ପୁଞ୍ଚରେ ସେନାର ଗାଡ଼ି ଉପରକୁ ଆକ୍ରମଣ ଘଟଣା: ୫ ସହିଦ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ ସାମିଲ

ପୁଞ୍ଚ: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାରେ ଗୁରୁବାର ହୋଇଥିବା ସେନା ଟ୍ରକ ଅଗ୍ନିକାଣ୍ଡ ଘଟଣାରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି। ସହିଦ ଯବାନ ହେଲେ ଦେବାଶିଷ ବିଶ୍ବାଳ। ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିକଟ ଅଳଗୁମ ଗ୍ରାମର ଖଣ୍ଡାୟତସାହି ନିବାସୀ ପ୍ରତାପ ବିଶ୍ବାଳ ଓ ମମତା ବିଶ୍ବାଳଙ୍କ ପୁଅ ଦେବାଶିଷ ବିଶ୍ବାଳ ଜମ୍ମୁକଶ୍ମୀରରେ ମୁତୟନ ଥିଲେ। ଆଜି ସେ ସାଥୀ ଯବାନଙ୍କ ସହିତ ସେନା ଟ୍ରକରେ ଭିମ୍ବର ଗଲିରୁ ପୁଞ୍ଚକୁ ଯାଇଥିବାବେଳେ ଆତଙ୍କବାଦୀଙ୍କ ଆକ୍ରମଣର ଶିକାର ହୋଇଥିଲେ। ଦେବାଶିଷଙ୍କ ଘରକୁ ସେନା ମୁଖ୍ୟାଳୟରୁ ଫୋନ୍ ଆସିଲା ପରେ ଖଣ୍ଡାୟତସାହିରେ ଶୋକାକୁଳ ପରିବେଶ ଦେଖାଯାଇଛି। ଦେବାଶିଷଙ୍କ ସ୍ତ୍ରୀ, ବାପା, ମା’ଙ୍କ ସମେତ ପୂରା ଗାଁ ନିରବ ରହିଯାଇଛି। ଦେବାଶିଷ ବିଶ୍ବାଳ ୨୦୨୧ ଅକ୍ଷୟ ତୃତୀୟା ଦିନ ସୁଶ୍ରୀ ସଙ୍ଗୀତାଙ୍କୁ ବିବାହ କରିଥିଲେ। ତାଙ୍କର ଏକ ୭ମାସର ଶିଶୁକନ୍ୟା ଅଛି।

ସୂଚନାଯୋଗ୍ୟ, ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ ସମର୍ଥିତ ‘ପିଏଏଫ୍ଏଫ୍’ର ଆକ୍ରମଣରେ ରାଷ୍ଟ୍ରୀୟ ରାଇଫଲ୍ସର ୫ ଜଣ ଯବାନ ସହିଦ ହୋଇଥିଲେ। ସେନା ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ସେନା ଟ୍ରକଟି ଭିମ୍ବର ଗଲିରୁ ପୁଞ୍ଚକୁ ଯାଇଥିବାବେଳେ ଅପରାହ୍ଣ ୩ଟା ବେଳେ କେତେକ ଆତଙ୍କବାଦୀ ଟ୍ରକ ଉପରକୁ ଗ୍ରେନେଡ ଫିଙ୍ଗିଥିଲେ ଓ ଫାୟାରିଂ କରିଥିଲେ । ଖରାପ ପାଗ ଓ ଅସ୍ପଷ୍ଟ ବାତାବରଣର ସୁଯୋଗ ନେଇ ଆତଙ୍କବାଦୀମାନେ ଏହି ଆକ୍ରମଣ କରିଥିଲେ ବୋଲି ନର୍ଦର୍ଣ୍ଣ କମାଣ୍ଡ ହେଡକ୍ବାର୍ଟର ପକ୍ଷରୁ କୁହାଯାଇଛି ।

Spread the love