ମାଟ୍ରିକ୍‌ ପରୀକ୍ଷା ପରିଚାଳନାରେ ସାଂଘାତିକ ତ୍ରୁଟି: ଛାତ୍ରୀଙ୍କ ଠାରୁ ଉତ୍ତର ଖାତା ନନେଇ, ପ୍ରଶ୍ନ ପତ୍ର ନେଇଗଲେ ସାର

ଉତ୍ତର ଖାତା ନୁହେଁ, ପ୍ରଶ୍ନ ପତ୍ର ନେଇଗଲେ ସାର। ଏଭଳି ଆଶ୍ୟର୍ଯ୍ୟଜନକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଳକ ଜାମୁଝାଡି ସ୍ଥିତ ଦାମୋଦର ହାଇସ୍କୁଲରେ। ଗତ ମାର୍ଚ୍ଚ ୨୦ ତାରିଖରେ ମାଟ୍ରିକ ଛାତ୍ରଛାତ୍ରୀଙ୍କ ଗଣିତ ପରୀକ୍ଷା ଥିଲା। ପରୀକ୍ଷା ଶେଷ ପରେ ଇନଭିଜିଲେଟର ଛାତ୍ରୀଙ୍କ ଠାରୁ ଉତ୍ତର ଖାତା ନନେଇ ପ୍ରଶ୍ନ ପତ୍ରଟିକୁ ନେଇ ଯାଇଥିଲେ। ଯେତେବେଳେ ମାଟ୍ରିକ ଖାତା ଦେଖା ଆରମ୍ଭ ହେଲା, ସେତେବେଳେ ଏହି କଥା ସାମ୍ନାକୁ ଆସିଥିଲା । ପରେ ଉତ୍ତର ଖାତା ନଥିବା କଟକ ଜିଲ୍ଲା ସାଲେପୁର ମୂଲ୍ୟାୟନ କେନ୍ଦ୍ରରୁ ଖବର ଆସିଥିଲା ପରୀକ୍ଷା କେନ୍ଦ୍ରର ଅଧିକ୍ଷକଙ୍କ ନିକଟକୁ। ୨୨ ଦିନ ପରେ ଛାତ୍ରୀଙ୍କ ଠାରୁ ଉତ୍ତର ଖାତା ଅଣାଯାଇ ମୂଲ୍ୟାୟନ କେନ୍ଦ୍ରକୁ ପଠାଯାଇଥିଲା।  ଅନ୍ୟପଟେ ଛାତ୍ରୀ ଜଣଙ୍କ ଭୁଲରେ ପ୍ରଶ୍ନ ପତ୍ର ଯାଗାରେ ଉତ୍ତର ଖାତା ନେଇ ଆସିଥିବା କହିଛନ୍ତି ।

ଏପରି ଘଟଣା ପରେ ରାଜ୍ୟରେ ମାଟ୍ରିକ୍‌ ପରୀକ୍ଷା ପରିଚାଳନା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପରୀକ୍ଷାରେ ସ୍ବଚ୍ଛତା ଅବଲମ୍ବନ ପାଇଁ ପରିଷଦ ପକ୍ଷରୁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଥିବା ବେଳେ ଦାମୋଦର ସରକାରୀ ଉଚ୍ଚବିଦ୍ୟାଳୟରେ ଏଭଳି ତ୍ରୁଟି କେମିତି ହେଲା, ତାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ଘଟଣା ବାଦରେ ସିମୁଳିଆ ବ୍ଲକ୍‌ ଶିକ୍ଷାଧିକାରୀ ପ୍ରକାଶ ଚନ୍ଦ୍ର ମହାଳିକଙ୍କୁ ପଚରାଯାଇଥିଲା। ସେ ଅଧିକ କିଛି କହି ନଥିଲେ ମଧ୍ୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରକାଶ କରିଛନ୍ତି।

Spread the love