ଉତ୍ତର ଭାରତରେ ବର୍ଷା ତାଣ୍ଡବ: ଶତାଧିକ ମୃତ, ଭିତ୍ତିଭୂମିରେ ବ୍ୟାପକ କ୍ଷତି

ନୂଆଦିଲ୍ଲୀ: ଉତ୍ତର ଭାରତରେ ବର୍ଷାଜନିତ ଘଟଣା ଯୋଗୁଁ ଗତକାଲି ଆଉ ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବୁଧବାର ବର୍ଷାର ତୀବ୍ରତା ହ୍ରାସ ପାଇଥିଲେ ମଧ୍ୟ ଏହାର ପ୍ରକୋପରୁ ନିସ୍ତାର ମିଳିନାହିଁ। ହିମାଚଳ ପ୍ରଦେଶରେ ମଙ୍ଗଳବାର ମୃତ୍ୟୁ ସଂଖ୍ୟା ୩୧କୁ ବୃଦ୍ଧି ପାଇଛି। ମୌସୁମୀ ଆରମ୍ଭରୁ ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୮୦ ଜଣଙ୍କ ମୃତ୍ୟୁ ହେଲାଣି। ଏହି ସମୟରେ ପଡୋଶୀ ଉତ୍ତରାଖଣ୍ଡରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ରାଜସ୍ଥାନରେ ବର୍ଷା ସମ୍ବନ୍ଧୀୟ ଘଟଣାରେ ଜଣେ ଲେଖାଏ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସମଗ୍ର ଭାରତରେ ଶତାଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଜମ୍ମୁ-କାଶ୍ମୀର, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ହରିୟାଣା, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ନଦୀ, ଝରଣା ଏବଂ ଡ୍ରେନ୍‌ଗୁଡ଼ିକ ଜଳପୂର୍ଣ୍ଣ ହୋଇଥିବାରୁ ଭିତ୍ତିଭୂମିରେ ବ୍ୟାପକ କ୍ଷତି ଘଟିବା ସହ ଅତ୍ୟାବଶ୍ୟକ ସେବାଗୁଡ଼ିକ ବ୍ୟାହତ ହୋଇଛି। ଦିଲ୍ଲୀରେ ଯମୁନା ନଦୀ ୨୦୬ ମିଟରର ବିପଦ ସଙ୍କେତ ଅତିକ୍ରମ କରିଛି।

ହିମାଚଳ ପ୍ରଦେଶ କର୍ତ୍ତୃପକ୍ଷ ମଙ୍ଗଳବାର ହୋଇଥିବା ବର୍ଷା ଯୋଗୁଁ କ୍ଷୟକ୍ଷତିର ଆକଳନ କରି କହିଛନ୍ତି ଯେ, ଭୂସ୍ଖଳନ ଓ ବନ୍ୟାରେ ତିନି ଦିନ ମଧ୍ୟରେ ପ୍ରାୟ ୧୩୦୦ ରାସ୍ତା ଅବରୋଧ ହେବା ସହ ୪୦ଟି ପ୍ରମୁଖ ପୋଲ କ୍ଷତିଗ୍ରସ୍ତ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୮୦ ମୃତ୍ୟୁ ମଧ୍ୟରୁ ୨୪ ଜଣଙ୍କର ସଡ଼କ ଦୁର୍ଘଟଣାରେ ଏବଂ ଭୂସ୍ଖଳନରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି। ତା’ପରେ ଉଚ୍ଚ ସ୍ଥାନରୁ ପଡ଼ିବା କାରଣରୁ ୧୨ ଜଣଙ୍କର, ପାଣିରେ ବୁଡ଼ିଯିବା ଯୋଗୁ ୭ ଜଣଙ୍କର, ଆକସ୍ମିକ ବନ୍ୟା ଯୋଗୁ ୫ ଜଣଙ୍କର, ବିଦ୍ୟୁତ୍‌ ଆଘାତରେ ୪ ଜଣଙ୍କର, ସାପ କାମୁଡ଼ାରେ ୨ ଜଣଙ୍କର ଏବଂ ଅନ୍ୟ କାରଣରୁ ୫ ଜଣଙ୍କର ମୃତ୍ୟୁ ହୋଇଛି। ମୋଟ ୭୯ଟି ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି ଏବଂ ୩୮୩ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ହିମାଚଳ ରୋଡ୍‌ୱେ ପରିବହନ ନିଗମ ୧,୨୮୪ଟି ରୁଟରେ ବସ୍ ସେବା ସ୍ଥଗିତ ରଖିଛି। ଜୁଲାଇ ୧୫ ପର୍ଯ୍ୟନ୍ତ ସମସ୍ତ ସରକାରୀ ବିଦ୍ୟାଳୟ ବନ୍ଦ ରହିବ ବୋଲି ରାଜ୍ୟ ଶିକ୍ଷା ବିଭାଗ ଏକ ନିର୍ଦ୍ଦେଶ ଜାରି କରିଛି। ଖରାପ ପାଗ ହେତୁ ରାଜ୍ୟ ଜନସେବା ଆୟୋଗ ହିମାଚଳ ପ୍ରଦେଶ ପ୍ରଶାସନିକ ସେବା ପ୍ରତିଯୋଗିତା (ପ୍ରାଥମିକ) ପରୀକ୍ଷାକୁ ଅଗଷ୍ଟ ୨୦କୁ ଘୁଞ୍ଚାଇ ଦେଇଛନ୍ତି।

ରାଜ୍ୟରେ ହୋଇଥିବା ବିପର୍ଯ୍ୟୟ ପରେ ମୁଖ୍ୟମନ୍ତ୍ରୀ ସମସ୍ତ ପ୍ରଭାବିତ ପରିବାରକୁ ୧ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି। ଜୁନ୍ ୨୪ରୁ ଏ ଯାବତ୍ ମୌସୁମୀ ବର୍ଷାରେ ହିମାଚଳପ୍ରଦେଶରେ ମୋଟ ୮୦ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ନିଖୋଜ ହୋଇଯାଇଛନ୍ତି ଏବଂ ମୋଟ ୧,୦୫୦ କୋଟି ଟଙ୍କାର କ୍ଷତି ଘଟିଛି ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି। ଦିଲ୍ଲୀରେ ଯମୁନା ଜଳସ୍ତର ଗତ ୧୦ ବର୍ଷ ଭିତରେ ସର୍ବାଧିକ ବଢ଼ିଛି। ବୁଡ଼ି ଅଞ୍ଚଳରୁ ଲୋକଙ୍କୁ ଉଚ୍ଚସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଉତ୍ତରାଖଣ୍ଡରେ ଏବେ ବି ବର୍ଷା ଜାରି ରହିଛି। ଭୂସ୍ଖଳନ ଯୋଗୁ ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ରାଜପଥ ୬ରୁ ଊର୍ଦ୍ଧ୍ବ ସ୍ଥାନରେ ଅବରୋଧ ହୋଇଛି ଏବଂ ପ୍ରାୟ ୩୦୦୦ରୁ ୫୦୦୦ ଯାତ୍ରୀ ଫସି ରହିଛନ୍ତି।

Spread the love