କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ପଦରୁ ବାଦ ପଡିଲେ ତାରା ବାହିନୀପତିଙ୍କ ସ୍ତ୍ରୀ ମିନାକ୍ଷୀ ବାହିନୀପତି

ଭୁବନେଶ୍ୱର: କଂଗ୍ରେସ ପକ୍ଷରୁ ଆଜି ୧୦ଟି ଜିଲ୍ଲା ପାଇଁ ସଭାପତିମାନଙ୍କର ନାମ ଘୋଷଣା କରାଯାଇଛି | ଏହା ସହ ଶୃଙ୍ଖଳା କମିଟି, ଇସ୍ତାହାର କମିଟି ବାବଦରେ ମଧ୍ୟ ଘୋଷଣା କରାଯାଇଛି | ତେବେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ଭାବରେ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ ବାହିନୀପତିଙ୍କ ନାମ ହଟାଯାଇ ଦୁର୍ଗାଶଙ୍କର ସାହୁଙ୍କୁ ଦାୟିତ୍ୱ ଦିଆଯାଇଛି | ଉଲ୍ଲେଖ ଥାଉ କି କିଛିଦିନ ତଳେ କଂଗ୍ରେସ ଭବନରେ ତାରା ଶକ୍ତି ପ୍ରଦର୍ଶନ କରିଥିଲେ । କୋରାପୁଟ କଂଗ୍ରେସର ଶତାଧିକ ଦଳୀୟ ନେତା ଓ କର୍ମୀଙ୍କୁ ଗହଣରେ ଯାଇ ଶକ୍ତି ପ୍ରଦର୍ଶନ କରିଥିଲେ ବିଧାୟକ ତାରା ବାହିନୀପତି ।ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଭେଟି ପୁର୍ନବାର ମିନାକ୍ଷୀ ବାହିନୀପତିଙ୍କୁ କୋରାପୁଟ ଜିଲ୍ଲା ସଭାନେତ୍ରୀ କରିବାକୁ ସେ ଦାବି କରିଥିଲେ । ତେବେ ଅନେକ ଦିନ ଧରି କୋରାପୁଟ ଜିଲ୍ଲା ସଭାପତି ପଦରେ ତାରାଙ୍କ ପତ୍ନୀ ମୀନାକ୍ଷୀ ବାହିନୀପତି ଦାୟିତ୍ୱ ତୁଲାଇଆସୁଥିଲେ । ଆଉ ସେତେବେଳେ ଚର୍ଚ୍ଚା ଜୋର ଧରିଥିଲା ଯେ ସାଂସଦ ସପ୍ତଗିରୀ ଉଲାକାଙ୍କ ଗୋଷ୍ଠୀ ତାଙ୍କୁ ବଦଳାଇବାକୁ ଦିଲ୍ଲୀରେ ଲବି କରୁଛନ୍ତି । ମୀନାକ୍ଷୀଙ୍କ ସ୍ଥାନରେ ଉଲ୍ଲାକାଙ୍କ ସମର୍ଥକଙ୍କୁ କୋରାପୁଟ ଜିଲ୍ଲାର ସଭାପତି କରିବାକୁ ସାଂସଦ ଉଦ୍ୟମ ଚଳାଇଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା । ଏହାରି ଭିତରେ ଆଜି ମିନାକ୍ଷୀଙ୍କ ବଦଳରେ ଦୁର୍ଗାଙ୍କୁ ଦାୟିତ୍ୱ ମିଳିଛି | ସେହିପରି ଇସ୍ତାହାର କମିଟିର ଅଧ୍ୟକ୍ଷ ଭାବେ ପଞ୍ଚାନନ କାନୁନଗୋ, ପ୍ରଚାର ଓ ପ୍ରସାର କମିଟିର ଅଧ୍ୟକ୍ଷ ଭାବେ ସଞ୍ଜୟ ତ୍ରିପାଠୀ, ଶୃଙ୍ଖଳା କମିଟିର ଅଧ୍ୟକ୍ଷ ଭାବେ ସନ୍ତୋଷ ସିଂହ ସାଲୁଜାଙ୍କୁ ଦାୟିତ୍ୱ ମିଳିଛି |

ସେହିପରି ନୂଆପଡା ଜିଲ୍ଲା ପାଇଁ ସୁରେଶ କୁମାର ଆଜାଦ, କେଉଁଝର ପାଇଁ ମୋହନ ପରିଡା, ପୁରୀ ପାଇଁ ଜୟରାମ ପଟ୍ଟନାୟକ, ଭଦ୍ରକ ପାଇଁ ଅଶୋକ ଦାସ, ଅନୁଗୁଳ ପାଇଁ ସଂଗ୍ରାମ ମିଶ୍ର, ସମ୍ବଲପୁର ପାଇଁ ଆସିଫ ଅଲ୍ଲୀ ଖାନ, ସୁନ୍ଦରଗଡ ପାଇଁ ଦନାର୍ଦ୍ଦନ ଦେହୁରୀ, କୋରାପୁଟ ପାଇଁ ଦୁର୍ଗା ଶଙ୍କର ସାହୁ, ରାୟଗଡା ପାଇଁ ବିଜୟ କୁମାର ଗମାଙ୍ଗ, ଦେବଗଡ ପାଇଁ ସେମ ହେମ୍ବ୍ରମଙ୍କୁ ଜିଲ୍ଲା ସଭାପତି ଭାବେ ନିଯୁକ୍ତ କରାଯାଇଛି |

Spread the love