ପତ୍ନୀଙ୍କୁ ହତ୍ୟା ମାମଲାରେ ପୂର୍ବତନ ଗୁଣପୁର ବିଧାୟକ ରାମମୂର୍ତ୍ତି ଗମାଙ୍ଗକୁ ଆଜୀବନ ଜେଲ

ପତ୍ନୀଙ୍କୁ ହତ୍ୟା ମାମଲାରେ ପୂର୍ବତନ ଗୁଣପୁର ବିଧାୟକ ରାମମୂର୍ତ୍ତି ଗମାଙ୍ଗକୁ ଆଜୀବନ ସଜା। ଗର୍ଭବତୀ ପତ୍ନୀକୁ ହତ୍ୟା ଅଭିଯୋଗରେ ଦଫା ୩୦୨ରେ ଆଜୀବନ ସଜା ସହ ୫୦ ହଜାର ଫାଇନ ମଧ୍ୟ କରାଯାଇଛି । ଜରିମାନା ଅନାଦେୟ ହେଲେ ୬ ମାସ ଅଧିକ ସଜା ନେଇ ନିର୍ଦ୍ଦେଶ ରହିଛି । ପ୍ରମାଣ ନଷ୍ଟ ଅଭିଯୋଗରେ ୩ ବର୍ଷ ସଜା ସହ ୧୦ ହଜାର ଫାଇନ ମଧ୍ୟ ହୋଇଛି।

ଏହି ଜରିମାନା ଅନାଦେୟ ହେଲେ ପୁଣି ୩ ମାସ ସଜା ନିର୍ଦ୍ଦେଶ ରହିଛି । ଗତ ଶନିବାର ଦିନ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଗର୍ଭବତୀ ପତ୍ନୀକୁ ହତ୍ୟା ମାମଲାରେ ଆଜୀବନ ସଜା ହୋଇଛି । ୧୯୯୫ ମସିହା ଅଗଷ୍ଟ ୨୯ରେ ୟୁନିଟ-୪ MLA କଲୋନୀ କ୍ୱାର୍ଟର ବାଥରୁମରୁ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ପତ୍ନୀ ଶଶିରେଖାଙ୍କୁ ଉଦ୍ଧାର କରାଯାଇଥିଲା । ତାଙ୍କୁ ତୁରନ୍ତ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲେ ବି ଡାକ୍ତର ମୃତ ଘୋଷଣା କରିଥିଲେ ।

ଏନେଇ ପ୍ରଥମେ ଖାରବେଳନଗର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା । ପରେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ହତ୍ୟା ମାମଲା ରୁଜୁ କରି ସ୍ୱାମୀ ରାମମୂର୍ତ୍ତି ଗମାଙ୍ଗଙ୍କୁ ଗିରଫ କରି ଝାରପଡା ଜେଲକୁ ପଠାଇ ଦିଆଯାଇଥିଲା । ଏହାପରେ ହାଇକୋର୍ଟରୁ ଜାମିନ ପାଇ ଜେଲରୁ ମୁକୁଳିଥିଲେ ରାମମୂର୍ତ୍ତି। ରାୟଗଡ଼ା ଗୁଣପୁର ନିର୍ବାଚନମଣ୍ଡଳୀରୁ ୨ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ରାମମୂର୍ତ୍ତି ଗମାଙ୍ଗ ।

Spread the love