ସରିଲା ଶ୍ରୀଜିଉଙ୍କ ପହଣ୍ଡି: ତିନି ରଥରେ ବିଜେ ହେଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ସରିଲା ପହଣ୍ଡି। ତିନି ରଥରେ ବିଜେ ହେଲେ ଚତୁର୍ଦ୍ଧାମୂର୍ତ୍ତି। ଆଜି ସକାଳ ପ୍ରାୟ ୯ଟା ବେଳେ ପ୍ରଥମେ ଶ୍ରୀସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ତାପରେ ଶ୍ରୀବଳଦେବଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଏହାପରେ ମାତା ସୁଭଦ୍ରାଙ୍କର ଏବଂ ଶେଷରେ କାଳିଆ ଠାକୁରଙ୍କର ପହଣ୍ଡିବିଜେ ହୋଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବେଳେ  ହୁଳହୁଳି, ହରିବୋଲ ଡାକ ସହ ଘଣ୍ଟଘଣ୍ଟା ଧ୍ୱନି ଓ ମର୍ଦ୍ଦଳା, ତୂରୀଭେରୀର ନାଦରେ ସିଂହଦ୍ୱାର ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା। ଗହଳି ଲଗେଇ ଆସିଥିଲେ ମହାପ୍ରଭୁା ଟାହିଆ ହଲେଇ ଆସିଥିଲେ କାଳିଆ ଗୋସାଇଁ।

କାଳିଆ ଠାକୁରଙ୍କ ପହଣ୍ଡି ସରିବା ପରେ ତିନି ରଥରେ ଶୋଭା ପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଦେବଦଳନ ରଥରେ ଶ୍ରୀସୁଦର୍ଶନ ଓ ମାତା ସୁଭଦ୍ରା, ତାଳଧ୍ବଜ ରଥରେ ଶ୍ରୀବଳଦେବ ନନ୍ଦିଘୋଷ ରଥରେ ଶ୍ରୀଜଗନ୍ନାଥ ବିରାଜମାନ ହୋଇଛନ୍ତି। ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ ହେବା ପରେ ପରିବେଶ ଆହୁରି ଭକ୍ତିମୟ ହୋଇଛି। ଏବେ ଭକ୍ତମାନେ ମହାପ୍ରଭୁଙ୍କ ଛେରାପହଁରା ଓ ରଥଟଣାକୁ ଧୈର୍ଯ୍ୟର ସହ ଅପେକ୍ଷା କରିଛନ୍ତି। ଆଜି ରଥଯାତ୍ରାରେ ପୁରୀରେ ୧୦ ଲକ୍ଷ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥିବା କୁହାଯାଉଛି।

ଅପରାହ୍ନ ସାଢ଼େ ୧୨ଟାରୁ ଗୋଟାଏ ଭିତରେ ମଦନମୋହନ, ଶ୍ରୀରାମ ଓ ଶ୍ରୀକୃଷ୍ଣ ରଥକୁ ବିଜେ କରିବେ। ସାଢ଼େ ଗୋଟାଏରୁ ୨ଟା ଭିତରେ ଚିତା ଲାଗି, ସାଢ଼େ ୧ଟାରୁ ସାଢ଼େ ୨ଟା ଭିତରେ ବେଶ ଶେଷ ପରେ ସାଢ଼େ ୨ଟାରୁ ଛେରାପହଁରା ଆରମ୍ଭ ହେବ। ସାଢ଼େ ୩ଟା ସୁଦ୍ଧା ଛେରା ପହଁରା ଶେଷ ହେବ। ପରେ ଚାରମାଳ ଫିଟା, ଘୋଡ଼ା ଓ ସାରଥି ଲାଗି ୩ଟାରୁ ୪ଟା ଭିତରେ ଶେଷ ହେବ। ଅପରାହ୍ନ ୪ଟାରୁ ରଥଟଣା ଆରମ୍ଭ ହେବ। ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନିରଥ ପହଞ୍ଚିବା ପରେ ରଥ ଉପରେ ନୀତିକାନ୍ତି ଅନୁଷ୍ଠିତ ହେବ। ପରଦିନ ଶ୍ରୀଜିଉଙ୍କ ଶ୍ରୀଗୁଣ୍ଡିଚା ପହଣ୍ଡି ବିଜେ ନୀତି ଅନୁଷ୍ଠିତ ହେବ।

Spread the love