ନକ୍ସଲ ସଂଗଠନରେ କାମ କରୁଥିଲେ, ୪ ମିଲିସିଆ ଗିରଫ

ରାୟଗଡ଼ା: ରାୟଗଡା ଜିଲ୍ଳା ଅନ୍ତର୍ଗତ ମୁନିଗୁଡା ପୁଲିସକୁ ମିଳିଛି ବଡ ସଫଳତା। ୪ ଜଣ ମିଲିସିଆଙ୍କୁ ଗିରଫ କରିଛି। ମୁନିଗୁଡା ଥାନା ପୁଲିସ ଏକ ମାମଲା ରୁଜୁ କରି ନକ୍ସଲ ସଂଗଠନର ମିଲିସିଆ ଭାବେ କାମ କରୁଥିବା କାଡ୍ରାପାଙ୍ଗା ଗ୍ରାମର ନୂଆମାଝି କାଡ୍ରାକା(୪୦), ପାଟରାଣୀ ଗ୍ରାମର ରାଗିଡି ଗାଗରାଙ୍ଗ(୨୫), ଗୁନାଖାଇ ଗ୍ରାମର ପାଗୁଡା କିମ୍ବାକା(୩୦) ଏବଂ ବଡଡେଙ୍ଗୁଣି ଗ୍ରାମର ବଳି କରକରିଆ(୪୨)ଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏମାନେ ନକ୍ସଲ ସଂଗଠନକୁ ଲଗାତାର ସହଯୋଗ କରିଆସୁଥିଲେ।
ଏମାନେ ମାଓ ସଂଗଠନର ଆଗଧାଡିର ନେତ୍ରୀ ରୀତା, ନିଖିଲ ଓ ବଣ୍ଟିଙ୍କ ମୁଖ୍ୟ ସୂଚନାଦାତା ଭାବେ କାମ କରୁଥିଲେ। ଗତ କିଛି ଦିନ ହେଲା ଜିଲ୍ଲାର ମୁନିଗୁଡା, ଅମ୍ବାଦଳା ଏବଂ ଚନ୍ଦ୍ରପୁର ଅଂଚଳରେ ନକ୍ସଲ ଗତିବିଧି ବଢିବାରେ ଲାଗିଛି। ଗତ ୧ ତାରିଖରେ ଦେଓକପୁଲି ଗ୍ରାମରେ ନକ୍ସଲ ଏକ କ୍ରସର ଉପରେ ଆକ୍ରମଣ କରି ୯ଟି ଗାଡି ପୋଡି ଦେଇଥିଲେ। ଏହାପରେ ମାଓ ସଂଗଠନ ପକ୍ଷରୁ ବ୍ୟାନର ଓ ପୋଷ୍ଟର ମାରି ବିଭିନ୍ନ ଦାବି କରିବା ସହ ଲୋକଙ୍କୁ ପୁଲିସ ବିରୋଧରେ ଉସୁକାଇଥିଲେ। ଏଥିସହ ଗଣମାଧ୍ୟମକୁ ମଧ୍ୟ ଟାର୍ଗେଟ କରିଥିଲେ।

ଏନେଇ ଏସପି ବିବେକାନନ୍ଦ ଶର୍ମାଙ୍କୁ ପଚରାଯିବାରୁ ସ୍ଥିତି ସଂଗୀନ ରହିଥିବାରୁ ଏହାକୁ ଗୁପ୍ତ ରଖାଯାଇଥିଲା ବୋଲି କହିଥିଲେ। ତେବେ ଏମାନେ ସଂଗଠନ ସହ ଜଡିତ ହୋଇ କାମ କରୁଥିବା ସେ କହିଥିଲେ। ଏହି ଅଂଚଳରେ କୁମ୍ବିଂକୁ ଜୋରଦାର କରାଯିବା ସହ ନକ୍ସଲ ଗତିବିଧି ଉପରେ ନଜର ରଖାଯାଇଥିବା ମଧ୍ୟ କହିଥିଲେ। ଗୁଇନ୍ଦା ବିଭାଗକୁ ସଜାଗ ରହିଥିବା ନିର୍ଦେଶ ଦିଆଯାଇଛି। କୌଣସି ମୁହର୍ତ୍ତରେ ନକ୍ସଲ କିଛି ବି ଘଟାଇବାରୁ ସମ୍ଭାବନା ରହିଥିବାରୁ ପ୍ରତ୍ୟେକ ମୁହର୍ତ୍ତରେ ଏସଓପି ପାଳନ କରାଯାଉଛି।

Spread the love