ଗ୍ରିଡକୋକୁ ୬୦୦ ମେଗାୱାଟ୍ ପବନ ଶକ୍ତି ଯୋଗାଇ ଦେବ ଏସଇସିଆଇ

ଭୁବନେଶ୍ବର: ଭାରତ ସରକାରଙ୍କ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରାଳୟ ଅଧୀନସ୍ଥ ଭାରତୀୟ ସୌର ଶକ୍ତି ନିଗମ (ଏସଇସିଆଇ) ଓଡ଼ିଶା ସରକାରଙ୍କ ଗ୍ରିଡକୋକୁ ୬୦୦ ମେଗାୱାଟ୍ ପବନ ବିଦ୍ୟୁତ ଶକ୍ତି ଯୋଗାଇ ଦେବ। ଏଥିପାଇଁ ଉଭୟ ପକ୍ଷ ମଧ୍ୟରେ ଏକ ବିଦ୍ୟୁତ ବିକ୍ରି ରାଜିନାମା ସ୍ୱାକ୍ଷରିତ ହୋଇଛି। ଏହି ରାଜିନାମା ଅଧୀନରେ ଓଡ଼ିଶାର ଗ୍ରିଡକୋ ଭାରତୀୟ ସୌର ଶକ୍ତି ନିଗମ ଠାରୁ ପବନ ବିଦ୍ୟୁତ ପ୍ରକଳ୍ପ ଯୋଜନା ସହ ଜଡ଼ିତ ଆଇଏସଟିଏସ (ଆନ୍ତରାଜ୍ୟ ସଞ୍ଚାରଣ ପ୍ରଣାଳୀ) ଅଧୀନରେ ୬୦୦ ମେଗାୱାଟ୍ ପବନ ବିଦ୍ୟୁତ ଶକ୍ତି କିଣିବ। ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରାଳୟର ଆଇଏସଟିଏସ ଯୋଜନା ଅଧୀନରେ ଅକ୍ଷୟ ଶକ୍ତି ସମ୍ପଦରେ ସମୃଦ୍ଧ ରାଜ୍ୟରେ ଉତ୍ପାଦିତ ହେଉଥିବା ବିଦ୍ୟୁତକୁ ଅକ୍ଷୟ ଶକ୍ତି ଅଭାବ ଥିବା ରାଜ୍ୟମାନଙ୍କୁ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି।

ଆଜି ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ଉପସ୍ଥିତିରେ ଭୁବନେଶ୍ୱର ଠାରେ ଏସଇସିଆଇ ଏବଂ ଗ୍ରିଡକୋ ମଧ୍ୟରେ ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ଗ୍ରିଡକୋ ଦ୍ୱାରା ୬୦୦ ମେଗାୱାଟ ପବନ ବିଦ୍ୟୁତ କ୍ରୟ ପାଇଁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ପୂର୍ବରୁ ନୀତିଗତ ମଞ୍ଜୁରି ଦେଇ ସାରିଛନ୍ତି। ବିଦ୍ୟୁତ ପ୍ରକଳ୍ପର ଉତ୍ପାଦନକାରୀଙ୍କ ସହିତ ବିଦ୍ୟୁତ କ୍ରୟ ରାଜିନାମା ସ୍ୱାକ୍ଷର ହେବା ତାରିଖ ଠାରୁ ୨୪ ମାସ ମଧ୍ୟରେ ବିଦ୍ୟୁତ ଯୋଗାଇ ଦିଆଯିବ।

ଗୁଜରାଟ, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ଥିବା ବିଦ୍ୟୁତ ଉତ୍ପାଦନକାରୀମାନେ ୬୦୦ ମେଗାୱାଟ୍ ପବନ ବିଦ୍ୟୁତ ଶକ୍ତି ଯୋଗାଇ ଦେବେ।
ଏସଇସିଆଇ ହେଉଛି କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରାଳୟ ଅଧୀନ ଏକ ମିନିରତ୍ନ ପ୍ରଥମ ଶ୍ରେଣୀର କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଯାହାକୁ ୨୦୧୧ରେ ଗଠନ କରାଯାଇଥିଲା। ଭାରତର ଅନ୍ତର୍ଜାତୀୟ ପ୍ରତିବଦ୍ଧତାକୁ ପୂରଣ କରିବା ନିମନ୍ତେ ଅକ୍ଷୟ ଶକ୍ତି ଯୋଜନା ଏବଂ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବା ଲାଗି ଏହା ମନ୍ତ୍ରାଳୟର ପ୍ରମୁଖ ସଂସ୍ଥା ଭାବେ କାର୍ଯ୍ୟ କରିଥାଏ।

ବର୍ତ୍ତମାନ ସୁଦ୍ଧା ଏସଇସିଆଇ ୫୮ ଗିଗାୱାଟରୁ ଅଧିକ ଅକ୍ଷୟ ଶକ୍ତି ପ୍ରକଳ୍ପର କ୍ଷମତା ପ୍ରସ୍ତୁତ କରିଛି। ଏସଇସିଆଇ ନିଜସ୍ୱ ନିବେଶ ସହିତ ପ୍ରକଳ୍ପ ପରିଚାଳନା ପରାମର୍ଶଦାତା (ପିଏମସି) ରୂପରେ ରାଷ୍ଟ୍ରାୟତ୍ତ କ୍ଷେତ୍ରର ଅନ୍ୟ ସଂସ୍ଥାମାନଙ୍କ ଲାଗି ପ୍ରକଳ୍ପର ପ୍ରତିଷ୍ଠାରେ ମଧ୍ୟ ସକ୍ରିୟ ରହିଛି। ଏସଇସିଆଇକୁ ଆଇସିଆରଏର ଟ୍ରିପଲ୍ ଏ କ୍ରେଡିଟ୍ ରେଟିଂ ମିଳିଛି।

ଗ୍ରିଡକୋ ବର୍ତ୍ତମାନ ଓଡ଼ିଶା ରାଜ୍ୟର ଚାରିଟି ବିଦ୍ୟୁତ ବିତରଣ କମ୍ପାନି ପାଇଁ ମୋଟ ଆକାରରେ ବିଦ୍ୟୁତ କିଣିବା ଓ ବିକ୍ରି କରିବା ଦାୟିତ୍ୱ ବହନ କରୁଛି। ପଡ଼ୋଶୀ ରାଜ୍ୟ ସହ ବିଦ୍ୟୁତ ବିନିମୟକୁ ପ୍ରୋତ୍ସାହନ ଦେବା ଲାଗି ବ୍ୟବସାୟୀମାନଙ୍କ ମାଧ୍ୟମରେ ବଳକା ବିଦ୍ୟୁତ ବିକ୍ରି କରିବା କ୍ଷେତ୍ରରେ ମଧ୍ୟ ଏହା କାର୍ଯ୍ୟ କରିଥାଏ।

Spread the love