ବିଶ୍ବର ଉତ୍ତପ୍ତ ସହର: ଦ୍ବିତୀୟରେ ବାରିପଦା, ଦଶମରେ ଝାରସୁଗୁଡ଼ା
ଭୁବନେଶ୍ବର : ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗୁଛି ବାରିପଦା। ବିଶ୍ବର ଉତ୍ତପ୍ତ ସହର ପାଲଟିଥିବା ବାରିପଦାର ସର୍ବୋଚ୍ଚ ତାପମାତ୍ରା ଶୁକ୍ରବାର ଦିନ ୪୪ ଡିଗ୍ରିରେ ପହଞ୍ଚିଛି। ଯାହାକି ଦେଶର ସବୁଠାରୁ ଉତ୍ତପ୍ତ ସହର। ସନ୍ଧ୍ୟା ୭ଟା ସୁଦ୍ଧା ବିଶ୍ବର ଉତ୍ତପ୍ତ ସହରଗୁଡ଼ିକ ମଧ୍ୟରେ ବାରିପଦା ଦ୍ବିତୀୟ ସ୍ଥାନରେ ଥିବାବେଳେ ଝାରସୁଗୁଡ଼ା ଦଶମରେ ରହିଥିଲା। ରାଜ୍ୟର ୨୦ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ଓ ୫ଟି ସହରର ପାରଦ ୪୦ ଡିଗ୍ରି ରହିଥିଲା। ପାରାଦୀପ, ଗୋପାଳପୁର, ପୁରୀ ବ୍ୟତୀତ ରାଜ୍ୟର ସମସ୍ତ ସହରର ତାପମାତ୍ରା ୩୫ ଡିଗ୍ରି ଉପରକୁ ଡେଇଁ ଯାଇଛି। ଆଜି (ଶନିବାର) ମଧ୍ୟରେ ସମାନ ସ୍ଥିତି ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।
ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଅଧିକାଂଶ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହୁଛି।
ଫଳରେ ଏଭଳି ସ୍ଥିତି ଲାଗି ରହିଛି। ଆସନ୍ତା ଦୁଇ ଦିନ ମଧ୍ୟରେ ବାୟୁ ପ୍ରବାହରେ କୌଣସି ପରିବର୍ତ୍ତନ ହେବ ନାହିଁ। ତେଣୁ ୧୫ତାରିଖରେ ବି ଗ୍ରୀଷ୍ମ ପ୍ରବାହ ଜାରି ରହିବ। ତାହାକୁ ନଜରରେ ରଖି ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳ ଜିଲ୍ଲା ଏବଂ ୧୬ ତାରିଖ ଲାଗି ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ସୋନପୁର ଓ ବୌଦ୍ଧ ଜିଲ୍ଲା ପାଇଁ ହିଟ୍ୱେଭ୍ ଜାରି ହୋଇଛି। ୧୬ ତାରିଖଠାରୁ ଜଳୀୟବାଷ୍ପ ବାୟୁ ରାଜ୍ୟକୁ ପ୍ରଭାବ କରିବାର ସମ୍ଭାବନା ରହିଛି। ପ୍ରଭାବରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ହୋଇପାରେ। ଏହାପରେ ତାତି ତଳମୁହାଁ ହେବ। ୧୬ରୁ ୧୮ ଯାଏ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି। ୧୭ ତାରିଖରେ ଉପକୂଳ ଓ ନିକଟବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୧୮ ତାରିଖରେ ମଧ୍ୟ କାଳବୈଶାଖୀ ବର୍ଷା ହେବାକୁ ଥିବାରୁ ୟେଲୋୱାର୍ଣ୍ଣିଂ ଜାରି ହୋଇଛି।