ଆନନ୍ଦ ଭବନରେ ଦୁର୍ଦ୍ଦଶାରେ କଟୁଛି ବିଜୁ ପଟ୍ଟନାୟକଙ୍କ ପୁତୁରା ଓ ଝିଆରୀଙ୍କ ଜୀବନ

କଟକ: ବିଜୁ ପଟ୍ଟନାୟକ ଛକରେ ଦୁଇଟି ଆନନ୍ଦ ଭବନ। ଗୋଟିଏରେ ଆନନ୍ଦର ଲହରୀ ଅନ୍ୟଠି ବିଷାଦର ଛାୟା। ମାତ୍ର ଗୋଟିଏ ପ୍ରାଚୀରର ଅବରୋଧ। ହେଲେ ନାମ ସମାନ। କିନ୍ତୁ ଦୃଶ୍ୟ ଅଲଗା। ଯାହାକୁ ଦେଖିଲା ପରେ ସ୍ପଷ୍ଟ ଜାଣିହେବ କେମିତି ରହିଛି ପୁର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପୁତୁରା ଦିଲୀପ ପଟ୍ଟନାୟକଙ୍କ ପରିବାର। ଦିନ ଥିଲା ଏହି ଆନନ୍ଦ ଭବନ ହସଖୁସିରେ ଫାଟି ପଡୁଥିଲା। କାରଣ ସେତେବେଳେ ସମସ୍ତେ ଥିଲେ ଏକାଠି। ସମୟ ବଦଳିବା ସହ ବଦଳି ଥିଲା ପରିଚୟ। ହେଲେ ସେ ଦିନ ଓ ଆଜିର ଦିନ ମଧ୍ୟରେ ଆସିଛି ଆକାଶ ପତାଳ ତଫାତ। ବର୍ତ୍ତମାନ ନିଜ ଜୀବନକୁ ନେଇ ବଞ୍ଚିବାର ରାହା ଦେଖୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପୁତୁରା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ବାପା ପୁଅ ଦିଲ୍ଲୀପ ପଟ୍ଟନାୟକ। ରୋଗଗ୍ରସ୍ତ ଓ ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି ସେ। କଟକ ବିଜୁ ପଟ୍ଟନାୟକ ଛକ ସ୍ଥିତ ଡାକ୍ତର ଜର୍ଜ ପଟ୍ଟନାୟକଙ୍କ ଆନନ୍ଦ ଭବନରେ ଦୁର୍ଦ୍ଦଶାରେ କଟୁଛି ତାଙ୍କ ଜୀବନ। କେବଳ ସେ ଜଣେ ନୁହନ୍ତି, ତାଙ୍କ ସହ ଭଉଣୀ ରେଖା ମଧ୍ୟ ଏହି ଘରେ ରୋଗଗ୍ରସ୍ତ ଅବସ୍ଥାରେ ପଡିଛନ୍ତି। ସରକାରୀ ହେଉ କିମ୍ବା ବେସରକାରୀ ସ୍ତର। ଏ ପର୍ଯ୍ୟନ୍ତ ତାଙ୍କ ଉପରେ ପଡ଼ି ନାହିଁ କାହାରି ନଜର। ଦୀର୍ଘ ୧୫ ବର୍ଷ ଧରି ସେ ରୋଗଗ୍ରସ୍ତ ଅବସ୍ଥାରେ ପଡ଼ି ରହିଥିବା ବେଳେ ଏ ପର୍ଯ୍ୟନ୍ତ ତାଙ୍କ ଉପରେ କାହାରି ପଡିନି ନଜର।

ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ଗୋଡ଼ ଭାଙ୍ଗି ଯାଇଥିବାରୁ ଏ ପର୍ଯ୍ୟନ୍ତ ସେ ରୋଗାକ୍ରାନ୍ତ ହୋଇ ଅଛନ୍ତି। ୧୯୪୭ ମସିହାରେ ସେ ଜନ୍ମ ଗ୍ରହଣ କରିଥିବା ବେଳେ ରେଭେନ୍ସା ବିଶ୍ଵବିଦ୍ୟାଳୟରେ ସେ ପାଠ ପଢିଥିଲେ। ଏହାପରେ ସେ ଏକ ସ୍ପଞ୍ଜ କମ୍ପାନିରେ ଚାକିରି କରୁଥିଲେ। ୨୫ ବର୍ଷ ପୂର୍ବରୁ ସେ ଚାକିରିରୁ ଅବସର ନେଇଥିବା ବେଳେ ଏ ପର୍ଯ୍ୟନ୍ତ ସେ ଅବିବାହିତ ଅଛନ୍ତି। ସରକାରୀ ହେଉ କିମ୍ବା ବେସରକାରୀ ସ୍ତରରୁ ତାଙ୍କ ଉପରେ ନଜର ପଡୁ ଓ ତାଙ୍କୁ ସମସ୍ତେ ସହଯୋଗର ହାତ ବଢାନ୍ତୁ ବୋଲି ବିଭିନ୍ନ ମହଲରୁ ଦାବି କରାଯାଉଛି। ସେପଟେ ଦିଲ୍ଲୀପ ପଟ୍ଟନାୟକଙ୍କ ଦୁଃଖର କାହାଣୀ ସାମନାକୁ ଆସିବା ପରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ତାଙ୍କ ନିକଟରେ ପହଞ୍ଚି ଆଲୋଚନା କରିଛନ୍ତି। ତାଙ୍କୁ ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେବା ସହ ତାଙ୍କର ଚିକିତ୍ସା କରାଯିବ ବୋଲି ସେ କହିଛନ୍ତି। ତେବେ ଆନନ୍ଦ ଭବନରେ ଏପରି ଦୃଶ୍ୟକୁ ସହଜରେ ଗ୍ରହଣ କରିବା କଷ୍ଟ। କାହିଁକି ନା ଆନନ୍ଦ ଭବନରେ ବିଷାଦର ଛାଇ ଯେପରି ଦୁଃଖର ମେଘମାଳ ପରି ଦଣ୍ଡାୟମାନ।

Spread the love