ଅଭିଷେକ ବାନାର୍ଜୀଙ୍କୁ ସିବିଆଇ, ଇଡି ଜେରା କରିବା ଉଚିତ: କାଲକାଟା ହାଇକୋର୍ଟ

ନୂଆଦିଲ୍ଲୀ : ଚାକିରି ପାଇଁ ଲାଞ୍ଚ ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଏବଂ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଟିଏମ୍‌ସି ନେତା ଅଭିଷେକ ବାନାର୍ଜୀଙ୍କୁ ଜେରା କରିବା ଉଚିତ। କାଲକାଟା ହାଇକୋର୍ଟ ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟ ଆଜି ଏହି ଟିପ୍ପଣୀ ଦେଇଛନ୍ତି। ଅଭିଷେକ ବାନାର୍ଜୀ ‌ହେଉଛନ୍ତି ଟିଏମ୍‌ସିର ସାଧାରଣ ସଚିବ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀଙ୍କ ପୁତୁରା।

ତେବେ କୋର୍ଟ ଆଜି ବହିଷ୍କୃତ ଟିଏମ୍‌ସି ଯୁବ ଶାଖା ନେତା କୁନ୍ତଳ ଘୋଷଙ୍କ ଆବେଦନର ଶୁଣାଣି କରିବା ସମୟରେ ଏହି ଟିପ୍ପଣୀ ଦେଇଛନ୍ତି। ଚାକିରି ପାଇଁ ଲାଞ୍ଚ ଦୁର୍ନୀତି ମାମଲାରେ ଜଣେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି କୁନ୍ତ‌ଳ ଘୋଷ। ଉଭୟ ସିବିଆଇ ଏବଂ ଇଡି ତାଙ୍କୁ ଏହି ମାମଲାରେ ଅଭିଷେକ ବାନାର୍ଜୀଙ୍କ ନାଁ ନେବାପାଇଁ ଚାପ ପକାଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ବାନାର୍ଜୀ ମଧ୍ୟ କୁନ୍ତଳ ଘୋଷଙ୍କ ନାମ ନନେଇ ଟିଏମ୍‌ସିର ଏକ ବୈଠକରେ ଏହି ସମାନ କଥା କହିଥିଲେ। ତେବେ ହାଇକୋର୍ଟ କହିଛନ୍ତି, ଘୋଷ ଏବଂ ବାନାର୍ଜୀ ସମାନ ଟିପ୍ପଣୀ ରଖିଥିବାରୁ ସେମାନଙ୍କୁ ଏକାଠି ଜେରା କରାଯିବା ଉଚିତ।

Spread the love