ସମସ୍ତ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଦୃଷ୍ଠାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ : ବିଜେପି

ଝାରସୁଗୁଡା /ଭୁବନେଶ୍ୱର, ତା.୦୨/୦୫: ସରକାରୀ କଳ ଓ ବଳକୁ ଅପବ୍ୟବହାର କରି ନିର୍ବାଚନକୁ ହାତେଇବାରେ ମାହିର ହାସିଲ କରିଛି ବିଜୁ ଜନତା ଦଳ, ଯାହାକି ସଂପୂର୍ଣ୍ଣ ବେଆଇନ ଓ ଅଗଣତାନ୍ତ୍ରୀକ । ଚାକିରୀର ଭୟ, ଟଙ୍କା ପଇସାର ପ୍ରଲୋଭନ ଦେଖାଇ ସରକାରୀ କର୍ମଚାରୀଙ୍କୁ ନିଜ ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ବ୍ୟବହାର କରିଆସୁଥିବା ଶାସକ ବିଜେଡି ନିଜର ହୀନ ଉଦ୍ୟମରୁ ନିବୃତ ନରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ । ଅତୀତରେ ଅନେକ ସରକାରୀ କର୍ମଚାରୀ ଶାସକ ବିଜେଡି ପ୍ରତି ଅତ୍ୟାଧିକ ଆନୁଗତ୍ୟ ପ୍ରଦର୍ଶନ କରିବା ସହ ଦଳୀୟ କର୍ମୀ ଭାବେ କାର୍ଯ୍ୟ କରୁଥିବା କାରଣରୁ ନିଜ ନିଜ ଚାକିରୀ ହରାଇଛନ୍ତି । ଏହା ଦ୍ୱାରା ଏକ ଶୃଙ୍ଖଳିତ ଶାସନ ବ୍ୟବସ୍ଥା ସ୍ଥାପନା ହେବାରେ ବିଫଳ ହେଉଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର କହିଛନ୍ତି ।
ଝାରସୁଗୁଡା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଲଇକେରାର ଶିକ୍ଷକ ଶ୍ରୀ ସନ୍ତୋଷ କିସାନ ଶାସକ ବିଜେଡିର ଦଳୀୟ ପ୍ରାର୍ଥୀନିଙ୍କ ପାଇଁ ବିଭିନ୍ନ ସଭା ସମିତି ସହ ଘର ଘର ବୁଲି ଭୋଟ ଦେବା ପାଇଁ ପ୍ରଚାର କାର୍ଯ୍ୟ କରୁଛନ୍ତି । ସେହିପରି ଝାରସୁଗୁଡା ମୁ୍ୟନିସିପାଲିଟିର ୧୪ ନମ୍ବର ଓ୍ôାର୍ଡରେ ଅବସ୍ଥାପିତ ଅଙ୍ଗନବାଡୀ କର୍ମୀ ଶ୍ରୀମତୀ ବବିତା ବର୍ମା ମଧ୍ୟ ଅନୁରୁପ ଭାବେ ବିଜେଡି ପ୍ରାର୍ଥୀନି ସପକ୍ଷରେ ପ୍ରଚାର କାର୍ଯ୍ୟ କରୁଛନ୍ତି । ଯାହାକି ସଂପୂର୍ଣ୍ଣ ଭାବେ ଆଦର୍ଶ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ । ତଥ୍ୟ ପ୍ରମାଣ ସହ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ସେହିପରି ଶାସକ ବିଜେଡି ପାଇଁ ଭୋଟ କାର୍ଯ୍ୟ କରାଉଥିବା ଶିକ୍ଷକ ଦିପାଳି ନାଏକ, ମଣି କିସାନ, ବେଦବ୍ୟାସ କୋର୍ଟାଙ୍କ ବିରୁଦ୍ଧରେ ମଧ୍ୟ ବିଜେପି ପ୍ରତିନିଧି ଦଳ ଅବଗତ କରାଇଥିଲେ । ସମସ୍ତ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଦୃଷ୍ଠାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରତିନିଧି ଦଳ ଦାବୀ କରିଛନ୍ତି ଏବଂ ଆଇନଖିଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି ।
ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, ଜିଲ୍ଲା ସଭାପତି ମଙ୍ଗଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love