ତାଲିକାରେ ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ

ୱେବସାଇଟ୍‌ର ପୁରୁଣା ତଥ୍ୟକୁ ନେଇ ନୂଆ ଚର୍ଚ୍ଚା। ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି ତାଲିକା ନେଇ, ଏ ଚର୍ଚ୍ଚା ହେଉଛି। ଆସୋସିଏସନ ଫର ଡେମୋକ୍ରେଟିକ ରିଫର୍ମସ, ADRର ରିପୋର୍ଟରେ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ପ୍ରକାଶ ହୋଇଛି। ବାସ୍ତବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସମ୍ପତ୍ତି ତାଲିକା, ବହୁ ଆଗରୁ ପ୍ରତିବର୍ଷ ଦେଇ ଆସୁଛନ୍ତି।

ପ୍ରତି ବର୍ଷ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରିମଣ୍ଡଳ ସଦସ୍ୟ ସମ୍ପତ୍ତିର ତଥ୍ୟ ଦିଅନ୍ତି। ଏହା ସରକାରଙ୍କ ୱେବ୍‌ସାଇଟ୍‌ରେ ଅପଲୋଡ୍‌ ହୁଏ। ସର୍ବସାଧାରଣ ଏହି ତାଲିକା ଦେଖି ପାରିବେ। ୨୦୨୦ରେ ମୁଖ୍ୟମନ୍ତ୍ରୀ ଯେଉଁ ତଥ୍ୟ ଦେଇଥିଲେ, ସେଥିରେ ତାଙ୍କର ୩ଟି ସ୍ଥାବର ସମ୍ପତ୍ତି ଥିଲା। ଯାହାର ମୂଲ୍ୟ ପ୍ରାୟ ୬୪ କୋଟି ଟଙ୍କା। ଏହି ତିନିଟି ସ୍ଥାବର ସମ୍ପତ୍ତି ବଂଶାନୁକ୍ରମିକ ଭାବେ ତାଙ୍କୁ ମିଳିଛି। ଏହି ତଥ୍ୟରେ ନିଜେ ନବୀନ ପଟ୍ଟନାୟକ ସ୍ୱାକ୍ଷର କରିଛନ୍ତି। ଫରିଦାବାଦର ଟିକ୍ରିଖେରା ଗାଁରେ ଥିବା ସ୍ଥାବର ସମ୍ପତ୍ତି ଓ ନବୀନ ନିବାସ ସମ୍ପତ୍ତି ମାଆଙ୍କଠାରୁ ମିଳିଛି।

ଦିଲ୍ଲୀ ଅବ୍ଦଦୁଲ କଲାମ ରୋଡରେ ଥିବା ସମ୍ପତ୍ତି, ବାପା ବିଜୁ ପଟ୍ଟନାୟକଙ୍କଠାରୁ ମିଳିଛି। ନବୀନଙ୍କ ଫରିଦାବାଦ ସମ୍ପତ୍ତିର ମୂଲ୍ୟ ୧୦.୭୫ କୋଟି ଟଙ୍କା, ନବୀନ ନିବାସର ମୂଲ୍ୟ ୯.୫୨ କୋଟି ଟଙ୍କା ଏବଂ ୨୦୧୪ରେ ଥିବା ମୂଲ୍ୟରେ ଅବ୍ଦୁଦଲ କଲାମ ରୋଡରେ ଥିବା ସମ୍ପତ୍ତିର ମୂଲ୍ୟ ୪୩.୩୬ କୋଟି ଟଙ୍କା। ଏହି ସମ୍ପତ୍ତିର ତାଲିକା ବହୁ ପୂର୍ବରୁ ନବୀନ ଉଲ୍ଲେଖ କରିଛନ୍ତି।

ବର୍ତ୍ତମାନ ଏଡିଆର ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ମୂଲ୍ୟ ଆକଳନ କରି, ତାଲିକା ପ୍ରସ୍ତୁତ କରିଛି। ତେଣୁ ନବୀନଙ୍କ ସମ୍ପତ୍ତି ତଥ୍ୟରେ କିଛି ନୂଆ ନାହିଁ। ଏହି ତାଲିକାରେ ୫୧୦ କୋଟି ଟଙ୍କା ସହ ପ୍ରଥମରେ ଅଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଓ ଦ୍ୱିତୀୟରେ ଅଛନ୍ତି ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରେମା ଖଣ୍ଡୁ।

Spread the love