ସମ୍ବଲପୁରରେ ୪୮ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ

ସମ୍ବଲପୁର ହନୁମାନ ଜୟନ୍ତୀ ବାଇକ ରାଲିରେ ପଥରମାଡ଼ ଘଟଣାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସରକାରଙ୍କ ପଦକ୍ଷେପ । ୪୮ ଘଣ୍ଟା ପାଇଁ ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରହିଛି । ଆଜି ଦିନ ୧୦ଟାରୁ ୪୮ ଘଣ୍ଟା ପାଇଁ ବନ୍ଦ ରହିବ ଇଣ୍ଟରନେଟ୍ ସେବା । ଫେସବୁକ, ହ୍ବାଟ୍ସଆପ, ଟ୍ବିଟର ଓ ଅନ୍ୟାନ୍ୟ ସୋସିଆଲ ମିଡିଆ ଉପରେ ମଧ୍ୟ କଟକଣା ଲାଗିଛି । ଇଣ୍ଟରନେଟ ସେବା ବନ୍ଦ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ହିଂସାକାଣ୍ଡ ଘଟିଥିଲା ।ପଥରମାଡ଼ ଘଟଣା ପରେ ଜିଲ୍ଲାରେ ବୁଧବାର ଠାରୁ ୧୪୪ ଧାରା ମଧ୍ୟ ଜାରି ରହିଛି । ଏହି ଘଟଣାରେ ୨୫ ଜଣଙ୍କୁ ଉଠାଇ ନେଇଛି ପୋଲିସ । ଗତକାଲି ବାଇକ୍ ରାଲି ବେଳେ ମୋତିଜିରା ନିକଟରେ ମସଜିଦ୍ ସାମ୍ନାରେ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟ ପକ୍ଷରୁ ପଥରମାଡ଼ କରାଯାଇଥିଲା । ଯେଉଁଥିରେ ୧୫ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଯାହାର କିଛି ସାଙ୍ଘାତିକ ଚିତ୍ର ସାମ୍ନାକୁ ଆସିଛି । ଧନୁପାଲି ମହିଳା IICଙ୍କ ମୁହଁରେ ଲାଗିଛି ଆଘାତ । ଅତିରିକ୍ତ SP, ଧନୁପାଲି IIC ଓ ଟାଉନ୍ ଥାନା ଇନଚାର୍ଜ ମଧ୍ୟ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବାଇକ୍ ଶୋଭାଯାତ୍ରାରେ ଯାଉଥିବା କିଛି ଯୁବକ ମଧ୍ୟ ପଥର ମାଡ଼ରେ ଆହତ ହୋଇଛନ୍ତି ।

ସେହିପରି ପଥର ମାଡ଼ରେ ଉଭୟ ଗୋଷ୍ଠୀର କେତେ ଜଣ ଆହତ ହୋଇଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ କେଉଁ ପରିସ୍ଥିତିରେ ହିଂସା ଆରମ୍ଭ ହେଲା, ତାହା ମଧ୍ୟ ଜଣା ପଡିନାହିଁ । ହିଂସାକାଣ୍ଡରେ ସମ୍ବଲପୁରର ଭୁତାପଡା, ସୁନାପାଲି, ମୋତି ଝରଣ ଓ ଜିଲ୍ଲା ସ୍କୁଲ ଛକ ଅଞ୍ଚଳରେ କେତୋଟି ବାଇକ ଓ କାର ଭଙ୍ଗାରୁଜା କରାଯାଇଥିବା ବେଳେ କେତେକ ସ୍ଥାନରେ ବାଇକ ପୋଡା ଯାଇଥିଲା । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ଛକରେ ବ୍ୟାପକ ପୋଲିସ ମୁତୟନ କରାଯିବା ସହ ଉତ୍ତେଜନା ପ୍ରବଣ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିଲା । ଯାହା ଆଜି ମଧ୍ୟ ବଳବତ୍ତର ରହିଛି ।

Spread the love