ସରକାରୀ କର୍ମଚାରୀ ରାଜନୈତିକ ଦଳର କର୍ମୀ ହୁଅନ୍ତୁ ନାହିଁ: ବିଜୟ ପଟ୍ଟନାୟକ

ରାୟଗଡ଼ା: ବିଜେଡି ଓ ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ। ଏହି ଦୁଇ ଦଳ ମିଶି ଲୋକଙ୍କୁ ଲୁଟୁଛନ୍ତି। ସରକାରୀ କର୍ମଚାରୀ ରାଜନୈତିକ ଦଳର କର୍ମୀ ହୁଅନ୍ତୁ ନାହିଁ। କାରଣ ସରକାରୀ କର୍ମଚାରୀ ସକ୍ରିୟ କର୍ମୀ ହୋଇ ରାଜନୈତିକ ଦଳ ପାଇଁ କାମ କଲେ ଆଗକୁ ଭୟଙ୍କର ପରିଣାମ ହେବ। ଏଥିପାଇଁ କଂଗ୍ରେସ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବ। କଂଗ୍ରେସ ନେତା ବିଜୟ ପଟ୍ଟନାୟକ ଏହା କହିଛନ୍ତି। ରାୟଗଡ଼ାରେ ଗସ୍ତକାଳରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବୁଧବାର ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ବିଜେଡି ଦଳ ଲୋକଙ୍କ ପାଇଁ କି କାମ କରିଛି? ଲୋକେ ଆଜି ବି ପକ୍କା ଘର କି ଭତ୍ତା ଟିକେ ପାଇଁ କେତେ ହଇରାଣ ହେଉଛନ୍ତି। ନିଜର ଅଭିଜ୍ଞତା କହି ସେ ଲୋକେ ଜଣେ ଜଣେ ଦୁଇରୁ ତିନିଥର ପକ୍କା ଘର ନେଇଥିବା କହିଥିଲେ। ଏଥିରେ ବିଜେଡି ସରକାରଙ୍କ ହାତ ରହିଛି। ଆଗକୁ କଂଗ୍ରେସ କ୍ଷମତାକୁ ଆସିଲେ ବିଜେଡିର ସମସ୍ତ ମୁଖା ଖୋଲିଯିବା ସହ ଲୋକଙ୍କ ପାଇଁ କାମ କରିବ।

ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ବିପୁଳ ସଂଖ୍ୟାରେ ବିଜୟ ଲାଭ କରିବ। ଲୋକେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଉପରେ ଖପା ରହିଛନ୍ତି। ଆଗକୁ ପରିବର୍ତ୍ତନ ଚାହୁଁଛନ୍ତି। ତେଣୁ କଂଗ୍ରେସ ଏକମାତ୍ର ଦଳ ଯିଏ କି ଲୋକଙ୍କ ପାଇଁ କାମ କରିଛି ଏବଂ ଆଗକୁ କରିବ ବୋଲି କୁହାଯାଇଥିଲା। ମୁଖ୍ୟ ଅତିଥି କଂଗ୍ରେସ କର୍ମୀଙ୍କୁ ଏକଜୁଟ ହୋଇ ଲଢେଇ କରିବାକୁ ଆହ୍ବାନ ଦେବା ସହ ନିର୍ବାଚନରେ ଯେପରି କଂଗ୍ରେସ ବିଜୟୀ ହେବ ସେନେଇ ଗୁରୁମନ୍ତ୍ର ପ୍ରଦାନ କରିଥିଲେ। ଶାସନ କଳରେ ନିଜର ଅଭିଜ୍ଞତାକୁ ବଖାଣିଥିଲେ। ରାୟଗଡ଼ା ଜିଲ୍ଲାର ଶତାଧିକ କଂଗ୍ରେସ କର୍ମୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି କଂଗ୍ରେସକୁ କିପରି ମଜବୁତ କରାଯିବ ନିଜ ନିଜ ବକ୍ତବ୍ୟରେ ମତାମତ ଦେଇଥିଲେ।

