ବିଜେପି ନେତ୍ରୀଙ୍କ ପୁଅ ଉପରକୁ ବୋମାମାଡ଼, ଅଳ୍ପକେ ବର୍ତ୍ତିଲେ ସ୍କୁଟିରେ ଯାଉଥିବା ମହିଳା; ଘଟଣା ସିସିଟିଭିରେ କଏଦ

ପ୍ରୟାଗରାଜରେ ବିଜେପି ମହିଳା ନେତ୍ରୀଙ୍କ ପୁଅ ଉପରେ ମରଣାନ୍ତକ ଆକ୍ରମଣ। ତାଙ୍କୁ ବୋମାରେ ମରଣାନ୍ତକ ଆକ୍ରମଣ କରାଯିବା ନେଇ ଥାନାରେ ଅଭିଯୋଗ ଆସିଛି। ଆକ୍ରମଣକାରୀମାନେ ମହିଳା ନେତ୍ରୀଙ୍କ ପୁଅଙ୍କ ସଫାରୀ କାର୍‌ ଉପରେ ଦୁଇଟି ବୋମା ଫିଙ୍ଗିଛନ୍ତି। ବୋମା ଫାଟିବା ଦ୍ୱାରା କାର୍‌ କ୍ଷତିଗ୍ରସ୍ତ ହୋଇଛି। ଯଦିଓ କାର୍‌ ଭିତରେ ଥିବା ନେତ୍ରୀଙ୍କ ପୁଅ ଏବଂ ତାଙ୍କ ସାଙ୍ଗଙ୍କୁ କୌଣସି ଆଘାତ ଲାଗିନାହିଁ। ବୋମାମାଡ଼ ଘଟଣାର ସିସିଟିଭି ଭିଡିଓ ଏବେ ସାମ୍ନାକୁ ଆସିଛି। ଘଟଣା ପ୍ରୟାଗରାଜର ଝୁସି ଅଞ୍ଚଳର ଆବାସ ବିକାଶ କଲୋନୀର ବୋଲି ଜଣାପଡ଼ିଛି। ବିଜେପି ନେତ୍ରୀ ସ୍ଥାନୀୟ ଝୁସି ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି।

ମହିଳା ନେତ୍ରୀ ବିଜୟଲକ୍ଷ୍ମୀ ଚନ୍ଦେଲ ହେଉଛନ୍ତି ବିଜେପିର ଜିଲ୍ଲା ମନ୍ତ୍ରୀ। ସେ ଥାନାପୁର ଗ୍ରାମସଭାରେ ଗ୍ରାମ ପ୍ରଧାନ ମଧ୍ୟ ଅଛନ୍ତି। ତାଙ୍କ ପୁଅ ୨୦ ବର୍ଷୀୟ ବିଧାନ ସିଂ ଗୁରୁବାର ରାତି ୮ଟାରେ ନିଜ ମାଉସୀ ଘରକୁ ଯାଉଥିଲେ। ସେଠାରେ ଦୁଇଟି ବାଇକ୍‌ରେ ୬ ଜଣ ଯୁବକ ଆସି ବିଧାନଙ୍କ ସଫାରୀ କାର୍‌ ଉପରେ ବୋମାମାଡ଼ କରିଥିଲେ। ତେବେ ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ପୋଲିସ କନଷ୍ଟେବଳଙ୍କ ପୁଅ ଥିବା ଅଭିଯୋଗରେ ଦର୍ଶାଯାଇଛି।

ଅଭିଯୋଗ ମୁତାବକ, କନଷ୍ଟେବଳଙ୍କ ପୁଅ ସହିତ ମହିଳା ନେତ୍ରୀଙ୍କ ପୁଅ ବିଧାନଙ୍କର କିଛି ଦିନ ତଳେ ଝଗଡ଼ା ହୋଇଥିଲା। କନଷ୍ଟେବଳ ଏବଂ ତାଙ୍କ ପୁଅ ନେତ୍ରୀଙ୍କ ଘରକୁ ଯାଇ କ୍ଷମା ମଧ୍ୟ ମାଗିଥିଲେ। ଏହାସତ୍ତ୍ୱେ ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ କାର୍‌ ଉପରକୁ ବୋମାମାଡ଼ କରାଯାଇଛି।

Spread the love