ଖୋର୍ଦ୍ଧାରେ ‘କୃତ୍ରିମ ଅଙ୍ଗ ନିର୍ମାଣ କେନ୍ଦ୍ର’ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା: ଭିନ୍ନକ୍ଷମମାନେ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ସେମାନଙ୍କ ଉପଯୁକ୍ତ ଥଇଥାନ ଆମ ସମସ୍ତଙ୍କ ଦାୟିତ୍ୱ । ଦେଶୀୟ ଜ୍ଞାନ କୌଶଳରେ ନିର୍ମିତ ଜୟପୁର ଫୁଟ୍, ଏକ ଅନନ୍ୟ ଉତ୍ପାଦନ । ଏହା ଭିନ୍ନକ୍ଷମମାନଙ୍କୁ ସଂପୂର୍ଣ୍ଣ ସକ୍ଷମ କରିପାରିବ ବୋଲି ଆଜି ଗୁରୁଜଙ୍ଗ ଠାରେ ରାଜ୍ୟର ପ୍ରଥମ ବିଜୁ-ମହାବୀର ଜୟପୁର ଫୁଟ ନିର୍ମାଣ କେନ୍ଦ୍ରକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି ।

ନିଜ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀପଟ୍ଟନାୟକ କହିଛନ୍ତି ଯେ ରାଜ୍ୟ ସରକାର ଭିନ୍ନକ୍ଷମଙ୍କ ଥଇଥାନ, ତାଲିମ ଦ୍ୱାରା ସେମାନଙ୍କୁ ସଶକ୍ତ କରିବାକୁ ପଦକ୍ଷେପ ନେଉଛନ୍ତି । ଏହି ପଦକ୍ଷେପରେ ଖୋର୍ଦ୍ଧାରେ ଆରମ୍ଭ ହୋଇଥିବା ଜୟପୁର ଫୁଟ୍ କେନ୍ଦ୍ର ଏକ ବିଶେଷ ଭୂମିକା ଗ୍ରହଣ କରିବ । ଏହାକୁ ବ୍ୟବହାର କରି ଜଣେ ଭିନ୍ନକ୍ଷମ ଚାଲିବା, ଦୌଡ଼ିବା ଠାରୁ ଆରମ୍ଭ ନିଜର ଦୈନନ୍ଦିନ ଅନେକ କାମ ସୁରୁଖୁରରେ ସମ୍ପାଦନ କରିପାରିବ ବୋଲି କହିଥିଲେ । ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା କହିଥିଲେ ଯେ ରାଜ୍ୟରେ ଭିନ୍ନକ୍ଷମ ସଶକ୍ତୀକରଣ ପାଇଁ ଯେଉଁ ଅଭିଯାନ ଚାଲିଛି ସେଥିରେ ଏହି କେନ୍ଦ୍ର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ ।
ସଭାରେ ସ୍ୱାଗତ ଭାଷଣ ଦେଇ ଜୟପଣ ଫୁଟ୍ କେନ୍ଦ୍ରର ପ୍ରତିଷ୍ଠାତା ଡ ଡିଆର୍ ମେହେଟ୍ଟା କହିଲେ ଯେ ତାଙ୍କ ସଂସ୍ଥା ୫୦ ବର୍ଷ ଧରି ଭିନ୍ନକ୍ଷମଙ୍କୁ ସକ୍ଷମ କରିବା ଦିଗରେ କାମ କରିଆସିଛି । କେବଳ ଭାରତରେ ନୁହେଁ ଭାରତ ବାହାରେ ମଧ୍ୟ ଏହି ପ୍ରୟାସ ଜାରି ରଖିଛି । ଏହି କେନ୍ଦ୍ରରେ ଲୋକଙ୍କ ଆବଶ୍ୟକତାକୁ ନେଇ କୃତ୍ରିମ ଅଙ୍ଗ ପ୍ରସ୍ତୁତ କରାଯିବ । ଭ୍ରାମ୍ୟମାଣ ଯାନ ଜରିଆରେ ସବୁ ଜିଲ୍ଲାକୁ ଯାଇ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ । ସଭା ମଂଚରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ଜୟପୁର ଫୁଟ୍ କେନ୍ଦ୍ରର କାର୍ଯ୍ୟନିର୍ବାହୀ ସଭାପତି ସତୀଶ ମେହେଟ୍ଟା ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ୧୬ଜଣଙ୍କୁ କୃତ୍ରିମ ଅଙ୍ଗ, ୮ ଜଣଙ୍କୁ ତିନିଚକିଆ ସାଇକଲ, ୧୭ ଜଣଙ୍କୁ ହ୍ୱିଲ୍ ଚେୟାର, ୩୩ଜଣଙ୍କୁ ଆଶାବାଡ଼ି, ୪ ଜଣଙ୍କୁ ଏଲବୋ କ୍ରେଚ୍, ୪ ଜଣଙ୍କୁ ୱାକିଂ ଷ୍ଟିକ୍ ଓ ୫ଜଣଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦିଗନ୍ତ ରାଉତରାୟ, ଉପଜିଲ୍ଲାପାଳ ଦୀପ୍ତିରଂଜନ ସେଠୀଙ୍କ ସହ ବିଭିନ୍ନ ବ୍ଲକର ବିଡିଓ, ତହସିଲଦାର ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ଡା ଡିଆର୍ ମେହେଟ୍ଟାଙ୍କ ଦ୍ୱାରା ୧୯୭୫ରେ ଆରମ୍ଭ ହୋଇଥିବା ଏହି ସଂସ୍ଥା ଏକ ସ୍ୱେଚ୍ଛାସେବୀ ସଂସ୍ଥା । ଖୋର୍ଦ୍ଧା-ଗୁରୁଜଙ୍ଗରେ ରାଜ୍ୟରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଏହି କେନ୍ଦ୍ର ପାଇଁ ରାଜ୍ୟ ସରକାର ଗୃହ ଯୋଗାଇ ଦେଇଥିବା ବେଳେ ଯେଉଁ ଲୋକଙ୍କୁ କୃତ୍ରିମ ଅଙ୍ଗ ଯୋଗାଇଦିଆଯିବ ସେ ବାବଦକୁ ରାଜ୍ୟ ସରକାର ୫୫୦୦ଟଙ୍କା ସହାୟତା ରାଶି ସଂସ୍ଥାକୁ ପ୍ରଦାନ କରିବେ ।

Spread the love