ସାଂସଦ ସପ୍ତଗିରି ଉଲାକା ମଧ୍ୟ ସାମ୍ବାଦିକ ସମ୍ମିଳନୀରେ କିପରି ଲୋକସଭାକୁ ବିଜେପିର ମନ୍ତ୍ରୀ ଏବଂ କ୍ୟାବିନେଟ ମନ୍ତ୍ରୀମାନେ ହୋହଲ୍ଲା କରି ବନ୍ଦ କରିଦିଅନ୍ତି ସେ ସଂପର୍କରେ କହିଥିଲେ। ରାୟଗଡା ଏବଂ କୋରାପୁଟ ଜିଲ୍ଲାରେ ରହିଥିବା ସମସ୍ୟାକୁ ସେ ଲୋକସଭାରେ ଉପସ୍ଥାପନ କରିଥିଲେ ମଧ୍ୟ ବିଜେପି ସରକାର ସେସବୁକୁ ଅଣଦେଖା କରୁଛି। ସେହିପରି ବିଜେଡି ସରକାର ଦୀର୍ଘ ୨୩ ବର୍ଷ ଶାସନ କରି ମଧ୍ୟ ଲୋକଙ୍କର ପ୍ରିୟଭାଜନ ହୋଇପାରି ନାହିଁ।ଲୋକେ ବିଜେଡି ନେତାଙ୍କୁ ଦେଖିଲେ ରାଗନ୍ତି। ତେଣୁ ପରିବର୍ତ୍ତନ ଚାହନ୍ତି। ଏବେ ସମୟ ଆସିଛି ଆମେ ଏକଜୁଟ ହୋଇଲଢିବା ଏବଂ କଂଗ୍ରେସକୁ ବିପୁଳ ସଂଖ୍ୟାରେ ବିଜୟୀ କରାଇବା। ତେବେ ଏହି ବୈଠକ କଂଗ୍ରେସକର୍ମୀଙ୍କୁ କେତେ ଉତ୍ସାହିତ କରିବା ଆଗକୁ ଜଣାପଡିବ।

ଆଜି ରାୟଗଡାସ୍ଥିତ ଲାଏନସ୍ କ୍ଲବ ଠାରେ ଜିଲ୍ଲା କଂଗ୍ରେସର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ଜିଲ୍ଲା ସଭାପତି ଦୁର୍ଗା ପ୍ରସାଦ ପଣ୍ଡା ସଭାପତିତ୍ବ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ଥିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଡମ୍ବରୁ ଧର ଉଲାକା, ସାଂସଦ ସପ୍ତଗିରି ଉଲାକା, ଆପାଲା ସ୍ବାମୀ କାଡ୍ରାକା, ବିଜୟ ଗମାଙ୍ଗ, ଅମ୍ବିକା ମାଝି, ନୀଳମାଧବ ହୁଇକା, ଅନିଲ ଜୈନ, ଅଜିତ ଦାସ, ଦେବେନ୍ଦ୍ର କୁମାର, ରବୀନ୍ଦ୍ର ଗମାଙ୍ଗ, ଅସଲମ ଖାଁ, ଶଙ୍କର୍ଷଣ ମଙ୍ଗରାଜ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି କର୍ମୀ ସମ୍ମିଳନୀରେ କେନ୍ଦ୍ରରେ ବିଜେପି ଏବଂ ରାଜ୍ୟରେ ବିଜେଡି କିପରି ଦୁର୍ନୀତିରେ ମାତିଛନ୍ତି,ତାର ପର୍ଦାଫାସ କରିଥିଲେ। କେନ୍ଦ୍ରରେ ବିଜେପି ୧୦ ବର୍ଷ ଏବଂ ରାଜ୍ୟରେ ବିଜେଡି ୨୩ ବର୍ଷ ଶାସନ କରି ଲୋକଙ୍କର ମୌଳିକ ସୁବିଧା ଯୋଗାଇବାରେ ବିଫଳ ହେବା ସହ ଲୋଭନୀୟ କଥା କହି ଲୋକଙ୍କୁ ଠକୁଥିବା ଅଭିଯୋଗ ହୋଇଥିଲା।

Spread the love