ଡିଭାଇଡର୍‌ ଟପି ଟ୍ରକ୍‌କୁ ଧକ୍କା ଦେଲା ଟ୍ରକ୍‌: ୪ କାଉଡ଼ିଆ ମୃତ

ନୂଆଦିଲ୍ଲୀ: ବୁଧବାର ରାତିରେ ଦିଲ୍ଲୀ ଅନ୍ତର୍ଗତ ଜି. ଟି. କର୍ଣ୍ଣାଲ୍‌ ରୋଡ୍‌ରେ ଦୁଇଟି ଟ୍ରକ୍‌ ପରସ୍ପର ସହିତ ଧକ୍କା ଖାଇବାରୁ ୪ଜଣ କାଉଡ଼ିଆଙ୍କର ମୃତ୍ୟୁ ଘଟିଛି ଓ ଆଉ ୧୫ଜଣ କାଉଡ଼ିଆ ଆହତ ହୋଇଥିବା କଥା ପୁଲିସ କହିଛି। ଜାରି କରିଥିବା ବିବୃତିରେ ପୁଲିସ କହିଛି, ଟ୍ରକ୍‌ରେ ଅନ୍ୟୂନ ୨୦ଜଣ କାଉଡ଼ିଆ ଯାଉଥିଲେ। ସମୁଦାୟ ୧୫ଜଣ ଆହତ ହୋଇଛନ୍ତି ଓ ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ଘଟିଛି। ବାକି ଯାତ୍ରୀମାନଙ୍କୁ ସନ୍ଧାନ ନିଆଯାଉଛି। କାଉଡ଼ିଆଙ୍କୁ ନେଇ ଯାଉଥିବା ଟ୍ରକ୍‌ ଦୁଇଟି ଉତ୍ତରପଶ୍ଚିମ ଦିଲ୍ଲୀ ଅନ୍ତର୍ଗତ ସିରସପୁର ନିକଟରେ ପରସ୍ପର ସହିତ ଧକ୍କା ଖାଇବାରୁ ଏଭଳି ଅଘଟଣ ଘଟିଛି। ତୁରନ୍ତ ଘଟଣସ୍ଥଳକୁ ପୁଲିସ ଓ ଜରୁରୀକାଳୀନ ସେବା ଟିମ୍‌ଙ୍କୁ ଡକାଯାଇ ଚିକିତ୍ସା ନିମନ୍ତେ ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଟ୍ରକ୍‌ ଦୁଇଟିରୁ ଗୋଟିଏ କାଉଡ଼ିଆଙ୍କୁ ନେଇ ହରିଦ୍ବାର ଅଭିମୁଖେ ଯାଉଥିଲା। ପୁଲିସ କିହଛି ଯେ, ପ୍ରାଥମିକ ଦତନ୍ତରୁ ଯାହା ଜଣାପଡୁଛି, ଦିଲ୍ଲୀକୁ ଆସୁଥିବା ଟ୍ରକ୍‌ଟି ଚାଳକଙ୍କ ନିୟନ୍ତ୍ରଣରୁ ବାହାରି ଯାଇ ରାସ୍ତା ‘ଡିଭାଇଡର୍‌’ ଟପି ହରିଦ୍ବାର ଯାଉଥିବା ଟ୍ରକ୍‌ ସହିତ ଧକ୍କା ଖାଇଥିଲା। ଦୁର୍ଘଟଣାରେ ନଷ୍ଟ ହୋଇଥିବା ଟ୍ରକ୍‌ ଦୁଇଟିକୁ ଦେଖିଲେ ଧକ୍କାର ତୀବ୍ରତା ସମ୍ପର୍କରେ ସ୍ପଷ୍ଟ ଜାଣାପଡୁଛି।  ଡିଭାଇଡର୍‌ ଟପି ଧକ୍କା ଦେଇଥିବା ଟ୍ରକ୍‌ର ଡ୍ରାଇଭର୍‌ ଫେରାର ହୋଇଯାଇଛନ୍ତି। ମାମଲା ରୁଜୁ କରି ପୁଲିସ ଘଟଣା ସଂକ୍ରାନ୍ତରେ ଅଧିକ ତଦନ୍ତ ଆରମ୍ଭ କରିଛି।

ସେହିପରି, ବୁଧବାର ଦିନ କାଉଡ଼ିଆଙ୍କୁ ନେଇ ଯାଉଥିବା ଗୋଟାଏ ମିନି ଟ୍ରକ୍‌ ଦୁଇଟି ମୋଟର୍‌ସାଇକେଲ୍‌କୁ ଧକ୍କା ଦେବାରୁ ଉତ୍ତରାଖଣ୍ଡର କହ୍ନାଲ ଅଞ୍ଚଳର ଶଙ୍କରାଚାର୍ଯ୍ୟ ଛକ ନିକଟରେ ୩ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଓ ଜଣେ ଆହତ। କହ୍ନାଲ ଥାନା ଭାରପ୍ରାପ୍ତ ଅଧିକାରୀ ନୀତେଶ ଶର୍ମା କହିଛନ୍ତି, ମୃତ ବ୍ୟକ୍ତିମାନେ ହେଉଛନ୍ତି, ବିଜ୍‌ନୋର୍‌ ଗ୍ରାମର ୩୦ ବର୍ଷିୟ ରୋହିତ କୁମାର, ମୋରାଦାବାଦ ଅନ୍ତର୍ଗତ ନାଗଲା ଛଜଲେତ୍‌ବାସୀ ୩୦ ବର୍ଷିୟ ପୁଷ୍ପେନ୍ଦ୍ର, ଏବଂ ଏକବର୍ଷର ମାହି। ଏହି ଦୁର୍ଘଟଣାରେ ଜଣେ ମହିଳା ମଧ୍ୟ ଗୁରୁତର ଆହତ ହୋଇଛନ୍ତି।

Spread the love