ଆସିଲା ମୌସୁମୀ, ରାଜଧାନୀରେ ରେକର୍ଡ ୯୨.୬ ମିମି ବର୍ଷା

ଭୁବନେଶ୍ବର : ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି। ମାଲକାନଗିରିର ଅଧିକାଂଶ ଅଞ୍ଚଳରେ ଗୁରୁବାର ଦିନ ମୌସୁମୀ ସକ୍ରିୟ ହୋଇଥିବା ବେଳେ କୋରାପୁଟ ଓ ଗଜପତି ଜିଲ୍ଲାକୁ ମଧ୍ୟ ଅଗ୍ରସର ହୋଇଛି। ଆସନ୍ତା ୨ ଦିନ ମଧ୍ୟରେ ସାରା ଓଡ଼ିଶା ଛୁଇଁଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି। ୧୨ ଦିନ ବିଳମ୍ବରେ ଆସିଥିଲେ ହେଁ ଗୁରୁବାର ପ୍ରଥମ ଦିନରେ ପ୍ରଚଣ୍ଡ ଖରା ଓ ଗୁଳୁଗୁଳିରୁ ଲୋକଙ୍କୁ ବଡ଼ ଆଶ୍ବସ୍ତି ଦେଇଛି ମୌସୁମୀ।

ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ‌ରାଜଧାନୀରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ଦିନ ୧୧ଟାରୁ ସଂଧ୍ୟା ୫ଟା ମଧ୍ୟରେ ୯୨.୬ ମିମି ବର୍ଷା ହୋଇଥିଲା। କିନ୍ତୁ କଟକରେ ମାତ୍ର ୧୬.୪ ମିମି ବର୍ଷା ହୋଇଛି। ସେହିଭଳି ଜଗତସିଂହପୁରରେ ୬୪.୩ ମିମି, ଅନୁଗୁଳରେ ୩୮ ମିମି, ଗୋପାଳପୁରରେ ୩୬ ମିମି, ବ୍ରହ୍ମପୁରରେ ୩୩ ମିମି ଓ ଭଦ୍ରକରେ ୨୭.୮ ମିମି ବର୍ଷା ରେକର୍ଡ ହୋଇଯାଇଛି। ବିଭିନ୍ନ ସ୍ଥାନରେ ଜାରି ରହିଥିବା ଏହି ବର୍ଷା ଯୋଗୁଁ ରାଜ୍ୟରେ ମୌସୁମୀ ଅଗ୍ରସର ପାଇଁ ଅନୁକୂଳ ପାଗ ସୃଷ୍ଟି ହୋଇଛି।

ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ପାଗ ଅନୁକୂଳ ଥିବାରୁ ଧୀରେଧୀରେ ସାରା ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଯିବ। ଶୁକ୍ରବାର ଦିନ ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲ‌ାରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏଣୁ ଏହି ସବୁ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି। ୨୪ ତାରିଖ ଦିନ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ବୌଦ୍ଧ, ଦେବଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର ଓ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷିବ। ଏଥିସହ ଉପକୂଳର ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସାରା ରାଜ୍ୟରେ ବର୍ଷା ଫଳରେ ରାଜ୍ୟର ତାପମାତ୍ରା ବହୁ ତଳକୁ ଖସିଆସିଛି। ଆଜି କୌଣସି ସ୍ଥାନରେ ବି ପାରଦ ୪୦ ଛୁଇଁ ନାହିଁ। ସର୍ବୋଚ୍ଚ ତାପମାତ୍ରା ସମ୍ବଲପୁର ଓ ସୋନପୁରଠାରେ ୩୯.୮ ଡିଗ୍ରି ରେକର୍ଡ ହୋଇଛି। ବୌଦ୍ଧରେ ୩୯.୪ ଡିଗ୍ରି, ବଲାଙ୍ଗୀରରେ ୩୮.୬ ଡିଗ୍ରି, କେନ୍ଦ୍ରାପଡ଼ାରେ ୩୮ ଡିଗ୍ରି ଓ ହୀରାକୁଦରେ ୩୭.୭ ଡିଗ୍ରି ରହିଥିଲା। ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା ୩୫.୮ ଡିଗ୍ରି ଓ କଟକରେ ୩୬.୨ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ଆସନ୍ତା ୨ ଦିନରେ ରାଜ୍ୟର ପାରଦ ପାଖାପାଖି ୩ରୁ ୫ ଡିଗ୍ରି ଯାଏ ଖସିବାର ସମ୍ଭାବନା‌ ରହିଛି।

Spread the love