କୋଟି କୋଟି ଟଙ୍କାର ଆର୍ôଥକ ଅନିୟମତିତାର ଅଭିଯୋଗରେ ରାଜ୍ୟ ସମବାୟ ବ୍ୟାଙ୍କ ସଭାପତିଙ୍କୁ ବରଖାସ୍ତ କରାଯାଉ : ପବିତ୍ର ମୋହନ ଦାସ

ଭୁବନେଶ୍ୱର, ତା.୨୬/୦୪: ସଦ୍ୟ ସମାପ୍ତ ରାଜ୍ୟ ସମବାୟ ନିର୍ବାଚନରେ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କର ସଭାପତିଭାବେ ଶ୍ରୀ ଟି.ପ୍ରସାଦ ରାଓ ଦୋରା ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଏହାପୂର୍ବରୁ ଶ୍ରୀ ଦୋରା ଭୁବନେଶ୍ୱର ଟାଉନ ଟେଭଲଭମେଂଟ ହାଉସିଂ କୋପରେଟିଭ୍ ସୋସାଇଟିର ପରିଚାଳନା ପରିଷଦର ସଦସ୍ୟଭାବେ ନିର୍ବାଚିତ ହୋଇ ରାଜ୍ୟ ସମବାୟ ବ୍ୟାଙ୍କକୁ ନିର୍ବାଚିତ ହୋଇଛନ୍ତି । ଏଠାରେ ପ୍ରକାଶଥାଉ କି, ଶ୍ରୀ ଦୋରା ଯେଉଁ ପ୍ରାଥମିକ ସମବାୟ ସମିତିରୁ ନିର୍ବାଚିତ ହୋଇଛନ୍ତି ଅତୀତରେ ତାଙ୍କ ନେତୃତ୍ୱରେ ଏହି ସମିତି ରାଜ୍ୟ ସମବାୟ ଗୃହ ନିର୍ମାଣ ନିଗମ ଲିଃ ଭୁବନେଶ୍ୱରଙ୍କ ଠାରୁ ୧କୋଟି ୧୫ ଲକ୍ଷ ୨୭ହଜାର ୧୫ଟଙ୍କା ଋଣ କରିଥିଲା । ଯେଉଁ ଋଣ ଜୁଲାଇ ୧୦, ୨୦୨୨ ସୁଦ୍ଧା ସୁଧମୂଳ ହୋଇ ୫କୋଟି ୩୮ଲକ୍ଷ ୧୨,୪୦୪ଟଙ୍କାରେ ଅନାଦେୟ ହୋଇ ପଡିରହିଛି । ରାଜ୍ୟ ସମବାୟ ଗୃହ ନିର୍ମାଣ ନିଗମ ତରଫରୁ ଉକ୍ତ ସମବାୟ ସମିତିକୁ ବାରମ୍ବାର ନୋଟିସ୍ ସତ୍ୱେ ଉକ୍ତ ଋଣକୁ ସଂପୃକ୍ତ ସମବାୟ ସମିତି ପରିଶୋଧ ନକରି ନିଗମର ଅଭୂତପୂର୍ବ କ୍ଷତିରେ ସହାୟକ ହୋଇଛନ୍ତି ବୋଲି ଭାରତୀୟ ଜନତା ପାର୍ଟି ଅଭିଯୋଗ କରିଛି ।
ଏ ସମ୍ପର୍କରେ ରାଜ୍ୟ ସମବାୟ ଗୃହ ନିର୍ମାଣ ନିଗମ ଲିଃ ତରଫରୁ ଡିମାଣ୍ଡ ନୋଟିସ୍ ନଂ ୧୦୯୨/୦୮.୦୭.୨୦୨୨ ଜାରୀ କରାଯାଇଥିଲା । ଉକ୍ତ ଅର୍ଥକୁ ଶ୍ରୀ ଦୋରାଙ୍କ ନେତୃତ୍ୱରେ ତତ୍‌କାଳୀନ ପରିଚାଳନା ପରିଷୋଦ ନକରିନାହାନ୍ତି, ଏନେଇ ରାଜ୍ୟ ସମବାୟ ଗୃହ ନିଗମ ତରଫରୁ ବହୁବାର ଡିମାଣ୍ଡ ନୋଟିସ୍ ପଠାଯାଇଥିଲା । ଯାହାର ଚିଠି ନଂ ୮୧୫/୦୯/୦୭/୨୦୨୧ ଏବଂ ୨୭୬୬/୧୦/୦୧/୨୦୨୨ । ତାଙ୍କର ନିର୍ବାଚନକୁ ମଧ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଚ୍ୟାଲେଞ୍ଜ କରାଯାଇଥିଲା । ନିର୍ବାଚନ ଅଧିକାରୀ ରାଜନୈତିକ ଅଭିସନ୍ଧି ରଖି ଅଭିଯୋଗଗୁଡିକୁ କର୍ଣ୍ଣପାତ କରିନଥିଲେ । ଫଳରେ ଶ୍ରୀ ଟି.ପ୍ରସାଦ ରାଓ ଦୋରା ଶାସକ ଦଳର ସହଯୋଗରେ ଗଳାବାଟ ଦେଇ ରାଜ୍ୟ ସମବାୟ ବ୍ୟାଙ୍କ ଭଳି ଆର୍ôଥକ ସଂସ୍ଥାର ଅଧ୍ୟକ୍ଷ ପଦକୁ ନିଦ୍ୱନ୍ଦ୍ୱରେ ହାତେଇ ନେଇଛନ୍ତି । ଯାହାକି ସମବାୟ ଧାରା ୧୯୬୨- ୨୮(୩-ଏ) ଓ ୩-(ଏଏ) ଓଡ଼ିଶା ସମବାୟ ସମିତି ଧାରା ୧୯୬୨ର ବିରୁଧାଚରଣ କରୁଛି ବୋଲି ବିଜେପି ଅଭିଯୋଗ କରିଛି । ଆଜି ଏ ସମ୍ପର୍କରେ ବିଜେପି ସମବାୟ ପ୍ରକୋଷ୍ଠର ରାଜ୍ୟ ସଂଯୋଜକ ଶ୍ରୀ ପ୍ରବିତ୍ର ମୋହନ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ସମବାୟ ନିବନ୍ଧକଙ୍କୁ ଭେଟି ଶ୍ରୀ ଦୋରାଙ୍କ ଦ୍ୱାରା ପଦବୀର ଅପବ୍ୟବହାର ଏବଂ ପଦବୀରେ ରହିବା ଉପରେ ରୋକ ଲଗାଇବା ସହ ପଦବୀରୁ ବରଖାସ୍ତ ପାଇଁ ଦାବି କରିଛନ୍ତି । ଏଥିସହିତ ଏହି ଦାବିପତ୍ରକୁ ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଏବଂ ସମବାୟ ବିଭାଗର ପ୍ରମୁଖ ସଚିବଙ୍କୁ ଭେଟି ପ୍ରଦାନ କରାଯାଇଛି ।
ଏ ସମ୍ପର୍କରେ ରାଜ୍ୟ ସମବାୟ ନିବନ୍ଧକ ବିଧିଅଧୀକାରୀଙ୍କୁ ଡାକି ପୃଙ୍ଖାନୁପୁଙ୍ଖ ଆଲୋଚନା କରି ବିହିତ ପଦକ୍ଷେପ ନେବେ ବୋଲି ଭାରତୀୟ ଜନତା ପାର୍ଟି ପ୍ରତିନିଧି ମଣ୍ଡଳୀଙ୍କୁ କହିଛନ୍ତି ।
ଏହି ପ୍ରତିନିଧି ମଣ୍ଡଳୀରେ ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ପରିଷଦର ସଦସ୍ୟ ଶ୍ରୀ ସୌମ୍ୟରଞ୍ଜନ ଲେଙ୍କା, ସମବାୟ ନେତା ଶ୍ରୀ ଶ୍ରୀରଞ୍ଜନ ମଙ୍ଗରାଜ, ସାନନ୍ଦ ମେହେର, ସିଦ୍ଧାର୍ଥଶଙ୍କର ପତି, ପ୍ରତାପ ଚନ୍ଦ୍ର ମହାପାତ୍ର ଓ ସନ୍ୟାସୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love