ଚଳିଲା ନୂଆ ପାଞ୍ଜି: ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ପାଇଁ ଶୁଭ ବର୍ଷ

ପୁରୀ : ବୈଶାଖ କୃଷ୍ଣ ନବମୀ ତିଥିରେ ଚଳିଛି ପାଞ୍ଜି। ଆସନ୍ତା ୨୧ ତାରିଖରେ ବୃହସ୍ପତି ମୀନ ରାଶିରୁ ମେଷକୁ ଚଳିବେ। ବୃହସ୍ପତି ନିଜ ଘର ଛାଡ଼ି ମେଷ ରାଶିକୁ ଚଳନ କରୁଥିବାରୁ ରାଜ୍ୟର ପରିସ୍ଥିତି ଭଲ ରହିବ ବୋଲି କହିଛନ୍ତି ପାଞ୍ଜି ସମୀକ୍ଷକ ହରିଶଙ୍କର ମିଶ୍ର।

ଶ୍ରୀ ମିଶ୍ର କହିଛନ୍ତି, ବିଭିନ୍ନ ପାଞ୍ଜି ଓ ଗ୍ରହଚଳନ ମୁତାବକ ଓଡ଼ିଶାରେ ଏଥର ଭଲ ବର୍ଷା ହେବ। ଫଳସ୍ବରୂପ ଚାଷ ଭଲ ହେବ। ଯଦିଓ କୃଷି ଅନୁକୂଳ ବର୍ଷା ହେବ, କିନ୍ତୁ ରାହୁ ଚଳନ ଯୋଗୁ ଅକ୍ଟୋବର ବେଳକୁ ବାତ୍ୟା ଓ ବନ୍ୟା ହେବାର ଆଶଙ୍କା ରହିଛି। ସେହିପରି ଅଗ୍ନି ଉତ୍ପାତ ବଢ଼ିବ। ବନାଗ୍ନି ଚିନ୍ତା ବଢ଼ାଇବ। ଅଂଶୁଘାତ ଏଥର ଅଧିକ ଜୀବନ ନେବାର ଆଶଙ୍କା ରହିଛି। କୋଭିଡ୍‌ ଯେତେ ପ୍ରଭାବ ଜମାଇବାକୁ ଚାହିଁଲେ ବି ଲୋକଙ୍କୁ ମାରିବାରେ ସକ୍ଷମ ହେବନାହିଁ। କ୍ବଚିତ୍‌ ମୃତ୍ୟୁବରଣ କରିବେ। ରାଜନୈତିକ ଅସ୍ଥିରତା ଓ ବାଦ ବିବାଦ ଦେଖାଦେବ।

କିନ୍ତୁ, ଏକାଦଶରେ ବୃହସ୍ପତି ଯୋଗୁ ମିଥୁନ ରାଶିର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଚଳିତ ବର୍ଷ ଶୁଭ ଫଳ ପ୍ରଦାନ କରିବ। ତେବେ ଦଳର ସମୟ ନିର୍ଘଣ୍ଟ ଭିନ୍ନ ହୋଇଥିବାରୁ ଦଳରେ ବିଭିନ୍ନ ସମସ୍ୟା ମୁଣ୍ଡ ଟେକିବାର ଆଶଙ୍କା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରବଳ ବିରୋଧର ସମ୍ମୁଖୀନ ହେବେ ସିନା, କିନ୍ତୁ ଲୋକପ୍ରିୟତା ପ୍ରଭାବିତ ହେବନାହିଁ ବୋଲି ସେ କହିଛନ୍ତି।

Spread the love