ଗୋଲଡେନ୍ ଲ୍ୟାଣ୍ଡ୍ କମ୍ପାନି ଜମିରେ ପ୍ଲଟିଂ ଯୋଜନା

ହିଞ୍ଜିଳିକାଟୁ: ଗଂଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅଧୀନ ପୋଚିଲିମା ଓ ନିକଟବର୍ତ୍ତୀ ଇଲାକାରେ ଥିବା ଗୋଲଡେନ୍ ଲ୍ୟାଣ୍ଡ୍ କମ୍ପାନିର ଜମି ଉପରେ ବେଆଇନ ପ୍ଲଟିଂ ‌ପାଇଁ ଯୋଜନା ହେଉଥିବା ହିଞ୍ଜିଳିକାଟୁ ଜମାକାରୀ ମଞ୍ଚ ଅଭିଯୋଗ ‌କରିଛି। ଏହି ମର୍ମରେ ଜମାକାରୀମାନେ ଥାନାଧିକାରୀଙ୍କ ଦ୍ବାରସ୍ଥ ହୋଇ ଗଞ୍ଜାମ ଏସ୍‌.ପି.ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ ଅଭିଯୋଗ ହେଉଛି, ଏସମସ୍ତ ଜମିକୁ ଚିଟଫଣ୍ଡ ସଂସ୍ଥା ଗୋଲଡେନ୍ ଲ୍ୟାଣ୍ଡ୍ କମ୍ପାନି କ୍ରୟ କରିଥିଲା। ଏହି କମ୍ପାନିରେ ସହସ୍ରାଧିକ ଜମାକାରୀ ସେମାନଙ୍କ କଷ୍ଟାର୍ଜିତ ପୁଞ୍ଜି ଜମା କରିଥିବା ବେଳେ ଏଯାଏ ମ୍ୟାଚୁରିଟି ରାଶ ପାଇନାହାନ୍ତି।

ହିଞ୍ଜିଳିକାଟୁ ଅଞ୍ଚଳର କିଛି ଜମିମାଫିଆଙ୍କ ସହାୟତାରେ ଜମିରେ ବେଆଇନ ଭାବେ ପ୍ଲଟିଂ ପାଇଁ ଯୋଜନା ଚାଲିଛି। ଜଣେ ବ୍ୟକ୍ତି ନିଜକୁ କମ୍ପାନିର ନି‌ର୍ଦ୍ଦେଶକ ବୋଲି କହି ମାଫିଆମାନଙ୍କ ସହ ହାତ ମିଳାଇଛନ୍ତି। ତେବେ ସରକାରୀ ବେଞ୍ଚମାର୍କ ଭେଲ୍ୟୁସନ୍ ଅନୁସାରେ ଯଦି ଜମି ବିକ୍ରି ହୁଏ, ତା’ହେଲେ ଜମାକାରୀ ନିଜର ଜମାରାଶି ଫେରି ପାଇବେ ନାହିଁ। କାରଣ ମାର୍କେଟ୍ ଭେଲ୍ୟୁସନ୍ ଠାରୁ ବେଞ୍ଚମାର୍କ ଭେଲ୍ୟୁସନ୍ ବହୁତ କମ୍ ଥାଏ। ଏଣୁ, ଜମାକାରୀଙ୍କ ସ୍ବାର୍ଥକୁ ଧ୍ୟାନରେ ରଖି ଉକ୍ତ ଜମିକୁ ଖୋଲା ନିଲାମରେ ବିକ୍ରି କରି ଅର୍ଥ ଫେରସ୍ତ କରିବାକୁ ମଞ୍ଚ ଦାବି କରିଛି।

Spread the love