ୍‌ ସିଂହ ସିଦ୍ଧୁ ଆଜି ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଓ ଯୋଗାଯୋଗ ଦାୟିତ୍ବରେ ଥିବା ଦଳର ସାଧାରଣ ସଚିବ ଜୟରାମ ରମେଶଙ୍କୁ ଭେଟିଛନ୍ତି। ଖଡ୍‌ଗେଙ୍କଠାରୁ ଆଶୀର୍ବାଦ ଗ୍ରହଣ କରି ସିଦ୍ଧୁ କହିଲେ, ଖଡ୍‌ଗେ ହେଉଛନ୍ତି ଗରିବମାନଙ୍କର ସମର୍ଥକ ଓ ସତ୍ୟର ପ୍ରବକ୍ତା। ସେ ଦଳ ପାଇଁ ସକାରାତ୍ମକ ବାତାବରଣ ଓ ସୌଭାଗ୍ୟ ଆଣିଛନ୍ତି।

ଅଫିସିଆଲ୍‌ ଟୁଇଟର୍‌ ହ୍ୟାଣ୍ଡଲ୍‌ରେ ନବଜୋତ୍‌ ସିଦ୍ଧୁ ଲେଖିଛନ୍ତି, ୯ଥର ବିଧାୟକ, ୩ଥର ସାଂସଦ, ଗରିବମାନଙ୍କର ସମର୍ଥକ, ସତ୍ୟର ପ୍ରବକ୍ତା- ଏସବୁର ସାର୍ଥକ ନାଁ ହେଉଛନ୍ତି ମଲ୍ଲିକାର୍ଜୁନ ଖଡ୍‌ଗେ। ମାନ୍ୟବର କଂଗ୍ରେସ ଅଧ୍ୟକ୍ଷଙ୍କୁ ଭେଟି ଆଶିଷ ଗ୍ରହଣ କଲି। ସେ ଦଳରେ ସକାରାତ୍ମକ ବାତାବରଣ ସୃଷ୍ଟି କରିବା ସହିତ ଦଳ ପାଇଁ ସୌଭାଗ୍ୟ ଆଣିଛନ୍ତି। ଗୁରୁବାର ଦିନ ରାହୁଲ୍‌ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟି ସାରିବା ପରେ ସିଦ୍ଧୁ କହିଥିଲେ ଯେ, ତାଙ୍କୁ ଜେଲ୍‌ ହୋଇପାରେ କିଂବା ଅଟକ ରଖାଯାଇପାରେ। କିନ୍ତୁ, ପଞ୍ଜାବ ଓ ତାଙ୍କ ନେତାମାନଙ୍କ ପ୍ରତି ଥିବା ପ୍ରତିବଦ୍ଧତାରୁ ସେ ଓହରି ଯିବେନାହିଁ। ସ୍ମରଣଯୋଗ୍ୟ, ୧୯୯୮ ମସିହାର ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ମାମଲାରେ ଜେଲ୍‌ ଦଣ୍ଡାଦେଶ ପୂରଣ କରି ଏପ୍ରିଲ୍‌ ୧ ତାରିଖ ଦିନ ସିଦ୍ଧୁ ପଟିଆଲା ଜେଲ୍‌ରୁ ରିଲିଜ୍‌ ହୋଇଥିଲେ।

Spread the love