ମୋଦୀଙ୍କୁ ସାକ୍ଷାତ କଲେ ନବୀନ, ପୁରୀ ବିମାନବନ୍ଦରକୁ ନେଇ ଆଲୋଚନା

ଭୁବନେଶ୍ୱର/ନୂଆଦିଲ୍ଲୀ : ୪ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି | ତେବେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ନବୀନ କହିଛନ୍ତି ଯେ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି | ବିଶେଷ କରି ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ନେଇ ଆଲୋଚନା ହୋଇଛି | ଭୁବନେଶ୍ୱର ଏୟାରପୋର୍ଟର ଟ୍ରାଫିକ ଅଧିକ ହୋଇଗଲାଣି | ତେଣୁ ପୁରୀରେ ଶ୍ରୀଜଗନ୍ନାଥ ଏୟାରପୋର୍ଟ ପାଇଁ ଦାବି କରାଯାଇଛି | ଏହାକୁ ନେଇ ପ୍ରଧାନମନ୍ତ୍ରୀ ସକାରାତ୍ମକ ପ୍ରତିକ୍ରିୟା ଦେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେହିପରି ଭାରତ ନେଟ୍ ଫେଜ-୨ରେ ଓଡ଼ିଶାକୁ ସାମିଲ କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶାରେ ଅସମ୍ପୂର୍ଣ୍ଣ ଥିବା ଜାତୀୟ ରାଜପଥଗୁଡିକୁ ସମ୍ପୂର୍ଣ୍ଣ କରିବା ସହ ଓଡ଼ିଶାର ପଞ୍ଚାୟତସ୍ତରରେ ଅଧିକରୁ ଅଧିକ ବ୍ୟାଙ୍କ ସ୍ଥାପନ ପାଇଁ ଦାବି କରାଯାଇଛି । ବର୍ତ୍ତମାନ ଓଡିଶାର ୬୭୯୮ ପଞ୍ଚାୟତ ମଧ୍ୟରୁ ୨୮୪୪ ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ସେବା ଅଛି | ଅନ୍ୟ ପଞ୍ଚାୟତଗୁଡ଼ିକୁ ବ୍ୟାଙ୍କ ସେବାରେ ସାମିଲ ପାଇଁ ନବୀନ ମୋଦୀଙ୍କ ନିକଟରେ ଦାବି କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଏହି ସମୟରେ କୌଣସି ରାଜନୈତିକ ପ୍ରସଙ୍ଗ ବାବଦରେ ଆଲୋଚନା ହୋଇନି ବୋଲି ନବୀନ କହିଛନ୍ତି | କିଛିଦିନ ତଳେ ବିହାର ମୁଖ୍ୟମନ୍ତ୍ରୀ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନବୀନଙ୍କୁ ସାକ୍ଷାତ କରିଥିଲେ | ଆଉ ଏହାକୁ ନେଇ ସାମ୍ବାଦିକମାନେ ନବୀନଙ୍କୁ ପ୍ରଶ୍ନ କରିଥିଲେ ଯେ ତୃତୀୟ ସାମ୍ମୁଖ୍ୟ ନେଇ କୌଣସି ଆଲୋଚନା ହୋଇଛି କି? ଏହାର ଉତ୍ତରରେ ନବୀନ କହିଥିଲେ ଯେ କୌଣସି ରାଜନୈତିକ ପ୍ରସଙ୍ଗରେ ଆଲୋଚନା ହୋଇନାହିଁ | ଏଥିସହ ତୃତୀୟ ସାମ୍ମୁଖ୍ୟ ଗଠନ ନେଇ ସେ କୌଣସି ସମ୍ଭାବନା ଦେଖୁନାହାନ୍ତି ବୋଲି ସ୍ପଷ୍ଟ କରିଥିଲେ।

Spread the love