ମହୀଶୂରର ପ୍ରସିଦ୍ଧ ମାୟଲାରୀ ହୋଟେଲ୍‌ରେ ଇଡ୍‌ଲି ଓ ଦୋସା ଖାଇଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା

ମହୀଶୂର: ବରିଷ୍ଠ କଂଗ୍ରେସ ନେତ୍ରୀ ତଥା କଂଗ୍ରେସ ପାର୍ଟି ପାଇଁ କର୍ଣ୍ଣାଟକର ‘ଷ୍ଟାର୍‌ କ୍ୟା‌ମ୍ପେନର୍‌’ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ମହୀଶୂରର ପ୍ରସିଦ୍ଧ ମାୟଲାରୀ ହୋଟେଲ୍‌ରେ ସକାଳ ଜଳଖିଆ କରିଛନ୍ତି। ମାୟଲାରୀ ହୋଟେଲ୍‌ରେ ପ୍ରିୟଙ୍କା ଗ୍ରାହକମାନଙ୍କ ସହିତ ଆଳାପ କରିବା ସହିତ ମହୀଶୂରର କେତେକ ପ୍ରସିଦ୍ଧ ସୁସ୍ବାଦୁ ବ୍ୟଞ୍ଜନ ମଧ୍ୟ ତିଆରି କରିଛନ୍ତି। ‘କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି’ର ସଭାପତି ଡି. କେ. ଶିବକୁମାର ମଧ୍ୟ ପ୍ରିୟଙ୍କାଙ୍କ ସହିତ ଯାଇ ଜଳଖିଆ ପାଇଁ ପ୍ରସିଦ୍ଧି ଅର୍ଜନ କରିଥିବା ମାୟଲାରୀ ହୋଟେଲ୍‌ର ୮୦ ବର୍ଷର ପୁରାତନ ରେସ୍ତୋରାଁରେ ଇଡ୍‌ଲି ଖାଇଥିଲେ। ହୋଟେଲ୍‌ର ରୋଷେଇଶାଳକୁ  ଯାଇ ପ୍ରିୟଙ୍କା ପ୍ରସିଦ୍ଧ ମସଲା ଦୋସା ତିଆରି କରିଥିଲେ। ଜଳଖିଆ ଖାଇବା ବେଳେ ସେ ହୋଟେଲ୍‌‌ ରେସ୍ତୋରାଁରେ ଥିବା ଗ୍ରାହକ ଓ ପିଲାମାନଙ୍କ ସହିତ କଥାବାର୍ତ୍ତା ମଧ୍ୟ କରିଥିଲେ।

ସାମାଜିକ ଗଣମାଧ୍ୟମରେ କଂଗ୍ରେସ ନେତା ଡି. କେ. ଶିବକୁମାର ଲେଖିଛନ୍ତି, ମହୀଶୂର ପ୍ରସିଦ୍ଧ ୮୦ ବର୍ଷର ପୁରାତନ ମାୟରାଲୀ ହୋଟେଲ୍‌ରେ ପ୍ରିୟଙ୍କା ଗାନ୍ଧୀଙ୍କ ସହିତ ଇଡ୍‌ଲି ଜଳଖିଆ କରି ଆଜିର ଦିନ ଆରମ୍ଭ କଲି। ଏଠାକାର ଭୋଜନରେ କେବଳ ଆପଣଙ୍କର ପେଟ ନୁହେଁ, ମନ ବି ପୂରିଯାଏ। ସୂଚନାଯୋଗ୍ୟ, ମେ ୧୦ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ କରାଯାଇ ମେ ୧୩ ତାରିଖରେ ଫଳାଫଳ ଘୋଷଣା କରାଯିବ। ମଙ୍ଗଳବାର ଦିନ ଟି. ନର୍ସିପୁରାରେ ଆୟୋଜିତ ରାଲିରେ ଉଦ୍‌ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‌ମୋଦୀଙ୍କୁ ସମାଲୋଚନା କରି ପ୍ରିୟଙ୍କା ଗାନ୍ଧୀ କହିଲେ, ‘ବିଜେପି’ ନେତାମାନେ ଏଠାକୁ ଆସି ବିଚିତ୍ର କଥା ସବୁ କହୁଥିବା ମୁଁ ଜାଣିଛି। ବିରୋଧୀ ନେତାମାନେ ତାଙ୍କ ପାଇଁ କବର ଖୋଳୁଥିବା କଥା ପ୍ରଧାନମନ୍ତ୍ରୀ କହିଥିବା ମୁଁ ଶୁଣିଛି। ଏ କି ଧରଣର କଥା? ପ୍ରଧାନମନ୍ତ୍ରୀଙ୍କ ଉତ୍ତମ ସ୍ବାସ୍ଥ୍ୟ ଏବଂ ଦୀର୍ଘ ଜୀବନ ଚାହୁଁ ନ ଥିବା ବ୍ୟକ୍ତି ଏ ଦେଶରେ କେହି ନ ଥିବେ। ଭୋଟ୍‌ ବଳରେ ‘ବିଜେପି’କୁ କର୍ଣ୍ଣାଟକରୁ କ୍ଷମତାଚ୍ୟୁତ କରିବା ଲାଗି ପ୍ରିୟଙ୍କା ଜନସାଧାରଣଙ୍କୁ ନିବେଦନ କରିଥିଲେ।

Spread the love